ଆଇପିଏସ୍‌ ହିମାଂଶୁ ଲାଲଙ୍କୁ ନେଇ ଚର୍ଚା: ରିପୋର୍ଟ ଦେଇ ଫେରାଇ ନେଲେ

ଭୁବନେଶ୍ୱର: କମିସନରେଟ୍‌ ପୁଲିସର ପୂର୍ବତନ ଡିସିପି ତଥା ଆଇପିଏସ୍‌ ହିମାଂଶୁ ଲାଲଙ୍କୁ ନେଇ ପୁଣି ଥରେ ପୁଲିସ ମହଲରେ ଚର୍ଚା ଜୋର ଧରିଛି। ଏକ ସପ୍ତାହ ତଳେ ଆଇପିଏସ୍‌ ଲାଲ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରି ପୁଲିସ ମୁଖ୍ୟାଳୟରେ ଜଏନିଂ ରିପୋର୍ଟ ଦେଇଥିଲେ। ତାଙ୍କୁ ଡିଆଇଜି ଭାବେ ନିଯୁକ୍ତି ପ୍ରଦାନ କରିବାକୁ ପୁଲିସ ବିଭାଗ ପକ୍ଷରୁ ଆପାତତଃ ସ୍ଥିର ହୋଇ ଯାଇଥିଲା। କିନ୍ତୁ ଗତକାଲି ସେ ପୁଣି ଥରେ ଜଏନିଂ ରିପୋର୍ଟ ଫେରାଇ ନେଇ କେନ୍ଦ୍ରୀୟ ଡେପୁଟେସନ୍‌ରେ ଚାଲିଯିବାକୁ ଚାହିଁଛନ୍ତି। ଆଇପିଏସ୍‌ ଲାଲଙ୍କ ହଠାତ୍‌ ଏଭଳି ନିଷ୍ପତ୍ତି ପରିବର୍ତନକୁ ନେଇ ପୁଲିସ ମହଲରେ ଚର୍ଚା ଜୋର ଧରିଛି। ୨୦୦୩ ବ୍ୟାଚର ଆଇପିଏସ୍‌ ଲାଲ କମିସନରେଟ୍‌ ପୁଲିସରେ ୨୦୦୮ ମସିହାରେ ଯୋଗ ଦେଇଥିଲେ। ୨୦୧୨ ନଭେମ୍ବର ମାସରେ ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଚାଲି ଯାଇଥିଲେ। ସେ କେନ୍ଦ୍ର ସରକାରଙ୍କ ରାଜସ୍ୱ ପରିଚଳାନ ବିଭାଗର ଯୁଗ୍ମ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଚଳିତ ମାସ ୧ ତାରିଖରେ ସେ କେନ୍ଦ୍ରୀୟ ଡେପୁଟେସ୍‌ନରୁ ଫେରି ଓଡ଼ିଶା ପୁଲିସରେ ଯୋଗ ଦେବା କଥା। ନିୟମ ଅନୁଯାୟୀ ସେ ପୁଲିସ ମୁଖ୍ୟାଳୟରେ ଜଏନିଂ ରିପୋର୍ଟ ଦେଇଥିଲେ। କିନ୍ତୁ ହଠାତ ଦୁଇ ଦିନ ତଳେ ପୁଣି ଥରେ ତାଙ୍କ ଜଏନିଂ ରିପୋର୍ଟ ଫେରାଇ ନେଇଛନ୍ତି। ତେବେ ଏହା ପଛରେ କାରଣ କ’ଣ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ।

ସମ୍ବନ୍ଧିତ ଖବର