ଆଇପିଏଲ୍‌ ବେଟିଂ ରାକେଟର ଚେର‌ ଦିଲ୍ଲୀ-ମୁମ୍ବାଇ-ଦୁବାଇ ଯାଏ ଲମ୍ବିଛି

ଅନ୍ତର୍ଜାତୀୟ ବୁକି ଲାଲି, ପ୍ରଶାନ୍ତ ଗିରଫ, ଜବତ ହେଲା ୩୩.୬୧ ଲକ୍ଷ ଟଙ୍କା

ଫେରାର୍‌ ସହଯୋଗୀ, ଏଜେଣ୍ଟ୍‌ଙ୍କୁ ଖୋଜୁଛି ପୁଲିସ
ଏଜେଣ୍ଟ୍‌ଙ୍କ ଜରିଆରେ ଅନ୍‌ଲାଇନ୍‌ରେ କାରବାର

ବ୍ରହ୍ମପୁର : ଧରିବା ଏତେ ସହଜ ନ ଥିଲା। ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ରାକେଟ୍‌ ଏବେ ନୁହେଁ, ଗଲା କିଛି ବର୍ଷ ଭିତରେ ଯୁବ ପିଢ଼ିଙ୍କୁ ଏହାର ଜାଲରେ ଫସାଇ ଦେଇଛି। କିଛି ସଟ୍ଟାବାଜ୍‌ ଯୁବକଙ୍କୁ ଧରି ରୁଦ୍ଧଦ୍ବାର ଜେରା ପରେ ଶେଷରେ ଗତକାଲି ବ୍ରହ୍ମପୁର ପୁଲିସକୁ ମିଳିଥିଲା ବଡ଼ ସଫଳତା। ଦିଲ୍ଲୀ, ମୁମ୍ବାଇ, କୋଲକାତା ଏଭଳିକି ଦୁବାଇ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ସଟ୍ଟା କାରବାରର ଲିଙ୍କ୍‌ ବଢ଼ାଇଥିବା ବିଶାଳ ବେଟିଂ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ପୁଲିସ। ଏହି ରାକେଟ୍‌ ଚଳାଇଥିବା ଦୁଇ ଜଣ ପୁରୁଣା ଅନ୍ତର୍ଜାତୀୟ ବୁକିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେ ଦୁହେଁ ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ଗଣେଶ ନଗର ତୃତୀୟ ଲାଇନ୍‌ର ଆର୍‌.ଲାଲି ଆଚାରୀ(୫୦) ଓ ଗାନ୍ଧୀନଗର ସାଇ କମ୍ପ୍ଲେକ୍ସର କେ.ପ୍ରଶାନ୍ତ କୁମାର ସୁବୁଦ୍ଧି(୪୩) ବୋଲି ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍‌ ଡିଆଇଜି ସତ୍ୟବ୍ରତ ଭୋଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୩୩ ଲକ୍ଷ ୬୧ହଜାର ୨୦୦ଟଙ୍କା, ୪ଟି ମୋବାଇଲ୍‌ ଫୋନ୍‌ ଏବଂ ୩ଟି ଏଟିଏମ୍‌ କାର୍ଡ଼ ଜବତ ହୋଇଛି। ଏହି ରାକେଟ୍‌ର ଆହୁରି ଅନେକ ସବ୍‌ ବୁକି, କିଛି ଏଜେଣ୍ଟ୍‌ ଓ ସହଯୋଗୀ ସଂପୃକ୍ତ ଥିବା ଓ ଫେରାର୍‌ ହୋଇ ଯାଇଥିବା ଡିଆଇଜି କହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ପୂରା ଅପରେସନ୍‌ର ନେତୃତ୍ବ ନେଇଥିବା ବ୍ରହ୍ମପୁର ଏସ୍‌.ପି. ପିନାକ୍‌ ମିଶ୍ର ସୂଚନା ଦେଇଛନ୍ତି। ଲାଲି ହିଁ ଏହି ରାକେଟ୍‌ର କିଙ୍ଗପିନ୍‌ ବୋଲି ପୁଲିସ କହିଛି।

ଆଇପିଏଲ୍‌ ଆରମ୍ଭ ହେବା ଦିନଠାରୁ ବ୍ରହ୍ମପୁରରେ ଅନ୍‌ଲାଇନ୍‌ ବେଟିଂ ଆରମ୍ଭ ହୋଇ ଯାଇଥିଲା। ବିଗତ ବର୍ଷ ମାନଙ୍କରେ ବ୍ରହ୍ମପୁର ସହରରେ ଏଭଳି ବହୁ ବେଟିଂ କାରବାର ପର୍ଦ୍ଦାଫାସ୍‌ ହୋଇଛି। ତେଣୁ ବ୍ରହ୍ମପୁର ପୁଲିସ ଏଥର ମଧ୍ୟ ଏହି ରାକେଟ୍‌ର କାର୍ଯ୍ୟଧାରା ଉପରେ ନଜର ରଖିଥିଲା। ଗୋସାଇଁ ନୂଆଗାଁ ଥାନା ଇଲାକାର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଏହି କାରବାର ଅପରେଟ୍‌ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଅନ୍‌ଲାଇନ୍‌ରେ ଏହି କାରବାର ହେଉଥିବାରୁ ପୁଲିସକୁ ତଦନ୍ତରେ ଢେର୍‌ ସମୟ ଲାଗିଥିଲା। କିଛି ଏଜେଣ୍ଟ୍‌ ଓ ସଟ୍ଟାବାଜ୍‌ଙ୍କୁ ଟ୍ରାକ୍‌ କରିବା ପରେ ଶେଷରେ ବ୍ରହ୍ମପୁର ପୁଲିସକୁ ଏହି ବଡ଼ ସଫଳତା ମିଳିଲା। ବ୍ରହ୍ମପୁରରୁ ଲାଲି ଓ ପ୍ରଶାନ୍ତ ବେଟିଂ କାରବାର ଅପରେଟ୍‌ କରି ଜିଲ୍ଲା ସହିତ ବିଭିନ୍ନ ଅଞ୍ଚଳରେ ତାଙ୍କର ‌ଏଜେଣ୍ଟ୍‌ ରଖିଥିଲେ। ସେହି ଏଜେଣ୍ଟ୍‌ଙ୍କ ଜରିଆରେ ଅନ୍‌ଲାଇନ୍‌ ଜରିଆରେ ବିଭିନ୍ନ ପ୍ରକାର ୱେବ୍‌ସାଇଟ୍‌ରେ କ୍ରିକେଟ୍‌ ମ୍ୟାଚ୍‌, ଫଳାଫଳ, ବୋଲର୍, ବ୍ୟାଟସ୍‌ମ୍ୟାନ୍‌, ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ନେଇ ଟଙ୍କା ବାଜି ଲଗାଉଥିଲେ। ଏମିତିକି କେବଳ ହାର୍‌ଜିତ ନୁହେଁ, ପ୍ରତ୍ୟେକ ବଲ୍‌, ଛକା, ଚୌକା, ଓ୍ୱିକେଟ୍‌କୁ ନେଇ‌ ମଧ୍ୟ ବାଜି ଲାଗୁଥିଲା ବୋଲି ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି। ଦୀର୍ଘଦିନ ହେଲା ଏହି ଦୁଇ ଜଣ ବୁକି ଏଭଳି କାରବାର ଜାରି ରଖିଥିଲେ। କୋଲକାତା, ମୁମ୍ବାଇ, ଦିଲ୍ଲୀ ଏବଂ ଦୁବାଇ ପର୍ଯ୍ୟନ୍ତ ଏମାନଙ୍କର ଲିଙ୍କ୍‌ ରହିଥିବା ନେଇ କେତେକ ବଳିଷ୍ଠ ପ୍ରମାଣ ମିଳିଥିବା ଡିଆଇଜି ସୂଚନା ଦେଇଛନ୍ତି। ତେବେ ଏମାନଙ୍କ ସଂପର୍କରେ ଆଉ କେଉଁମାନେ ରହିଛନ୍ତି ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ କହିଛି। ଆଇପିଏଲ୍‌ ବେଟିଂ ରାକେଟ୍‌ ଏକ ବିଶାଳ ଗ୍ୟାଙ୍ଗ୍‌। ବ୍ରହ୍ମପୁରରୁ ଅପରେଟ୍‌ କରୁଥିବା ଗୋଟିଏ ଗୋଷ୍ଠୀ ଏବେ ଧରା ପଡ଼ିଛନ୍ତି। ଅନ୍ୟ ଗୋଷ୍ଠୀଙ୍କ ଉପରେ ନଜର ରଖାଯାଇଛି। ଖୁବ୍‌ ଶୀଘ୍ର ସେମାନେ ମଧ୍ୟ ଧରାପଡ଼ିବେ ବୋଲି ପୁଲିସ କହିଛି।

ଏ ସଂକ୍ରାନ୍ତରେ ଗୋସାଇଁ ନୂଆଗାଁ ଥାନାରେ କେସ୍ ନମ୍ବର ୧୪୧/୨୦ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଆଇପିଏଲ୍‌ ବେଟିଂ କାରବାରର ଏହା ଓଡ଼ିଶାର ସବୁଠାରୁ ବଡ଼ ରାକେଟ୍‌ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର