ଭୁବନେଶ୍ୱର : ଓଡ଼ିଶାରେ ଦେଖାଦେଇଥିବା ଆଳୁ ସଙ୍କଟର ସମାଧାନ ଲାଗି ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର(ଆଇପିସି) ଆଗ୍ରହ ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ ସହ ମିଶି ଆଳୁର ଉତ୍ପାଦନ ବୃଦ୍ଧି କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଇପିସିର ଏସୀୟ ଆଞ୍ଚଳିକ ନିର୍ଦ୍ଦେଶକ ସମରେନ୍ଦ୍ରୁ ମହାନ୍ତି କହିଛନ୍ତି।
ଓଡିଶା ଗସ୍ତରେ ଆସିଥିବା ସମୟରେ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ପ୍ରତିବର୍ଷ ଆଳୁ ସଙ୍କଟ ଦେଖାଦେଉଛି। ରାଜ୍ୟ ସରକାର ବଜାର ଉପରେ ନିୟନ୍ତ୍ରଣ ରଖି ପାରୁନାହାନ୍ତି। ଏହାଛଡ଼ା ଚାଷୀଙ୍କୁ ଉନ୍ନତମାନର ବିହନ ମିଳୁ ନ ଥିବାରୁ ସେମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି। କିନ୍ତୁ ଓଡିଶା ଜଳବାୟୁରେ ସବୁ ସମୟରେ ଆଳୁ ଉତ୍ପାଦନ ହୋଇପାରିବ। ଜଣେ ଚାଷୀ ଧାନ ବଦଳରେ ଆଳୁ ଚାଷ କଲେ ଅଧିକ ଲାଭ ପାଇବେ ବୋଲି ସେ କହିଛନ୍ତି। ଏଥିପାଇଁ ଆବଶ୍ୟକ ଜ୍ଞାନକୌଶଳ ପ୍ରୟୋଗ ଜରୁରୀ। ପେରୁରେ ଏକ ସ୍ୱତନ୍ତ୍ର କିସମ ଆଳୁ ‘କୁଫ୍ରିଲିମା’ ବାହାର କରାଯାଇଛି, ଯାହାକି ଓଡିଶା ଜଳବାୟୁ ପାଇଁ ବେଶ୍ ଅନୁକୂଳ। ଏହାକୁ ଚାଷ କଲେ ଓଡ଼ିଶାର ଆଳୁ ଚାଷୀ ହେକ୍ଟର ପିଛା ୨୫ ଟନ୍ ଉତ୍ପାଦନ କରିପାରିବେ। ରାଜ୍ୟ ସରକାରଙ୍କ ଆଳୁ ମିଶନ ଜରିଆରେ ଏହି ବିହନ ଚାଷ ସହିତ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ମୁଖ୍ୟ ଶାସନ ସଚିବ ଓ କୃଷି ସଚିବଙ୍କ ସହ ଆଲୋଚନା କରିଥିବା ଶ୍ରୀ ମହାନ୍ତି କହିଛନ୍ତି।
ଖୁବ୍ଶୀଘ୍ର ଏନେଇ ପ୍ରସ୍ତାବ ଦିଆଯିବ। ଏବେ ଆଇପିସି ଅନେକ ରାଜ୍ୟରେ ବିଭିନ୍ନ କିସମର ଆଳୁ ଉତ୍ପାଦନ ଲାଗି କାର୍ଯ୍ୟ କରୁଛି। ହରିଆଣା ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର କରାଯାଇଥିବା ବେଳେ ଆନ୍ଧ୍ର ସରକାରଙ୍କ ସହ ରାଜିନାମା ସ୍ୱାକ୍ଷର ହେବାକୁ ଯାଉଛି। କର୍ଣ୍ଣାଟକରେ ଆଇପିସିର ଏକ କେନ୍ଦ୍ର ମଧ୍ୟ ରହିଛି। ଓଡିଶାର ଚାଷୀମାନେ ଭୂଟାନ୍, ପଞ୍ଜାବ ଓ ପଶ୍ଚିମବଙ୍ଗରୁ ବିହନ ଆଣୁଛନ୍ତି। ଗୁଣାତ୍ମକ ବିହନ ମିଳୁ ନ ଥିବାରୁ ଆଳୁ ଉତ୍ପାଦନ ବଢି ପାରୁନାହିଁ। ତେବେ ଆଇପିସି ଭଲ ବିହନ ଦେବା ସାଙ୍ଗକୁ ବଜାର ଲିଙ୍କେଜ୍ ଯୋଗାଇ ଦେବ। ଦେଶୀ ପଦ୍ଧତିରେ କିଭଳି ଆଳୁ ସଂରକ୍ଷଣ ହୋଇପାରିବ ସେନେଇ ଜ୍ଞାନକୌଶଳ ଆପିସି ଚାଷୀଙ୍କୁ ପ୍ରଦାନ କରିବ।