ଆଇପିଏସ୍‌ ଅଧିକାରୀ ଏନ୍‌ବି ଭାରତୀ ନିଖୋଜ!

ବାରମ୍ବାର ଚିଠି ଫେରିବା ପରେ ଖବର କାଗଜରେ ବିଜ୍ଞପ୍ତି

କଟକ: ୧୯୯୮ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଧିକାରୀ ଏନ୍‌ବି ଭାରତୀଙ୍କ ପତ୍ତ‌ା ମିଳୁନି। ପ୍ରାୟ ୨ ବର୍ଷ ହେବ ସେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ସେ ‌ଛୁଟି ନେଇନାହାନ୍ତି କି ମୌଖିକ ଭାବେ ଓଡ଼ିଶା ପୁଲିସର କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ନାହାନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏଭଳି ହଠାତ୍ ନିଖୋଜ ରହିବା, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିଠିର ଉତ୍ତର ନ ଦେବା ଓ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇ ନପାରିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ଆଜି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ରାଜ୍ୟ ଅପରାଧ ନଥି ସଂସ୍ଥା, ଭୁବନେଶ୍ବର ପକ୍ଷରୁ ବିଭିନ୍ନ ଖବରକାଗଜରେ ଏନ୍‌ବି ଭାରତୀଙ୍କୁ ନେଇ ଏକ ନୋଟିସ ଜାରି କରାଯାଇଛି। ଏନବି ଭାରତୀ, ପିତା ସ୍ବର୍ଗତ ସିବି ନାରାୟଣ ଉଲ୍ଲେଖ ଥାଇ ରାଜାଜି ନଗର, ବାଙ୍ଗାଲୋର ଠିକଣାରେ ଚିଠି ପଠ‌ାଯାଇଥିଲା। ନୋଟିସରେ ଉଲ୍ଲେଖ କରାଯାଇଛି, ଏନ୍‌ବି ଭାରତୀଙ୍କ ପାଖକୁ ଯାଉଥିବା ଚିଠିଗୁଡ଼ିକ ଫେରିଆସୁଛି। ଫଳରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟବିଧି ଆରମ୍ଭ ହୋଇଛି। ଘରୋଇ ବିଭାଗ ଆଦେଶ ନମ୍ବର ୪୫୧/ଆଇପିଏସ୍‌ ତା. ୩.୧.୨୦୨୦ରେ ତଦନ୍ତ ନ୍ୟସ୍ତ ହୋଇଛି। ଏ ନେଇ ରାଜ୍ୟ ଅପରାଧ ନଥି ସଂସ୍ଥ‌ା ପକ୍ଷରୁ ତଦନ୍ତ ପାଇଁ ତାଙ୍କ ନିକଟକୁ ୧୫.୫.୨୦୨୦, ୧୮.୩.୨୦୨୦, ୧୮.୫.୨୦୨୦, ୧୮.୮.୨୦୨୦, ୧୯.୧୦.୨୦୨୦, ୧୯.୧୨.୨୦୨୦, ୧୮.୨.୨୦୨୧, ୨୪.୪.୨୦୨୧, ୧୧.୬.୨୦୨୧ ଓ ୩୧.୮ ୨୦୨୧ରେ ଉପରୋକ୍ତ ଠିକଣାରେ ଚିଠି ( ରେଜିଷ୍ଟ୍ରି ଓ ସ୍ପିଡ୍‌ପୋଷ୍ଟ) ପଠାଯାଇଥିଲେ ବି ସମସ୍ତ ଚିଠି ଫେରି ଆସିଛି।

ଏପରିକି ମେଲ୍‌ରେ ଥିବା ଚିଠି ମଧ୍ୟ ସେ ପାଇନାହାନ୍ତି। ତାଙ୍କର ଅନୁପସ୍ଥିତି ଯୋଗୁଁ ତଦନ୍ତ ସମୟ ମଧ୍ୟ ବୃଦ୍ଧିପାଇଛି। ବିଭାଗୀୟ କାର୍ଯ୍ୟବିଧିର ପରବର୍ତ୍ତୀ ତାରିଖ ୨୯.୧୦.୨୦୨୧କୁ ଧାର୍ଯ୍ୟ ହୋଇଛି। ସେ ଅନୁପସ୍ଥିତ ରହିଲେ ତାଙ୍କର କୌଣସି ପ୍ରତିବାଦ ଗ୍ରହଣ କରାଯିବ ନାହିଁ ବୋଲି ନୋଟିସ୍‌ରେ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଏନବି ଭାରତୀ ଏଚ୍‌ଆର୍‌ପିସି ଆଇଜି ଭା‌ବେ କାର୍ଯ୍ୟରତ ଥିବା ସମୟରେ ବିବାଦୀୟ ସ୍ଥିତି ସୃଷ୍ଟି ହେବାରୁ ଏଡିଜି ତାଙ୍କ ‌ପ୍ରକୋଷ୍ଠ ବାହାରେ ନୋଟିସ୍ ଲଗାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପୁଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଥିଲା। ଏବେ ଦୀର୍ଘ ଦିନ ଧରି ତାଙ୍କର ଏଭଳି ଢଙ୍ଗରେ ନ‌ିଖୋଜ ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର