ପେସା ବନାମ ନିଶା : ଚର୍ଚ୍ଚାରେ ଆଇପିଏସ୍‌ଙ୍କ ଜଣାଣ

ଭୁବନେଶ୍ବର : ‘ଜୀବନର ବାଟ, ଦୋ ଛକିର ହାଟ..’ଏଭଳି ଏକ ଜଗନ୍ନାଥଙ୍କ ଜଣାଣ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଜଣାଣରେ ଭକ୍ତି ଭାବ ରହିଛି। ଲେଖାରେ ଭାବପ୍ରବଣତା ରହିଛି। ଶ୍ରୀଜଗନ୍ନାଥଙ୍କ ପ୍ରତି ଭଲପାଇବା ଆଉ ଅଭିମାନ ବି ରହିଛି। ହେଲେ ଚର୍ଚ୍ଚାରେ ରହିବା ପଛରେ ଆଉ ଏକ କାରଣ ରହିଛି। ଏହାକୁ ଗାଉଛନ୍ତି ବରିଷ୍ଠ ଆଇପିଏଏସ୍‌ ଅଫିସର ପ୍ରାଣବିନ୍ଦୁ ଆଚାର୍ଯ୍ୟ। ପୂର୍ବରୁ ଆଇପିଏସ୍‌ ଅଧିକାରୀ ସାରା ଶର୍ମା ଗୀତ ଗାଇ ଜନସଚେତନତା ସୃଷ୍ଟି କରି ଚର୍ଚ୍ଚାରେ ରହିଥିବା ବେଳେ ଏବେ ଏହି ବରିଷ୍ଠ ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି। ୩ ମିନିଟ୍‌ ୫୨ ସେକେଣ୍ଡର ଏହି ଜଣାଣ ଭିଡିଓରେ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ଦୃଶ୍ୟ ସହ ପ୍ରାଣବିନ୍ଦୁଙ୍କୁ ଷ୍ଟୁଡିଓରେ ଗୀତ ଗାଉଥିବା ଦେଖିବାକୁ ମିଳୁଛି। ପ୍ରାୟତଃ ସବୁ ସମୟରେ ପୁଲିସ ପୋଷାକ ସହ ଗମ୍ଭୀର କଣ୍ଠରେ ‌ସାଧାରଣ ଲୋକ ଦେଖୁଥିବା ବେଳେ ତାଙ୍କୁ ଏଭଳି ଜଣାଣ ଗାଉଥିବା ଦେଖି ଲୋକେ ବେଶ୍‌ ପସନ୍ଦ କରିଛନ୍ତି।

ତେବେ ପୂର୍ବରୁ ଅକ୍ଷୟ ମହାନ୍ତିଙ୍କର ଅଳପ ହସରେ.., ମନେ ଭରି ଅଭିମାନ.., ପିରତି ତୋର ଦୂରୁ ଜୁହାର ପ୍ରଭୃତି ଗୀତରେ ତାଙ୍କୁ ଲୋକପ୍ରିୟତା ମିଳିଛି। ଏ ସବୁ ଗୀତ ସେ ତାଙ୍କ ୟୁ ଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କରିଛନ୍ତି। ପିରତି ତୋର..ଗୀତଟିକୁ ୧୨୦୦ ଥର ଲୋକମାନେ ଶୁଣିଛନ୍ତି। ଅନେକ ଦିନ ତଳେ ସେ ରାଉରକେଲା ଅଲ୍‌ଇଣ୍ଡିଆ ରେଡିଓରେ ଏକ ଗୀତ ଗାଇଥିଲେ। ସେ ଗୀତକୁ ମଧ୍ୟ ଲୋକମାନେ ପସନ୍ଦ କରିଥିଲେ। ତାଙ୍କର ଗୀତ ପ୍ରତି ଥିବା ଆସକ୍ତିକୁ ଦେଖି ତାଙ୍କର ଜଣେ ବନ୍ଧୁ ଏହି ଜଣାଣ ରେକର୍ଡିଂ କରିଛନ୍ତି। ତେବେ ‘ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଢ଼ ବିଶ୍ବାସ ରହିଛି। କୋଭିଡ୍‌ କଟକଣା ଯୋଗୁଁ ପୁରୀ ଯାଇ ରଥରେ ଦର୍ଶନ କରିହେଲା ନାହିଁ। ଜଣାଣ ମାଧ୍ୟମରେ ମହାପ୍ରଭୁଙ୍କୁ ଗୁହାରି ଶୁଣାଇବାର ପ୍ରୟାସ କରିଛି’ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର