ଗରିବ ଛାତ୍ରଙ୍କୁ ମାଗଣାରେ ବହି ବାଣ୍ଟୁଛନ୍ତି ଜମ୍ମୁକାଶ୍ମୀରରେ ଥିବା ଏହି ଓଡ଼ିଆ ଆଇପିଏସ ଅଫିସର

ଭୁବନେଶ୍ୱର: ବଦଳୁଛି ଦୁନିଆ, ଏହା ସହ ବଦଳୁଛି ପାଠ ପଢାର ମାଧ୍ୟମ | ଦିନକୁ ଦିନ ଇ-ଲାଇବ୍ରେରୀ ସାଙ୍ଗକୁ ଆଧୁନିକ ଶ୍ରେଣୀ କକ୍ଷ ପିଲାଙ୍କ ପାଠ ପଢାର ମାଧ୍ୟମକୁ ନୂଆ ଦିଗ ଦେଇଛି | ଏହାରି ଭିତରେ ବି ବହି ନିଜର ଗୁରୁତ୍ୱ ହରାଇନି | ବରଂ ବହିରେ ଥିବା ଏମିତି ଅନେକ ତଥ୍ୟ ଶିକ୍ଷାର ଆଲୋକ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି | ଅନ୍ୟପଟେ ଜମ୍ମୁକାଶ୍ମୀର ଭଳି ରାଜ୍ୟରେ ଯେଉଁଠି ଛାତ୍ରଛାତ୍ରୀମାନେ ବହି ଖଣ୍ଡେ କିଣି ପଢିପାରୁନାହାନ୍ତି, ସେମାନଙ୍କୁ ଏବେ ବହି ଯୋଗାଇ ଶିକ୍ଷାର ବିସ୍ତାର କରିବାକୁ ଅଣ୍ଟା ଭିଡିଛନ୍ତି ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ | ଓଡ଼ିଶାରେ ଜନ୍ମ ହୋଇଥିଲେ ବି ନିଜର ମହତ ସେବା ପାଇଁ ଜମ୍ମୁକାଶ୍ମୀରର ଯୁବପିଢିଙ୍କ ପାଇଁ ଆଦର୍ଶ ସାଜିଛନ୍ତି ଏହି ଓଡ଼ିଆ ପୁଅ | ଜଣେ ଦକ୍ଷ ପୁଲିସ ଅଫିସର ଭାବେ ସାରା ଭାରତରେ ଚର୍ଚ୍ଚିତ ଏହି ଅଫିସର ଏବେ ବହି ବାଣ୍ଟି ଅନେକ ଯୁବପିଢିଙ୍କ ହୃଦୟ ଜିତୁଛନ୍ତି | ଯେଉଁଥିପାଇଁ ଏବେ ଆଇପିଏସ ବସନ୍ତ ରଥଙ୍କୁ ସମସ୍ତେ ‘ବୁକ ଵାଲେ ବାବା’ ନାମରେ ଡାକିବା ଆରମ୍ଭ କରିଦେଇଛନ୍ତି |

Photo-Indian express

କାଶ୍ମୀରରେ ଯେତେବେଳେ ପୁଲିସ ଅଧିକାରୀମାନେ ସୁରକ୍ଷାକର୍ମୀଙ୍କ ଗହଣରେ ଥାଆନ୍ତି ସେତେବେଳେ ଏକୁଟିଆ ବସନ୍ତ ରଥଙ୍କୁ ଦେଖିବାକୁ ମିଳିଥାଏ | ଜମ୍ମୁକାଶ୍ମୀରର ଗରିବ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ପାଇଁ ବହି ଦେଇଥାନ୍ତି ବସନ୍ତ ରଥ | ନିଟ ଓ ଜେଇଇ ଭଳି ପରୀକ୍ଷାରେ କିଭଳି ଗରିବ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇପାରିବେ ସେଥିପାଇଁ ପ୍ରୟାସ କରୁଛନ୍ତି ବସନ୍ତ ରଥ | ପିଲାଙ୍କ ପାଠପଢା ଯେଭଳି ବ୍ୟାଘାତ ନ ହେବ ସେଥିପାଇଁ ନୂଆଦିଲ୍ଲୀ, ଜାମ୍ମୁ ଓ ଶ୍ରୀନଗରରୁ ବହି କିଣିଥାନ୍ତି ବସନ୍ତ |

Photo-Indian express

ପ୍ରତି ରବିବାର ଦିନ ବସନ୍ତ ରଥଙ୍କ ବାସଭବନ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଭିଡ଼ ଲାଗିଥାଏ | ଶ୍ରୀ ରଥ ସମସ୍ତଙ୍କୁ ଆବଶ୍ୟକତା ଥିବା ବହି ଦେଇଥାନ୍ତି | ଯେଉଁମାନେ ତାଙ୍କ ପାଖକୁ ଆସିପାରିନଥାନ୍ତି କୋରିୟର ମାଧ୍ୟମରେ ସେ ବହି ପଠାଇଦେଇଥାନ୍ତି | ଏ ପର୍ଯ୍ୟନ୍ତ ବସନ୍ତ ରଥ ହଜାର ହଜାର ବହି ବାଣ୍ଟିସାରିଲେଣି | ବସନ୍ତ ନିଜର ପିଲାଦିନର ସ୍ମୃତି ବାବଦରେ କୁହନ୍ତି ଯେ ସେ କେବେ ବି ଭୁଲିବେ ନାହିଁ ଯେ ତାଙ୍କ ମା କିଭଳି ଭୋକିଲା ରହି ତାଙ୍କୁ ପାଠ ପଢ଼ାଉଥିଲେ | ଯେବେ ମୁଁ କଲେଜରେ ପାଠ ପଢ଼ୁଥିଲି ସେତେବେଳେ ଜୋତା ଖଣ୍ଡେ କିଣିବାକୁ ଟଙ୍କା ନଥିଲା | ବହି ଖଣ୍ଡେ ପାଇଁ ଯେଭଳି ଆଉ କେହି ବିଦ୍ୟାର୍ଥୀ ଅସୁବିଧାରେ ନ ପଡନ୍ତୁ ସେହି ପ୍ରୟାସରେ ଏବେ ଲାଗିପଡିଛନ୍ତି ଏହି ଓଡ଼ିଆ ଆଇପିଏସ ଅଫିସର |

ସମ୍ବନ୍ଧିତ ଖବର