ରାଜଗାଙ୍ଗପୁର : ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍)ର ପାରାଦ୍ୱୀପ-ରାଞ୍ଚି ଭୂତଳ ପାଇପ୍ ଲାଇନ୍ ରାଜଗାଙ୍ଗପୁର ନିକଟସ୍ଥ କେଶ୍ରାମାଲ୍ ନିକଟରେ ଫାଟିଯିବାରୁ ତେଲର ବନ୍ୟା ସୃଷ୍ଟି ହୋଇଛି। ପାଇପ୍ରୁ ଡିଜେଲ୍ ବାହାରି ଦୁଇ ଏକରରୁ ଅଧିକ ଚାଷ ଜମିରେ ମାଡ଼ି ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶହ ଶହ ଗ୍ରାମବାସୀ ବାଲ୍ଟି, ଡେକ୍ଚି, ହାଣ୍ଡି, ଭଙ୍ଗା ପାଣି ଟାଙ୍କିରେ ତେଲ ବୋହି ନେଉଥିବାର ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଖବରପାଇ ରାଉରକେଲା ଓ ସମ୍ବଲପୁରରୁ ଆଇଓସିଏଲ୍ର ବିଶେଷଜ୍ଞ ଦଳ ପହଞ୍ଚି ପାଇପ୍ ମରାମତି ଉଦ୍ୟମ ଜାରି ରଖିଛନ୍ତି। ଆଖପାଖ ଅଞ୍ଚଳରୁ ଟ୍ୟାଙ୍କର୍ ଡକାଇ ବହିଯାଉଥିବା ତେଲକୁ ମଧ୍ୟ ସଂଗ୍ରହ କରାଯାଉଛି।
କେଶ୍ରାମାଲସ୍ଥିତ ଏକ ଚାଷ ଜମିରୁ ଡିଜେଲ୍ ବାହାରୁଥିବା ପ୍ରଚାରିତ ହେବା ପରେ ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ସେଠାରେ ତେଲ ସଂଗ୍ରହ କରିବାକୁ ପ୍ରବଳ ଭିଡ଼ ଲାଗିଥିଲା। ପ୍ରାୟ ୨ ମିଟର ଗଭୀର ମାଟି ତଳେ ଆଇଓସିଏଲ୍ ପାଇପ୍ ଯାଇଥିବାରୁ ସେଥିରୁ ତେଲ୍ ବାହାରୁଥିବା ଅନୁମାନ କରି ସ୍ଥାନୀୟ ଲୋକେ କମ୍ପାନୀର ରାଉରକେଲା କାର୍ଯ୍ୟାଳୟକୁ ଜଣାଇଥିଲେ। ଦୁଇ ଘଣ୍ଟା ମଧ୍ୟରେ ଉଭୟ ସମ୍ବଲପୁର ଓ ରାଉରକେଲାରୁ ବିଶେଷଜ୍ଞ ଦଳ ପହଞ୍ଚି ମରାମତି ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେବା ଯାଏ ମରାମତି ଚାଲୁ ରହିଥିଲା। ପୁଲିସର ବାରଣ ସତ୍ତ୍ୱେ ଲୋକେ ଚାଷ ଜମିରୁ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ତେଲ ନେଉଥିବା ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/IOCL.jpg)