ନବରଙ୍ଗପୁର : ନବରଙ୍ଗପୁର ଭଳି ଆଦିବାସୀ ଜିଲ୍ଲାରେ ଆଇପିଏଲ୍‌କୁ ନେଇ ବାଜି ଲାଗୁଛି। ଦିନକୁ ୫୦ ଲକ୍ଷ ଟଙ୍କାର ବାଜି ଲାଗୁଥିବା ଆକଳନ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଛୋଟ ଗାଁରୁ ଆରମ୍ଭ ହୋଇ ମୁମ୍ବାଇ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ୪ଟି ଭିନ୍ନ ଭିନ୍ନ ଶୈଳୀରେ ବାଜି ଲାଗୁଛି। ପ୍ରଥମଟି ଅତି ସରଳ। ୧୦ରୁ ୧୫ ଯୁବକ ଗୋଟିଏ ଜାଗାରେ ବସି ଆପିଏଲ ଖେଳ ଦେଖନ୍ତି। ସେଥିରୁ କିଛି ଯୁବକ ବଲ୍ ଓ ରନ୍ ପ୍ରତି ଟଙ୍କା ବାଜି ଲଗାନ୍ତି। ଅନ୍ୟ ଯୁବକ ମାନେ ତାହାକୁ ଗ୍ରହଣ କରନ୍ତି। ଭାଗ ବାଣ୍ଟି ଜୁଆ ଖେଳ ହୋଇଥାଏ। ଦ୍ବିତୀୟ ପ୍ରକାର ଏକ ନିର୍ଦ୍ଦିଷ୍ଟ ହ୍ବାଟସ୍ ଅପ ଗ୍ରୁପ୍ ମାଧ୍ୟମରେ ହେଉଛି। ଜାତୀୟ ସ୍ତରରେ ଥିବା ଗ୍ରୁପ୍ ବଲ, ବ୍ୟାଟିଂ, ଓଭର ଓ ଇନିଂସକୁ ଧରି ମେସେଜ୍ ଆସିଥାଏ। ସେହି ମେସେଜ୍ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିଥାଏ। ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଲୋକ ବୁକି ସାଜନ୍ତି। ସେହି ଗ୍ରୁପରେ ବାଜି ଲାଗେ। ତୃତୀୟଟି ହେଲା ଏକ ନିର୍ଦ୍ଦିଷ୍ଟ ଅନଲାଇନ ଆପଲିକେସନ। ସ୍ବତନ୍ତ୍ର ଗ୍ରୁପର ସଦସ୍ୟ ହେବା ପରେ ଆଇଡି କୋଡ ମିଳୁଛି। କୋଡ ଜରିଆରେ ଆପକୁ ଆକ୍ଟିଭେଟ୍ କରି ସେହି ଅନଲାଇନ ବେଟିଂ କାରବାରରେ ନିଜକୁ ସାମିଲ କରୁଛନ୍ତି। ଏଥିପାଇଁ ମୁଖ୍ୟ ବୁକିକୁ କିଛି ନିର୍ଦ୍ଦିଷ୍ଟ ଆକାରରେ ଅର୍ଥ ଦେବାକୁ ପଡୁଛି। ନଚେତ ଅନଲାଇନ ଆପ ମାଧ୍ୟମରେ ଟଙ୍କା ଟ୍ରାନସଫର କରିଥାନ୍ତି। ଉକ୍ତ ଆପ ମାଧ୍ୟମରେ କେଉଁ ମ୍ୟାଚରେ କେଉଁ ଦଳ ବିଜୟୀ ହେବ ଏବଂ କେଉଁ ଓଭରରେ କେତେ ରନ୍ ହେବ ଏବଂ ୱିକେଟ୍ ଯିବ ନା’ ନାହିଁ ସେଥିରେ ବାଜି ଲାଗେ। ସେହିଭଳି ପ୍ରତି ଓଭରରେ ଚୌକା ଓ ଛକା ପାଇଁ ଡବଲ ବାଜି ବି ଲାଗିଥାଏ। ଏହା ବ୍ୟତୀତ ଅନ୍ୟ ଗୋଟିଏ ପ୍ରକାର ହେଲା ବୁକି ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ନମ୍ବର ମିଳିଥାଏ। ଏହି ନମ୍ବର ମ୍ୟାଚ ଅଧାରେ କିମ୍ବା ସରିବା ପରେ ଖୋଲାଯାଏ। ଯାହାକୁ ଯେଉଁ ନମ୍ବର ମିଳିଥାଏ ସେହି ନମ୍ବର ଅନୁଯାୟୀ ବାଜିରେ ଲାଗିଥିବା ଟଙ୍କା ମିଳେ। ଦୈନିକ ପ୍ରାୟ ୫୦ଲକ୍ଷ ଟଙ୍କାର ବାଜି ଲାଗୁଥିବା ସୂଚନା ମିଳିଛି।

ନବରଙ୍ଗପୁର ଓ ଉମରକୋଟରେ ଏମିତି ଜୁଆ ଖେଳ ଅଧିକ ପରିମାଣରେ ଚାଲିଛି। ଏହି ୨ସହରର କିଛି ବ୍ୟକ୍ତି ନିଜ ସହଯୋଗୀଙ୍କ ଜରିଆ ବେଧଡ଼କ ଚଳାଇଛନ୍ତି ଜୁଆର ସାମ୍ରାଜ୍ୟ। ୨ ବର୍ଷ ତଳେ ଉମରକୋଟ ସହରର ୨ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ତଥାପି ବନ୍ଦ ହୋଇପାରି ନାହିଁ ଏହି ବେଆଇନ କାରବାର। କମ ସମୟରେ ଅଧିକ ଟଙ୍କା ରୋଜଗାର ଲୋଭରେ ପଡି ଯୁବପିଢ଼ି ସର୍ବସ୍ବ ହରାଉଛନ୍ତି। କେବଳ ‌ଗୋଟିଏ ଫନ କଲରେ ଲକ୍ଷ ଲକ୍ଷ ଟଙ୍କାର ବେଟିଂ ହେଉଛି। ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଆଇପିଏଲ ଖେଳକୁ ନେଇ ଚାଲିଥିବା ଏହି ଜୁଆ ଖେଳ ଉପରେ ନଜର ରଖାଯାଇଛି। ଠିକଣା ସମୟରେ ପୁଲିସ ଉପଯୁକ୍ତ ପଦକ୍ଷେପ ନେବ ବୋଲି କହିଛନ୍ତି। ଅପରପକ୍ଷେ ନିର୍ବାଚନ ପ୍ରଚାର ଚାଲିଥିବାରୁ ପୂରା ପୁଲିସ ସେଥିରେ ବ୍ୟସ୍ତ ରହିଛି। ଏହାର ସୁଯୋଗ ନେଇ ବେଟିଂ ଭଳି ବେଆଇନ କାରବାର ଚାଲିଥିବା ଅଭିଯୋଗ ହୋଇଛି।