ଓଡ଼ିଶାରେ ଆରମ୍ଭ ହେଲା ଆଇଆର୍‌ଏଡି ପ୍ରକଳ୍ପ

ଭୁବନେଶ୍ବର : ସାରା ଦେଶର ସଡ଼କ ଦୁର୍ଘଟଣା ତଥ୍ୟକୁ ଏକାଠି କରି ଏହାର ବିଶ୍ଲେଷଣ କରିବା, ନିର୍ଦ୍ଦିଷ୍ଟ ସୂଚନା ଅନୁସାରେ ଦୁର୍ଘଟଣାକୁ କମାଇ ସଡ଼କ ସୁରକ୍ଷାକୁ ସୁଦୃଢ କରିବା ଏବଂ ନୂତନ ନୀତି ଓ କୌଶଳକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଆଇଆର୍‌ଏଡି (ଏକୀକୃତ ସଡ଼କ ଦୁର୍ଘଟଣା ତଥ୍ୟ ସଂଗ୍ରହ ବ୍ୟବସ୍ଥା) ପ୍ରକଳ୍ପ ଆରମ୍ଭ ହୋଇଛି। ସ୍ବାଧୀନତା ଦିବସ ଅବସରରେ ଦେଶର ୬ଟି ରାଜ୍ୟ ଯଥା ଓଡ଼ିଶା, ଛତିଶଗଡ଼, କେରଳ, ମେଘାଳୟ, ହିମାଚଳ ପ୍ରଦେଶ ଏବଂ ହରିୟାଣାରେ ଏହା ଆରମ୍ଭ ହୋଇଛି।

ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବବ୍ୟାଙ୍କ ପାଣ୍ଠି ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପକୁ ଓଡ଼ିଶା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଡିଜିଟାଲ ମୋଡରେ ଉଦ୍‌ଘାଟନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ମଧୁସୂଦନ ପାଢୀ, ପରିବହନ କମିସନର ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଆଇଆର୍‌ଏଡି ବ୍ୟବସ୍ଥାଟି ମୋବାଇଲ୍‌ ଏବଂ ସମସ୍ତ ୱେବ୍ ପ୍ଲାଟଫର୍ମରେ ସହଜରେ କାର୍ଯ୍ୟ କରିବ। ସବୁ ରାଜ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଓଡ଼ିଶାରେ ଆଇଆର୍‌ଏଡିର ଦକ୍ଷ ବ୍ୟବହାର ପାଇଁ ଏନ୍‌ଆଇସି ଦ୍ବାରା ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ଡିଷ୍ଟ୍ରିକ୍ଟ ରୋଲ୍‌ ଆଉଟ୍ ମ୍ୟାନେଜର ନିୟୋଜିତ ହୋଇଛନ୍ତି। ସେମାନେ ଆଇଆର୍‌ଏଡି ସହ ସଂଶ୍ଲିଷ୍ଟ ସମସ୍ତ ବ୍ୟବସ୍ଥାର ସ୍ଥାପନା, ତାଲିମ୍ ଏବଂ ସଂଶୋଧନ ଆଦି କାର୍ଯ୍ୟ ମଧ୍ୟରେ ସମନ୍ବୟ ରଖିବେ।

ସମ୍ବନ୍ଧିତ ଖବର