୭୦ କୋଟି ବ୍ୟୟରେ ଜଟଣୀ ତୈଳ ଡିପୋର ଉନ୍ନତୀକରଣ
ଝାରସୁଗୁଡ଼ା : ଭାରତୀୟ ତୈଳ ନିଗମ (ଆଇଓସିଏଲ) ପକ୍ଷରୁ ଝାରସୁଗୁଡ଼ା ମାଲିମୁଣ୍ଡାଠାରେ ପ୍ରଥମଥର ପାଇଁ ପାରାଦୀପ-ରାୟପୁର-ଗ୍ୟାସ ପାଇପଲାଇନ୍ ପାଇଁ ଟର୍ମିନାଲ ଉଦଘାଟିତ ହୋଇଛି। ଝାରସୁଗୁଡ଼ା ଓ ପରିବର୍ତ୍ତିତ ଜଟଣୀ ଅଏଲ୍ ଟର୍ମିନାଲକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିଛନ୍ତି। ସଭାରେ ବରଗଡ଼ ସାଂସଦ ପ୍ରଭାସ ସିଂହ, ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା, ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ଯୋଗ ଦେଇଥିଲେ।
୧୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟର୍ମିନାଲ ଯୋଗୁଁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲ୍ଲାକୁ ଇନ୍ଧନ ବିତରଣ ସୁବିଧା ହେବ। ସେହିପରି ୭୦ କୋଟି ଟଙ୍କା ବ୍ୟୟରେ ଜଟଣୀ ତୈଳ ଡିପୋର ଉନ୍ନତି କରାଯିବା ଫଳରେ ଅନୁଗୁଳ, ବୌଦ୍ଧ, କଟକ, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଫୁଲବାଣୀ, ରାୟଗଡ଼ା, ମାଲକାନଗିରି ଏବଂ କଳାହାଣ୍ଡି ଆଦି ୧୩ଟି ଜିଲ୍ଲାର ତୈଳ ଆବଶ୍ୟକତାକୁ ପୂରଣ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଆଗକୁ ଏଚ୍ପିସିଏଲ୍ ଓ ବିପିସିଏଲ୍ ଦ୍ୱାରା ଧୁତୁରାଠାରେ ଆଉ ଏକ ଟର୍ମିନାଲ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଜମି ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ କହିଥିଲେ।
ମୋଦି ସରକାର ୩ ବର୍ଷ ମଧ୍ୟରେ ଦେଶରେ କରିଥିବା ବିକାଶର ରିପୋର୍ଟ ପ୍ରଦାନ କରିବାକୁ ଯାଇ ସେ ଉଜ୍ଜଳା ଯୋଜନାର ସଫଳତା ବଖାଣି ଥିଲେ। ରାଜ୍ୟରେ ୩ ବର୍ଷ ପୂର୍ବେ ୨୦ ଳକ୍ଷ ଏଲ୍ପିଜି ସଂଯୋଗ ଥିବାବେଳେ ଏବେ ଏହା ବୃଦ୍ଧି ପାଇ ୫୩ ଲକ୍ଷରେ ପହଞ୍ଚିଛି। ସେଥିରୁ ୧୭ ଲକ୍ଷ ମହିଳାଙ୍କୁ ମାଗଣାରେ ଏଲ୍ପିଜି ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଝାରସୁଗୁଡ଼ାରେ ଶିଳ୍ପ ଧିମେଇ ଯାଇଛି। ଏହାର ପ୍ରଭାବରେ ବଜାର ଉପରେ ପଡ଼ିଛି। ଝାରସୁଗୁଡ଼ାରେ ପୁଣି କିପରି ଶିଳ୍ପର ବିକାଶ କରାଯିବ ସେଥିପାଇଁ ଏଠାରୁ ରେଳ ଯୋଗେ ବିଭିନ୍ନ ରାଜ୍ୟକୁ ତୈଳ ରପ୍ତାନି କରାଗଲେ ଏଠାର ଅର୍ଥନୈତିକ ବିକାଶ ହେବ।
ବିଧାୟକ ଶ୍ରୀ ଦାସ ଝାରସୁଗୁଡ଼ାର ରେଳ ଡିଭିଜନ, ଆଇଓସିଏଲ୍ ଦ୍ୱାରା କିର୍ମିରା ବ୍ଲକକୁ ପୌଷ୍ୟ ବ୍ଲକ ଭାବରେ ଗ୍ରହଣ କରି ସିଏସ୍ଆର୍ କାଯ୍ୟର୍କ୍ରମ କରିବା ଓ ଝାରସୁଗୁଡ଼ାରେ ଏମ୍ସ ହସପିଟାଲ ପ୍ରତିଷ୍ଠା ପାଇଁ ମନ୍ତ୍ରୀଙ୍କ ଠାରେ ଦାବି କରିଥିଲେ। ଜିଲ୍ଲାର ବିକାଶ ପାଇଁ ସେ ମଞ୍ଚାସୀନ ବିଜେଡି ସାଂସଦ, କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ମନ୍ତ୍ରୀ ଆମନ୍ତ୍ରଣ କରିଥିଲେ। ଆଇଓସିଏଲ୍ ଅଧ୍ୟକ୍ଷ ସଂଜୀବ ସିଂହ, ଆଇଓସିଏଲ୍ର ନିର୍ଦ୍ଦେଶକ (ମାର୍କେଟିଂ) ବି.ଏସ୍. କାନ୍ଥ ଓ ସିଜିଏମ୍(ଓଏସ୍ଓ) ପ୍ରୀତମ୍ ଭରତ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Oil-Terminal-Udghatita.jpg)