ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ଆଇପିଏଲ୍ ବେଟିଂ ରୢାକେଟ୍ ଠାବ କରାଯାଇଛି। ଆଇପିଏଲ୍ କ୍ରିକେଟ୍ ଖେଳ ପାଇଁ ବେଟିଂ କରୁଥିବାବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ୍ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬୧ ହଜାର ଟଙ୍କା ଓ ୭ଟି ମୋବାଇଲ୍ ଫୋନ୍ ଜବତ କରିଛି।
ଗତ କିଛିଦିନ ଧରି ଆଇପିଏଲ୍ର ପ୍ରତ୍ୟେକ ମ୍ୟାଚ ପାଇଁ ବେଟିଂ କରାଯାଉଥିବା ନେଇ ସାଧାରଣରେ ଚର୍ଚ୍ଚା ହୋଇଆସୁଥିଲା । ପୁରାତନ ଓଏସ୍ଆରଟିସି ଗ୍ୟାରେଜ ଟ୍ରେଜେରୀ ରାସ୍ତାରେ ଆଇପିଏଲ୍ ଖେଳରେ ବେଟିଂ ଚାଲିଥିବା ସମୟରେ ପୁଲିସ୍ ଚଢଉ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଅଭିଯୁକ୍ତମାନେ ହେଲେ, ଏମ. ରଞ୍ଜନ ପଟ୍ଟନାୟକ, ରାଣୀପେଣ୍ଠ କୁମୁଟି ସାହିର ଗୁରାନା ସନ୍ତୋଷ, ବଜାର ସାହିର ଏ.ଲୋକେଶ, ଖଞ୍ଜାସାହିର କେ.କାମେଶ, ଦଣ୍ଡମାଲାସାହିର ଟ.ରାମବାବୁ, ସିଦ୍ଧମଡଙ୍ଗ ଗ୍ରାମର ଆଶିଷ ପଟ୍ଟନାୟକ ଓ ପ୍ୟାଲେସ ସାହିର ଟୁନୁ ଗୌଡ। ସେମାନଙ୍କ ସହ ଜଣେ ନାବାଳକ ଥିବା ଜଣାପଡ଼ିଛି।
ଅଭିଯୁକ୍ତଙ୍କୁ ଗିରଫ କରି କେଶ ନଂ ୯୫/୧୯ରେ ମାମଲା ରୁଜୁ କରିବା ସହ ଓଡିଶା ପ୍ରିଭେନସନ ଅଫ ଗ୍ୟାମ୍ବଲିଙ୍ଗ ଆକ୍ଟ ଧାରା ୩ରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
ସୂଚନା ଅନୁସାରେ, ଅଭିଯୁକ୍ତମାନେ ପ୍ରତିଟି କ୍ରିକେଟ ମ୍ୟାଚର ଫଳାଫଳକୁ ଆଧାର କରି ବେଟିଂ କରିବା ସହ ହଜାର ହଜାର ଟଙ୍କାର ଖେଳରେ ମାତିଥିଲେ । ରାତାରାତି କୋଟିପତି ହେବା ଲକ୍ଷ୍ୟରେ ବହୁ ଯୁବକ ଏଥିରେ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା। ଏହା ଉପରେ ମଧ୍ୟ ପୁଲିସ୍ର ନଜର ରହିଥିଲା। ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲେ।
ଏ ସମ୍ପକ ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ର କହିଛନ୍ତି ଯେ, ବେଟିଂରେ ସମ୍ପୃକ୍ତ ଆଉ କିଛି ଯୁବକ ଖସି ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢଉ ଜାରି ରଖିବ ବୋଲି ସେ କହିଛନ୍ତି।