କଟକ: ଆଇପିଏସ୍ ସତୀଶ କୁମାର ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘଟଣାରେ ସରକାରଙ୍କୁ ଧକ୍କା ଲାଗିଛି। ଗଜଭିୟେଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ସହିତ ସରକାରୀ ନିଷ୍ପତ୍ତିକୁ ଏକପ୍ରକାର ଭୁଲ୍ ବୋଲି ଦର୍ଶାଇଛନ୍ତି। ଶ୍ରୀ ଗଜଭିୟେ ମାଲକାନଗିରି ଏସ୍ପି ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଶ୍ରୀ ଗଜଭିୟେଙ୍କ ଆବେଦନକୁ ଗ୍ରହଣ କରିବା ସହିତ ନ୍ୟାୟସଙ୍ଗତ କାର୍ଯ୍ୟାନୁଷ୍ଠାନର ମାନଦଣ୍ଡକୁ ଉପେକ୍ଷା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ବୋଲି କହିଛନ୍ତି। ସ୍ପଷ୍ଟ ଭାବେ କହିଛନ୍ତି, କୌଣସି ବ୍ୟକ୍ତିଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ କୌଣସି ନିଷ୍ପତ୍ତି ନିଆଯିବା କଥା ନୁହେଁ। ଆଇନର ମୌଳିକ ନିୟମ ଅନୁସାରେ ପକ୍ଷ ରଖିବାକୁ ସୁଯୋଗ ନ ଦେଇ କାହାର ଅଧିକାର ପ୍ରଭାବିତ ହେବା ଭଳି କୌଣସି ନିଷ୍ପତ୍ତି ନିଆଯିବା କଥା ନୁହେଁ। କିନ୍ତୁ ଏହି ମାମଲାରେ ଏଭଳି ନିୟମ ପାଳନ କରାଯାଇ ନଥିଲା ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
କେବଳ ସେତିକି ନୁହେଁ, ଶ୍ରୀ ଗଜଭିୟେଙ୍କୁ ସମସ୍ତ ପଦୋନ୍ନତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଏକ ମାସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବ୍ୟାଚ୍ର ଅଧିକାରୀଙ୍କୁ ଅତୀତରେ ପ୍ରଦାନ କରାଯାଇଥିବା ପଦୋନ୍ନତି ଓ ସୁବିଧା ଆଧାରରେ ଗଜଭିୟେଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୨ର ବ୍ୟାଚ୍ର ଆଇପିଏସ୍ ଗଜଭିୟେ ମାଲକାନଗିରି ଏସ୍ପି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୭, ଜୁଲାଇ ୨୫ରେ ଜଣେ ହାର୍ଡକୋର୍ ମାଓବାଦୀ ଗିରଫ ହୋଇଥିଲା। ଏ ବାବଦରେ ପୁରସ୍କାର ରାଶି ୩ ଲକ୍ଷ ୫୫ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ଗିରଫଦାରୀ ଘଟଣାରେ ୬ଜଣ ପୁଲିସ ଅଧିକାରୀଙ୍କୁ ୧ ଲକ୍ଷ ୫୫ ହଜାର ଟଙ୍କା ପୁରସ୍କାର ଦେବା ପାଇଁ କୁହାଯାଇଥିଲା। କିନ୍ତୁ ଏହି ପୁଲିସ ଅଧିକାରୀଙ୍କୁ ପୁରସ୍କାର ରାଶି ମିଳି ନଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗୁଇନ୍ଦା ନିର୍ଦ୍ଦେଶକ ତତ୍କାଳୀନ ଡିଆଇଜି(ଗୁଇନ୍ଦା)ଙ୍କୁ ଅଭିଯୋଗର ପ୍ରାଥମିକ ତଦନ୍ତ କରି ୨୦୧୧, ଅଗଷ୍ଟ ୩୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୨, ମେ୧୯ରେ ଏ ସଂପର୍କିତ ପ୍ରାଥମିକ ତଦନ୍ତ ରିପୋର୍ଟ ଡିଆଇଜି ଦାଖଲ କରିଥିଲେ। ଏହାପରେ ୨୦୧୫, ନଭେମ୍ବର ୭ରେ ଶ୍ରୀ ଗଜଭିୟେଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହି ପ୍ରକ୍ରିୟାକୁ ଚାଲେଞ୍ଜ କରି ସେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (କ୍ୟାଟ୍) କଟକ ଖଣ୍ଡପୀଠରେ ମାମଲା ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା କ୍ୟାଟ୍ର ଦିଲ୍ଲୀସ୍ଥିତ ପ୍ରମୁଖ ଖଣ୍ଡପୀଠକୁ ସ୍ଥାନାନ୍ତର ହୋଇଥିଲା। କ୍ୟାଟ୍ ମାମଲାର ଶୁଣାଣି କରି ୨୦୧୮, ଅଗଷ୍ଟ ୧୦ରେ ଗଜଭିୟେଙ୍କ ଆବେଦନକୁ ଖାରଜ କରିଥିଲେ। କ୍ୟାଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁଲିସ ଡିଜି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Satish-gajbhiye-high-court-08_thumb-1.jpg)