ଆଇପିଏଲ୍ ବେଟିଂ: ଜଣେ ଗିରଫ; ୩.୮୮ଲକ୍ଷ ଟଙ୍କା ଓ ୩ଟି ସୁନାହାର ଜବତ

ନବରଙ୍ଗପୁର : ନବରଙ୍ଗପୁର ସହରରେ ଦୀର୍ଘବର୍ଷର ବ୍ୟବଧାନ ପରେ ପୁଣି ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ଏହି ଆଡ୍ଡାରେ ଚଢ଼ଉ ହୋଇଛି। ଜଣଙ୍କୁ ଗିରଫ କରାଯିବା ସହ ୩ଲକ୍ଷ ୮୮ହଜାର ଟଙ୍କା, ୩ଟି ସୁନାହାର, ୪ଟି ମୋବାଇଲ ଫୋନ୍ ପୁଲିସ ଜବତ କରିଛି। ଏଥିରେ ସଂପୃକ୍ତ ଅନ୍ୟ ୫ଜଣ ଫେରାର ହୋଇଯାଇଥିବା ପୁଲିସ କହିଛି।

ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ନବରଙ୍ଗପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ନବରଙ୍ଗପୁର ସହରରେ ଆଇପିଏଲ୍ ବେଟିଂ ଚାଲୁଥିବା ନେଇ ସୂଚନା ମିଳିଥିଲା। ପରେ ନବରଙ୍ଗପୁର ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ଆଜି ଅପରାହ୍ନରେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଭଗବତୀ ସାହି ଠାରେ ଏକ ସ୍ଥାନରେ ଅତର୍କିତ ଚଢ଼ଉ କରାଯାଇଥିଲା। ସେଠାରୁ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଅନ୍ୟମାନେ ଖସି ପଳାଇଥିଲେ। ତେବେ ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଏସ୍‌ପି କହିଛି। ଏହି ଖେଳରେ ସମ୍ପୃକ୍ତ ଯୁବକଙ୍କ ଠାରୁ ନଗଦ ୩ଲକ୍ଷ ୮୮ହଜାର ଟଙ୍କା, ୩ଟି ସୁନାହାର, ୪ଟି ମୋବାଇଲ ଫୋନ୍ ଜବତ କରାଯାଇଛି।

ଏମାନେ ଏକ ସ୍ବତନ୍ତ୍ର ଆପ୍ ମାଧ୍ୟମରେ ଆଇପିଏଲ୍‌ରେ ଚାଲିଥିବା ଖେଳରେ ବେଟିଂ କରୁଥିଲେ। ନିରୀହ ବ୍ୟକ୍ତିଙ୍କୁ ଅଧିକ ଅର୍ଥ ମିଳିବାର ଲୋଭ ଦେଖାଇ ଏହି ବେଟିଂରେ ସାମିଲ କରୁଛନ୍ତି। ପୁଲିସ ଏହାର ତଦନ୍ତ ଜାରି ରଖିଛି। ସହର ଓ ଜିଲ୍ଲାରେ ଆଇପିଏଲ୍ ବେଟିଂରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଧରାଯିବ ଏବଂ ପୂରା ନେଟୱର୍କକୁ ଚଳାଉଥିବା ମୁଖ୍ୟ ଅଭିଯୁକ୍ତକୁ ବି ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କହିଥିଲେ। ଏ ନେଇ ଥାନାରେ କେସ୍ ନଂ-୧୬୯/୨୧ରେ ଏକ ମାମଲା ରୁଜୁ ହୋଇଛି। ଏହି ଚଢ଼ଉରେ ଅତିରିକ୍ତ ଥାନା ଅଧିକାରୀ ପ୍ରମିଳା ବିଡ଼ିକା, ଏସ୍.ଲୁଗୁନ, ଏସ୍‌ଆଇ ରାକେଶ ବେହେରା, କ୍ଷୀରସିନ୍ଧୁ ସାହୁ, ରାମାନନ୍ଦ ପ୍ରଧାନ, ଏଚ.ମାଝୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର