ସମ୍ବଲପୁରରେ ଆଇପିଏଲ ବେଟିଂ, ୫ ଜଣ ଗିରଫ

ସମ୍ବଲପୁର : ଆଇପିଏଲ ସିଜିନ୍ ଆସିଲେ କ୍ରିକେଟ ପ୍ରେମୀଙ୍କ ଯେତିକି ଉତ୍ସାହ ବଢିଥାଏ ଆଇପିଏଲ ବେଟିଂ ଲଗାଉଥିବା ବୁକି ମାନଙ୍କର ବ୍ୟବସାୟ ମଧ୍ୟ ସେତିକି ସରଗରମ ହୋଇଉଠେ। ଏବେ ଆଇପିଏଲ-୨୦୨୧ ଚାଲିଛି। ବର୍ତ୍ତମାନ ଏହାକୁ ନେଇ ବେଧଡକ୍ ଭାବରେ ଚାଲିଛି ଆଇପିଏଲ ବେଟିଂ । ଆଇପିଏଲକୁ ନେଇ କୋଟି କୋଟି ଟଙ୍କାର ବାଜି ଲାଗୁଛି। ସମ୍ବଲପୁରରେ ମଧ୍ୟ ବେଧଡକ ଚାଲିଥିଲା ଏହି ଆଇପିଏଲ୍‌ ବେଟିଂ। ସମ୍ବଲପୁରରେ ଅନଲାଇନ୍ ଆପ୍ ମାଧ୍ୟମରେ ବେଟିଂ ଚାଲିଥିବା ବେଳେ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହା ସହିତ ବେଟିଂର ରାକେଟ ଚଳାଉ ଥିବା ୫ ଜଣ ଯୁବକଙ୍କୁ ସମ୍ବଲପୁର ପୁଲିସର ସ୍ବତନ୍ତ୍ର ଟିମ ଗିରଫ କରିଥିଲା।

ଏହି ବୁକିମାନେ ଟିଭିରେ ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ସହ ଅନ୍‌ଲାଇନ୍‌ରେ ବେଟିଂ ଲଗାଉଥିଲେ। ପୁଲିସ ଚଢ଼ଉ କରି ବୋଟିଂ ରାକେଟ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଅଇଁଠାପାଲିର ଶୁଭମ କୁମାର ସାହୁ(୨୨) ଓ ଝାରସୁଗୁଡ଼ା ରେଳ ପାଟକ ପାଖ ହରିଶ ସାହୁ(୩୫) ସମେତ ୫ ଜଣକୁ ଗିରଫ କରିଛି। ଶୁଭମ ଓ ହରିଶକୁ ପୁଲିସ ବୁଧବାର ଗିରଫ କରିଥିବା ବେଲେ ଗୁରୁବାର ଦିନ କୋର୍ଟ ଚାଲାଣ କରିଥିଲା। ପୁଲିସ ସେମାନଙ୍କଠାରୁ ୨ଟି ମୋବାଇଲ୍‌ ଫୋନ୍, ୧ ଲକ୍ଷ ୯୨ ହଜାର ଟଙ୍କା, ଗୋଟିଏ ବ୍ରେସଲେଟ୍‌ ଏବଂ ଏକ ସୁଜୁକି ବର୍ଗମ୍ୟାନ କାର୍‌(ଓଡି୧୫ଆର୍‌୩୬୧୭) ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ କିଛି ବୁକି ସମ୍ବଲପୁରରୁ ଲୋକଙ୍କ ଆଇଡି, ପାସ୍‌ଵାର୍ଡ ଜେନେରେଟ କରି ବେଟିଂ କରାଉଥିଲେ। ଏଥିରେ ବହୁତ ଟଙ୍କାର ଇନ୍‌ଭେଷ୍ଟ ହୋଇଥିବା ଏବଂ ଏଥିରେ ଅନେକ ଲୋକ ସାମିଲ ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ବୋଲି ସମ୍ବଲପୁର ଏସ୍‌ପି କହିଛନ୍ତି। ଏହାପରେ ସମ୍ବଲପୁର ପୁଲିସ ସ୍ବତନ୍ତ୍ର ଅପରେସନ୍‌ ଆରମ୍ଭ କରିଥିଲା। ପ୍ରଥମେ ପୁଲିସ ପକ୍ଷରୁ ଆଇଡି ଖୋଲି ବୁକିମାନଙ୍କୁ ଧରିବାରେ ସଫଳ ହେଲୁ ବୋଲି ଏସ୍‌ପି କହିଥିଲେ। ସମ୍ବଲପୁର ପୋଲିସ ତିନୋଟି ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଥିଲା । ତେବେ ପୋଲିସ ତା’ର ତଦନ୍ତ ସମୟରେ ଆଇପିଏଲ ବେଟିଂ ରାକେଟର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥିରେ ଆହୁରି ଅନେକ ଲୋକ ସାମିଲ ଅଛନ୍ତି ବୋଲି ଏସ୍‌ପି କହିବା ସହ ସେମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରହିଥିବା କହିଛନ୍ତି। ସମସ୍ତଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି। ଟାଉନ୍‌ ଥାନାଧିକାରୀ ରମେଶ ଦୋରାଙ୍କ ତତ୍ତ୍ବାବଦାନରେ ସମ୍ବଲପୁର ସ୍ପେସାଲ ସ୍କ୍ବାଡ ସହାୟତାରେ ଏହି ଚଢ଼ଉ କରାଯାଇଥିଲା। ଏହା ସହିତ ୭ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି, ଯେଉଁଥିରେ ୪୦ ଲକ୍ଷ ୧୦ ହଜାର ୭ ଶହ ୪୬ ଟଙ୍କା ଥିଲା।

ସମ୍ବନ୍ଧିତ ଖବର