ବ୍ରହ୍ମପୁର: ଭାରତର କ୍ରିକେଟ୍ ପର୍ବ ଭାବେ ପରିଚିତ ଆଇପିଏଲ୍(ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍)ର ୧୫ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଉଦ୍ଘାଟନୀ ସନ୍ଧ୍ୟାରେ ଗତଥରର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ ଓ ଉପବିଜେତା କଲିକତା ନାଇଟ୍ ରାଇଡ଼ର୍ସ୍ ମୁହାଁମୁହାଁ ହେବେ। ମୋଟ ୧୦ଟି ଟିମ୍କୁ ନେଇ ଏହି ପ୍ରତିଯୋଗିତା ଆଗାମୀ ୨ମାସ ଧରି ଚାଲିବ। ଏଥିପାଇଁ କେବଳ ଭାରତ ନୁହେଁ ସମଗ୍ର ବିଶ୍ବ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି।
ଆଇପିଏଲ୍ ଆସିଲେ କ୍ରିକେଟ୍ ମନୋରଞ୍ଜନ ଯେତିକି ବଢ଼ିଥାଏ ଏହାକୁ ନେଇ ଆସାଧୁ କାରବାର ମଧ୍ୟ ସେତିକି ବଢ଼ିଥାଏ। ବିଶେଷ କରି ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବେଟିଂ ବଜାର ଚଳଚଞ୍ଚଳ ରହିଥାଏ। ବଡ଼ ବଡ଼ ବ୍ୟବସାୟୀ, ରାଜନେତା ଓ ଧନିକ ଶ୍ରେଣୀର ଲୋକେ ଏହି ବେଟିଂ ବଜାରକୁ ନିୟନ୍ତ୍ରଣ କରିଥାନ୍ତି। ରାତାରାତି କୋଟି କୋଟି ଟଙ୍କା ଉପାର୍ଜନ ଲୋଭରେ ଯୁବବର୍ଗଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ମତୁଆଲା ହୋଇଥାନ୍ତି। ଅଧିକାଂଶ ଏହି ବେଟିଂରେ ନିଜର ସର୍ବଶ୍ବ ହରାଇ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେବାକୁ ମଧ୍ୟ ପଛାଇ ନଥାନ୍ତି। ପୁଲିସ୍ ଏଦିଗରେ ଯେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏହାକୁ ରୋକିବାରେ ସଫଳ ହୋଇପାରି ନାହିଁ। ବରଂ ଏହାର ଚେର ମାଡ଼ି ଚାଲୁଛି।
ରାଜ୍ୟରେ ଆଇପିଏଲ୍ ବେଟିଂ କଥା ଉଠିଲେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ସହରର ନାମ ଆଗକୁ ଆସେ। କାରଣ ଏଠାରୁ ହିଁ ସମଗ୍ର ଦକ୍ଷିଣ ଓଡ଼ିଶାର ବେଟିଂ କାରବାରକୁ ନିୟନ୍ତ୍ରଣ କରାଯାଇଥାଏ। ଏଥର ମଧ୍ୟ ଆଇପିଏଲ୍ ଆରମ୍ଭ ସହ ବେଟିଂ ବଜାର ଚଳଚଞ୍ଚଳ ହୋଇ ଉଠିଛି। ଉଭୟ ଅଫ୍ଲାଇନ ଓ ଅନ୍ଲାଇନ ମାଧ୍ୟମରେ ବେଟିଂ କାରବାର ହେଉଥିବା ଜଣାପଡ଼ିଛି। ଚା ଖଟି, ବଜାର ଓ ଛକ ଗୁଡ଼ିକ ଅଫ୍ଲାଇନ ବେଟିଂର ମାଧ୍ୟମ ପାଲଟିଛି। ସେହିପରି ଫେସ୍ବୁକ୍, ହ୍ବାଟ୍ସ୍ଆପ ଓ ଟେଲିଗ୍ରାମ୍ ଗ୍ରୁପ୍ ଅନ୍ଲାଇନ୍ ବେଟିଂର ମାଧ୍ୟମ ପାଲଟିଛି। ୧୦୦ ଟଙ୍କା ଠାରୁ ଆରମ୍ଭ ହୋଇ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେଟିଂ ଲଗାଯାଉଛି। ଟସ୍, ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଓ ମ୍ୟାଚ୍ ଫଳାଫଳ ଉପରେ ଏହି ବେଟିଂ ଲଗାଯାଉଛି। କ୍ରିକେଟ୍ ସଂପର୍କରେ ସାମାନ୍ୟତମ ଜ୍ଞାନ ନଥିବା ଲୋକେ ମଧ୍ୟ ସହରରେ ଏହି ବେଟିଂରେ ଭାଗ ନେଉଥିବା ଜଣାପଡ଼ିଛି।
ବ୍ରହ୍ମପୁର ସହରରେ ଆଇପିଏଲ୍ ବେଟିଂର କିଙ୍ଗ୍ପିନ୍ କୁହାଯାଉଥିବା ହାଉସିଂ ବୋର୍ଡ଼ ଅଞ୍ଚଳର ଲାଲି ଆଚାରୀ ଓ ତାର ସହଯୋଗୀ ପ୍ରଶାନ୍ତ ସୁବୁଦ୍ଧିକୁ ବ୍ରହ୍ମପୁର ପୁଲିସ ଗତବର୍ଷ ଗିରଫ କରିଥିଲା। ତାଙ୍କ ଠାରୁ ମୋବାଇଲ୍ ଓ କମ୍ପ୍ୟୁଟର୍ ସହ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଗ୍ୟାଙ୍ଗ୍ରେ ସଂପୃକ୍ତ ଥିବା ସମସ୍ତଙ୍କୁ ଧରାଯିବ ବୋଲି ସେତେବେଳେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଥିଲେ। ସେ ସମୟରେ ବ୍ରହ୍ମପୁର ଏସ୍.ପି ନିଜେ ଏହି ଟିମ୍ର ଦାୟିତ୍ବ ନେଇଥିଲେ। ଲାଲି ୨୦୧୦ରୁ ଆଇପିଏଲ୍ ବେଟିଂ ଆରମ୍ଭ କରିଥିଲା। କ୍ରମଶଃ ବେଟିଂ ସାମ୍ରାଜ୍ୟ ବିସ୍ତାର କରି ସମଗ୍ର ଗଞ୍ଜାମ ଜିଲ୍ଲାକୁ ନିୟନ୍ତ୍ରଣ କରିଥିଲା। ଏପରିକି ରାଜ୍ୟ ବାହାରେ ଅର୍ଥାତ୍ ବିଶାଖପାଟଣାମ୍, କଲିକତା, ମୁମ୍ବାଇ ଏବଂ ଦିଲ୍ଲୀର ବେଟିଂ କିଙ୍ଗ୍ପିନ୍ଙ୍କ ସହ ଲିଙ୍କ୍ ଥିଲା। ଲାଲିର ଗିରଫ ପରେ ସହରରେ ଏବେ ନୂତନ କିଙ୍ଗ୍ପିନ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ନୂତନ କିଙ୍ଗ୍ପିନ୍ ଜରିଆରେ ସହରରେ ବେଟିଂ ଚାଲିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ପରି ପୁଲିସ ଏଦିଗରେ କଡ଼ା ନଜର ରଖିଲେ ଏହି ବେଆଇନ କାରବାରକୁ ରୋକାଯାଇପାରିବ ବୋଲି ମତ ପ୍ରକାଶ ପାଇଛି।
ଆଜିଠୁ ଆଇପିଏଲ୍, ବେଟିଂ ବଜାର ଚଳଚଞ୍ଚଳ ବ୍ରହ୍ମପୁରରେ ନୂଆ କିଙ୍ଗପିନକୁ ନେଇ ଚର୍ଚ୍ଚା
/sambad/media/post_attachments/wp-content/uploads/2022/02/tata-ipl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)