ପାଟପୁର : ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) କ୍ରିକେଟ୍ ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ପରେ ଗଞ୍ଜାମ ଜିଲ୍ଲାରେ ପୁଣି ବେଟିଂ ରାକେଟ୍ ସକ୍ରିୟ ହୋଇଉଠିଛନ୍ତି। ଏଭଳି ପରିସ୍ଥିତିରେ ପାଟପୁର ପୁଲିସ ଡେଙ୍ଗାପୁର-ସିଙ୍ଗିପୁର ରାସ୍ତାରେ ଚଢ଼ଉ କରି ଆଇପିଏଲ୍ ମ୍ୟାଚ୍‌ରେ ଟଙ୍କା ବାଜି ଲଗାଉଥିବା ୬ ଜଣ ଯୁବକଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ, ଦିଗପହଣ୍ଡି ଥାନା ଫାଶିଗୁଡ଼ା‌ ଗ୍ରାମର ଉମେଶଚନ୍ଦ୍ର ନାୟକ, ମୌଳାଭଞ୍ଜା ଗ୍ରାମର ଯୋଗୀ ବେହେରା, ପାଟପୁର ଥାନା ଧରମପୁରର ବିଜୟ କୁମାର ପ୍ରଧାନ, ପୋଡ଼ାମାରିର ଶିବଶଙ୍କର ମହାନ୍ତି, କାଳୀଚରଣ ସାହୁ (କାଳିଆ) ଓ ଧରମପୁର ଗ୍ରାମର ଏ. ବାବୁଲା ଦୋରା। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ନଗଦ ୧ ଲକ୍ଷ ୬୦ ହଜାର ୫୦୦ ଟଙ୍କା ଓ ୮ଟି ମୋବାଇଲ୍ ଜବତ ହୋଇଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଡେଙ୍ଗାଉସ୍ତା-ସିଙ୍ଗିପୁର ରାସ୍ତାରେ ଥିବା ଏକ କଲଭର୍ଟ ନିକଟରେ କିଛି ଯୁବକ ମିଶି ଆଇପିଏଲ୍ ମ୍ୟାଚ୍ ପାଇଁ ଟଙ୍କା ବାଜି ଲଗାଇବା ସହ ବୁକିଙ୍କ ସହ ବରାବର ଯୋଗାଯୋଗ କରୁଥିଲେ। ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସଦଳବଳ ସେଠାରେ ଚଢ଼ଉ କରି ଉପରୋକ୍ତ ୬ଜଣଙ୍କୁ କାବୁ କରିଥିଲେ। କେସ୍ ନମ୍ବର ୩୧୨ ଅନୁସାରେ ମାମଲା‌ ରୁଜୁ ସହ ସେମାନଙ୍କୁ ଗିରଫ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଶ୍ରୀ ମଲ୍ଲ ଓ ଏସ୍‌ଆଇ ଟୁନା ପିଡ଼ିକା ଉପସ୍ଥିତ ଥିଲେ।