ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟ

କଟକ : ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଜାତୀୟ ପୁଲିସ ଏକାଡେମିରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଶ୍ରୀ ଅଭୟ ଆଜି କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ସମାଜର ଦୁର୍ବଳ ଶ୍ରେଣୀ, ବିଶେଷ ଭାବେ ମହିଳାଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି। ମହିଳାଙ୍କ ଉପରେ ଘଟୁଥିବା ଅପରାଧର ତ୍ବରିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମାନଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି କରାଯିବା ନେଇ କହିଛନ୍ତି ଶ୍ରୀ ଅଭୟ।

ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ଅନ୍ତଃରୀଣ ଡିଜି ସତ୍ୟଜିତ ମହାନ୍ତିଙ୍କଠାରୁ ନୂଆ ଡିଜି ଶ୍ରୀ ଅଭୟ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର‌୍‌ ପ୍ରଦାନ କରାଯାଇଥିଲା। ଶ୍ରୀ ଅଭୟ କହିଛନ୍ତି ଯେ ‘ମୋ ସରକାର’ କାର୍ଯ୍ୟକ୍ରମ ଓ ୫ଟି ମନ୍ତ୍ରକୁ ପୁଲିସ ବିଭାଗରେ ସଫଳତାର ସହିତ ପ୍ରୟୋଗ କରି କାର୍ଯ୍ୟ କରାଯିବ। ଅଭିଯୋଗକାରୀଙ୍କ ସହିତ ଭଲ ବ୍ୟବହାର କରିବା ସହିତ ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନକ୍ସଲ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସ ଅତୀତରେ ଅନେକ ସଫଳତା ପାଇଛି। ଭବିଷ୍ୟତରେ ମଧ୍ୟ ସେହି କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରି ଓଡ଼ିଶାରେ ନକ୍ସଲ ପ୍ରଭାବ ଓ କାର୍ଯ୍ୟକ୍ରମକୁ ସୀମିତ କରାଯିବ। ରାଜ୍ୟରେ ଘଟୁଥିବା ସ˚ଗଠିତ ଅପରାଧ ଓ ମାଫିଆ ରାଜକୁ ଦୃଢ଼ ହସ୍ତରେ ଦମନ କରାଯିବ। ଅପରାଧ ତଦନ୍ତର ମାନ ବୃଦ୍ଧି କରାଯାଇ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଁ ଧ୍ୟାନ ଦିଆଯିବ ବୋଲି ଶ୍ରୀ ଅଭୟ ସୂଚନା ଦେଇଛନ୍ତି।

୧୯୮୬ ବ୍ୟାଚର ଆଇପିଏସ୍‌ ଅଫିସର ଶ୍ରୀ ଅଭୟ ବିହାରର ପୂର୍ବ ଚମ୍ପାରନ ଜିଲ୍ଲାର ମୂଳ ବାସିନ୍ଦା। ଚାକିରି କାଳରେ ସେ ମୟୂରଭଞ୍ଜ, ବ୍ରହ୍ମପୁର, ମାଲକାନଗିରି ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ୨୦୦୦ରୁ ୨୦୦୩ ମସିହା ପର୍ଯ୍ୟନ୍ତ ସିବିଆଇର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ କାର୍ଯ୍ୟ କରିଛନ୍ତି। ଏହାପରେ ସେ ରାଜ୍ୟ ଭିଜିଲାନ୍ସରେ ଡିଆଇଜି, ଆଇଜି ଓ ପୁଲିସ ମୁଖ୍ୟାଳୟର ଆଇଜି(ଅର୍ଥ) ଭାବେ ସଫଳତାର ସହି କାର୍ଯ୍ୟ କରିଛନ୍ତି। ୨୦୦୭ ସେପ୍ଟେମ୍ବର ୮ ତାରିଖରୁ ୨୦୦୯ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଦୁଇ ବର୍ଷ କମନ୍‌ୱେଲଥ ଫଣ୍ତ ଅଫ୍‌ ଟେକନିକାଲ୍‌ କୋଅପରେସନ୍‌ ଅନ୍ତର୍ଗତ ଇକୋନମିକ ଆଣ୍ତ ଫାଇନାନ୍ସ କ୍ରାଇମ୍‌ କମିସନ ରିସର୍ଚ୍ଚ ଆଣ୍ତ ଟ୍ରେନି˚ ଇନ୍‌ଷ୍ଟିଚ୍ୟୁଟ୍‌, ନାଇଜେରିଆରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ସେ ରାଜ୍ୟ ପୁଲିସ ବିଭାଗକୁ ଫେରି ପୁଲିସ ମୁଖ୍ୟାଳୟରେ ଆଇଜି(ପ୍ରଶାସନ), ଆଇଜି ସିଆଇଡି, କ୍ରାଇମ୍‌ବ୍ରାଞ୍ଚ, ଅତିରିକ୍ତ ଡିଜି ସିଆଇଡି, ଅତିରିକ୍ତ ନିର୍ଦ୍ଦେଶକ(ଆଇନ ଶୃଙ୍ଖଳା), ଅତିରିକ୍ତ ଡିଜି(ପର୍ସୋନେଲ୍‌), ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ, ସରକାରୀ ଛାପାଖାନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ପରେ ଶ୍ରୀ ଅଭୟ କେନ୍ଦ୍ରୀୟ ଡେପୁଟେସନରେ ଯାଇ ନୂଆଦିଲ୍ଲୀ ବିପିଆର‌୍‌ ଆଣ୍ତ ଡିରେ ଅତିରିକ୍ତ ଡିଜି, ସିଆର‌୍‌ପିଏଫ୍‌ରେ ଅତିରିକ୍ତ ଡିଜି(ପ୍ରଶିକ୍ଷଣ) ଭାବେ କାର୍ଯ୍ୟ ସମ୍ପାଦନ କରି ୨୦୧୮ ଜାନୁଆରି ୧ ତାରିଖରୁ ୨୦୧୮ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋର ଡିଜି ଏବ˚ ୨୦୧୯ ଜୁଲାଇ ୧୭ ତାରିଖରୁ ହାଇଦ୍ରାବାଦଠାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଜାତୀୟ ପୁଲିସ ଏକାଡେମିରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି।

ସମ୍ବନ୍ଧିତ ଖବର