ଗ୍ରାମାଞ୍ଚଳରେ ଆଇପିଏଲ୍‌ ବେଟିଂ: ବାଜି ଲାଗୁଛି ୨ ହଜାରରୁ ଲକ୍ଷେ

ଚେର ଲମ୍ବିଛି ମୁମ୍ବାଇ, କୋଲକତା ଓ ଛତିଶଗଡ ଓ ଝାଡ଼ଖଣ୍ଡ, ପୁଲିସ ଭୂମିକା ସନ୍ଦେହ ଘେରରେ

ରାଉରକେଲା: ଚାଲିଛି ଆଇପିଏଲ୍‌ ମ୍ୟାଚ୍‌। ଏହାକୁ ନେଇ ବେଟିଂ ବା ଜୁଆ କାରବାର ବେଶ୍‌ ବୃଦ୍ଧି ପାଇଛି। କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ଲାଗୁଛି ବାଜି। ତା’ ପୁଣି ୨ ହଜାରରୁ ଲକ୍ଷେ ପର୍ଯ୍ୟନ୍ତ। ଗତ ଦୁଇଦିନ ତଳେ କୁଆରମୁଣ୍ଡା ଯମୁନାନାକିର ଏକ ଭଡା ଘରେ ଚାଲିଥିବା ଆଇପିଏଲ୍‌ ବେଟିଂର ପର୍ଦ୍ଦାଫାସ ହେବା ପରେ  ଏହି ବେଆଇନ କାରବାର ସାମ୍ନାକୁ ଆସିଛି। ଘଟଣାସ୍ଥଳରୁ ଜଣେ କି ଦୁଇ ଜଣ ନୁହେଁ ଗିରଫ ହୋଇଥିଲେ ୯ ଜଣ। ଏମାନଙ୍କ ନିକଟରୁ ୧୮ ଟି ଦାମି ମୋବାଇଲ, ଟାପଟେଲ୍‌ ଓ ଲାପଟପ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା।

ଗିରଫ ଯୁବକମାନେ ଥିଲେ ଛତିଶଗଡ ଦୁର୍ଗର। ସହରରେ ପୁଲିସର ଜୋରଦାର ଚଢ଼ଉ ପରେ ଏବେ ଗ୍ରାମାଞ୍ଚଳ ମୁହାଁ ହୋଇଛନ୍ତି ଜୁଆଡି। ସ୍ଥାନୀୟ ପୁଲିସକୁ ଚକ୍‌ମା ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅଧିକାଂଶ ସ୍ଥାନରେ ପୁଲିସ ଜାଣୁଥିଲେ ମଧ୍ୟ ନ ଜାଣିଲା ପରି ଚୁପ୍‌ ରହୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। କୋଲକତା, ଛତିଶଗଡ, ଝାଡ଼ଖଣ୍ଡ ଓ ମୁମ୍ବାଇରେ ଖେଳ ପରିଚାଳନା କରୁଥିବା କିଙ୍ଗପିନ୍‌ ନିର୍ଦ୍ଦେଶ ମୁତାବକ ସ୍ଥାନୀୟ ଜୁଆଡିମାନେ କାମ କରୁଛନ୍ତି।

ସେମାନଙ୍କୁ କିଙ୍ଗପିନ୍‌ମାନେ ମୋଟା ଅଙ୍କର କମିସନ୍‌ ଦେଉଛନ୍ତି। ଖେଳ ଚାଲୁଛି ଏମିତି। ‘ୱିକେଟ୍‌ ପିଛା ୫ ହଜାର ଲଗାଅ, ଜିତିବ ଲକ୍ଷେ। ବଲ୍‌ ପିଛା ୨ ହଜାର ଲଗାଅ, ଜିତିବ ୫୦ ହଜାର। ରନ୍‌ ପିଛା ୧ରୁ ୪ ହଜାର ଲଗାଅ, ଜିତିବ ୪୦ ହଜାରରୁ ଏକ ଲକ୍ଷ ଟଙ୍କା। ଦୈନିକ ଉଡୁଛି  ଲକ୍ଷ ଲକ୍ଷ  ଟଙ୍କା। କେବଳ ରାଉରକେଲା ସହର ନୁହେଁ, ନୂଆଗାଁ, ବିଶ୍ରା ଓ ଅନ୍ୟ ବ୍ଲକରେ ଜୋର୍‌ସୋର୍‌ରେ ଚାଲିଛି । ଏମାନଙ୍କୁ ସହାୟତା‌ କରୁଛନ୍ତି ରାଉରକେଲାର କୋଏଲନଗର, ନାଲା‌ରୋଡ, ପାନପୋଷ, ଝିରପାଣି ଓ ଟ୍ରାଫିକ ଗେଟ୍‌ ଅଞ୍ଚଳର କିଛି ଦଲାଲ। ଯେଉଁମାନେ ସହରର ଶିଳ୍ପପତି, ବ୍ୟବସାୟୀ ଓ କିଛି ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଜିତିବାର ଲୋଭ ଦେଖାଯାଉଛନ୍ତି।

ପରବର୍ତ୍ତୀ ସମୟରେ ‌ସେମାନଙ୍କ ନାଁରେ ଖୋଲୁଛନ୍ତି ଗୋଟିଏ ଲେଖାଏଁ ଆକାଉଣ୍ଟ (ଆଇଡି)। ଯେଉଁ ଆଇଡି ଜରିଆରେ ବଲିଂ, ୱିକେଟ୍‌, ଖେଳାଳୀ, ରନ୍‌, ବିଜେତା ଟିମ୍‌ , ଓଭର ପିଛା, ଛକା ଓ ଚୌକାରେ ଲାଗୁଛି ବାଜି। ଯେତିକି ଜିତୁଛନ୍ତି, ତା’ଠାରୁ ଢ଼େର ହାରୁଛନ୍ତି। ପ୍ରତ୍ୟେକ ଦିନ ଏଭଳି ବେଆଇନ ଖେଳ ଚାଲୁଥିଲେ ହେଁ ପୁଲିସ ତା’ର ଟେର ପାଉନି। ସବୁଠୁ ଆଶ୍ଚର୍ଯ୍ୟ କଥା ରାଇପୁର, କଳିକତାର କିଛି ଦଲାଲ ଆସି କୋଏଲନଗର ଓ ଝିରପାଣି ଅଞ୍ଚଳରେ ଭଡାରେ ରହୁଛନ୍ତି। ସେମାନଙ୍କୁ ସାହାଯ୍ୟ କରୁଛନ୍ତି ରାଉରକେଲାର କିଛି ଦଲାଲ। ଏମାନଙ୍କ ସହାୟତାରେ ରାଇପୁର ଓ କଲିକତାର ଆସିଥିବା ଦଲାଲମାନେ ଭରପୁର ଫାଇଦା ଉଠାଉଛନ୍ତି। ଜଣେ ଜଣେ ଦଲାଲ ବ୍ୟବହାର କରୁଛନ୍ତି ୧୫ରୁ ୨୦ଟି ମୋବାଇଲ। ଖେଳ ଆରମ୍ଭ ହେବା ମାତ୍ରେ ଅନ୍‌ ହୋଇଯାଉଛି ଏମାନଙ୍କ ‌ମୋବାଇଲ।

ଆରମ୍ଭ ହୋଇଯାଉଛି ଏମାନଙ୍କ ବୋଲି (ବାଜି)। ୩/ ୪ ଘଣ୍ଟା ପରେ ବାଜି ଲଗାଉଥିବା ଟଙ୍କା ସିଧାସଳଖ ରାଇୟପୁର, ମୁମ୍ବାଇରେ ରହୁଥିବା ରିଙ୍ଗ ମାଷ୍ଟରଙ୍କ ଆକାଉଣ୍ଟକୁ ଚାଲି ଯାଉଛି। ଦୈନିକ ଯେତିକି ଟଙ୍କା ରିଙ୍ଗ ମାଷ୍ଟର ଆକାଉଣ୍ଟକୁ ଯାଉଛି, ତା’ର  ପ୍ରାୟ ୧୦ରୁ ୧୫% ରାଉରକେଲାରେ ଦଲାଲଙ୍କ ଆକାଉଣ୍ଟକୁ ଆସି ଯାଉଛି। ଫଳରେ ମାଲେମାଲ୍‌ ହେଉଛନ୍ତି ବେଟିଂ ରିଙ୍ଗ ମାଷ୍ଟର ଓ ରାଉରକେଲାର କିଛି ଦଲାଲ। ସର୍ବସ୍ବାନ୍ତ ହେଉଛନ୍ତି ଲୋଭରେ ବଶବର୍ତ୍ତୀ ଖେଳାଳୀ। କିନ୍ତୁ ଏମାନଙ୍କ ଟେର୍‌ ପାଉନି ସ୍ଥାନୀୟ ପୁଲିସ। ଉଲ୍ଲେଖଯୋଗ୍ୟ, ଗତ ୨୦୧୯ରେ ପ୍ଲାଣ୍ଟସାଇଟ୍‌ ପୁଲିସ ରାଉରକେଲା ଡେଲିମାର୍କେଟ, ଆନନ୍ଦଭବନ ଲେନ୍‌ରେ ଜଣଙ୍କ ଘରେ ଚାଲିଥିବା ବଡଧରଣ ଆଇପିଏଲ୍‌ ବେଟିଂ ଉପରେ ଚଢ଼ଉ କରିଥିଲା। ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ, ତା’ର ସହଯୋଗୀ  ସମେତ ତାଙ୍କ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା। ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା।

ସମ୍ବନ୍ଧିତ ଖବର