କଟକରେ ଇରାନ୍ ଅପରାଧୀ ଗ୍ୟାଙ୍ଗ୍! ଦୋଳମୁଣ୍ତାଇ ଅଳଙ୍କାର ଲୁଟ୍ ପଛରେ କାସିମ୍ କାଳୀ
ନୂଆପଡ଼ା ଜିଲ୍ଲାରେ ଆଡ଼ା ଜମାଇଛନ୍ତି ଅପରାଧୀ
କଟକ : କଟକ ସହର ଭିତରକୁ ପଶିଆସିଛନ୍ତି ଇରାନ୍ର ଅପରାଧୀ ଗ୍ୟାଙ୍ଗ୍! ଦୋଳମୁଣ୍ତାଇ ଜଗନ୍ନାଥ ଜୁଏଲାରୀରୁ ଲୁଟ୍ ହୋଇଥିବା ୭ ଲକ୍ଷ ଟଙ୍କାର ଅଳଙ୍କାର ମାମଲାରେ ଏହି ଗ୍ୟାଙ୍ଗ୍ର ସମ୍ପୃକ୍ତି ରହିଥିବା କୁହାଯାଉଛି। ଏମାନେ ଇରାନ୍ରୁ ଆସି ନୂଆପଡ଼ା ଜିଲ୍ଲାରେ ଆଡ଼ା ଜମାଇଥିବା ବେଳେ ସାରା ରାଜ୍ୟରେ ସମାନ ଢ˚ଗରେ ଗହଣା ଦୋକାନରୁ ଅଳଙ୍କାର ଲୁଟିନେଇଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ପୁଲିସ ହାତରେ ଲାଗିଛି। ପୂର୍ବରୁ ଏହି ଗ୍ୟାଙ୍ଗ୍ ପୁରୀଘାଟ ଅଞ୍ଚଳରେ ୨୦୧୮ରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲା। ଗ୍ୟାଙ୍ଗର୍ ସଦସ୍ୟ କାସିମ୍ କାଳୀକୁ ପୁଲିସ ଯଦିଓ ଗିରଫ କରିଥିଲା, କିନ୍ତୁ ଏବେ ସେ ଜେଲରୁ ମୁକୁଳି ପୁଣି ଗ୍ୟାଙ୍ଗ୍କୁ ସଂଗଠିତ କରି ଅପରାଧ ଘଟାଉଥିବା ପୁଲିସ ସନ୍ଦେହ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ସମୟରେ ଝାଡ଼ଖଣ୍ତର ଜାମତରା ଜିଲ୍ଲା ସାଇବର ଅପରାଧୀଙ୍କ ଆଡ଼ା ପାଲଟିଥିଲା। ଏବେ ସେହି ଶୈଳୀରେ ଇରାନ୍ର ନାଗରିକ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଖରିଆର୍ରୋଡ୍ ଅଞ୍ଚଳରେ ଆଡା ଜମାଇଛନ୍ତି। ଦୀର୍ଘ ବର୍ଷ ହେବ ଏମାନେ ସେଠାରେ ରହିବା ସହିତ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଅଳଙ୍କାର ଦୋକାନରୁ ଲୁଟ୍ କରୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି, ଇରାନିଆନ୍ ମାନେ ଦୀର୍ଘ ଦିନ ହେବ ନୂଆପଡ଼ାରେ ଆଡା ଜମାଇ ସେଠାକାର ଜିଲ୍ଲା ପ୍ରଶାସନ ନିକଟରୁ ଆଧାର କାର୍ଡ ବି ହାତେଇ ସାରିଛନ୍ତି। ଏହି ଗ୍ୟାଙ୍ଗ୍ ଗହଣା ଚୋରି ବେଳେ ନୂଆପଡ଼ାରୁ ଚୋରା ବାଇକ୍, ବସ୍ କିମ୍ବା ଟ୍ରେନ୍ରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟସ୍ତରରେ ଏହି ଗ୍ୟାଙ୍ଗ୍ ଏଭଳି ଲୁଟ୍ ମାମଲାରେ ସମ୍ପୃକ୍ତ ଥିବାରୁ ଖରିଆର୍ ରୋଡରେ ଅନେକ ସମୟରେ ଛତିଶଗଡ଼, ଦିଲ୍ଲୀ, ବାଙ୍ଗାଲୁର ପୁଲିସ ତାଙ୍କୁ କାବୁ କରିବାକୁ ଚଢ଼ଉ କରୁଥିବା ଜଣାପଡ଼ିଛି।
ନୟାସଡ଼କ ଅଞ୍ଚଳରେ ତ୍ରାହି ଅଚ୍ୟୁତ ଗହଣା ଦୋକାନରେ ୨୦୧୮ ଜାନୁଆରି ୨୯ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ଏକ ବ୍ୟାଗ୍ରେ ଥିବା ୨୦ଟି ସୁନା ମୁଦି ଚୋରି ହୋଇଥିଲା। ପୁରୀଘାଟ ଥାନା ପୁଲିସ ଘଟଣାର ତଦନ୍ତ କରି ଇରାନିଆନ୍ ଗ୍ୟାଙ୍ଗର ପର୍ଦ୍ଦାଫସ କରିଥିଲା। ଫେବ୍ରୁଆରି ୮ ତାରିଖରେ ଗ୍ୟାଙ୍ଗ୍ ସହଯୋଗୀ କାସିମ୍ କାଳୀକୁ ପୁରୀଘାଟ ପୁଲିସ ନୂଆପଡ଼ା ଜିଲ୍ଲା ଜୋଙ୍କ୍ ଥାନା ଧୋବିପଡ଼ା ଅଞ୍ଚଳରୁ ଗିରଫ କରିଥିଲା। ତା ନିକଟରୁ ମୋଟ ୬ଟି ସୁନା ମୁଦି ଜବତ କରିଥିବା ବେଳେ ଅନ୍ୟ ଜଣେ ମାଷ୍ଟରମାଇଣ୍ତ ୧୪ଟି ସୁନା ମୁଦି ସହିତ ଫେରାର ହୋଇଯାଇଥିଲା। କାସିମ୍ ଜେଲ୍ ଯାଇ ଜାମିନରେ ଖଲାସ୍ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀ ୩ ବର୍ଷ ହେବ ପୁଲିସ ରେକର୍ଡରେ ଫେରାର ଥିବା କୁହାଯାଉଛି। ୨୦୧୫ ମସିହାରେ ମଙ୍ଗଳାବାଗ ଅଞ୍ଚଳରେ ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ଗହଣା ଦୋକାନରେ ହାତ ସଫେଇ କରି ସୁନା ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ କାବୁ କରି ପୁଲିସର ଜିମା ଦେଇଥିଲେ।
ଗାଡ଼ି ନମ୍ବର ପ୍ଲେଟ୍ରେ କାଗଜ
ଦୋଳମୁଣ୍ତାଇ ଛକରେ ଥିବା ଜଗନ୍ନାଥ ଜୁଏଲାରିରୁ ଗୁରୁବାର ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ଲୁଟ୍ ମାମଲାରେ ଦୁର୍ବୃତ୍ତଙ୍କ ଏକ ବାଇକ୍ ଚିହ୍ନଟ ହୋଇଛି। କଳା ରଙ୍ଗର ୟୁନିକର୍ଣ୍ଣ ବାଇକରେ ଦୁଇ ଦୁର୍ବୃତ୍ତ ଆସିଥିଲେ। ଏହି ଗାଡ଼ିର ନମ୍ବର ପ୍ଲେଟ୍ ପୁଲିସ ଠାବ କରିବା ବେଳେ ସେଥିରେ ସାଦା କାଗଜ ଲାଗିଥିବା ଦେଖିବାକୁ ମିଳିଛି। ନମ୍ବର ଦ୍ବାରା ପୁଲିସ ସେମାନଙ୍କ ନିକଟରେ ପହଞ୍ଚିବାର ସମ୍ଭାବନା ଥିବାରୁ ସେମାନେ ନମ୍ବର ପ୍ଲେଟ୍ ଉପରେ କାଗଜ ଲଗାଇଥିଲେ। ଉଭୟ ଦେଖିବାକୁ ଡେଙ୍ଗା ଓ ହୃଷ୍ଟପୁଷ୍ଟ। ଗ୍ରାହକ ଭାବେ ଦୋକାନ ଭିତରକୁ ଯାଇଥିବା ଦୁର୍ବୃତ୍ତ ହିନ୍ଦୀ ଓ ଖଣ୍ତି ଓଡ଼ିଆରେ କଥା ହେଇଥିଲା।