ରାଉରକେଲା: ଆଗାମୀ ହକି ବିଶ୍ବକପ୍ ପାଇଁ ରାଉରକେଲା ମହାନଗର ନିଗମ, ସ୍ମାର୍ଟସିଟି ପକ୍ଷରୁ ସହର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରାଉରକେଲା ବନ ବିଭାଗ ପକ୍ଷରୁ ରାସ୍ତା କଡ଼, ଡିଭାଇଡର୍ ମଝିରେ ଗଛ ଲଗାଯିବା ସହ ଏହାକୁ ସୁରକ୍ଷିତ ରଖିବାକୁ ଲୁହା ଗେବିଅନ (ବାଡ଼) ଲଗାଯାଉଛି। କିନ୍ତୁ ଦୁର୍ବୃତ୍ତମାନେ ରାତି ହେଲେ ଏହି ଲୁହାବାଡ଼କୁ ଚୋରି କରିନେଉଥିବା ଦେଖିବାକୁ ମିଳିଛି। ଗତକାଲି ଜଣେ ଅଭିଯୁକ୍ତ ଉକ୍ତ ଲୁହା ଗେବିଅନ ଚୋରି କରୁଥିବାବେଳେ ବନ କର୍ତ୍ତୃପକ୍ଷ ତାକୁ କାବୁ କରି ଛେଣ୍ଡ୍ ପୁଲିସ ଜିମା ଦେଇଥିଲେ। ଛେଣ୍ଡ୍ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ଅଭିଯୁକ୍ତର ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାକୁ କୋର୍ଟଚାଲାଣ କରାଯାଇନଥିବା ପୁଲିସ ସୂଚନାରୁ ପ୍ରକାଶ।
ରିଂ ରୋଡ୍ ରାସ୍ତା କଡ଼, ମଝିରେ ବନ ବିଭାଗ ପକ୍ଷରୁ ଗଛ ଓ ତାର ବାଡ଼ ଲଗାଯାଉଛି। ରିଂ ରୋଡ୍ସ୍ଥ ସ୍ପେସ୍ ଛକରୁ ବିମାନବନ୍ଦର ପର୍ଯ୍ୟନ୍ତ ମଧ୍ୟ ଗଛ ଲଗାଯିବା ସହ ଲୁହା ବାଡ଼ ଦିଆଯାଉଛି। କିନ୍ତୁ ନିୟମିତ ବ୍ୟବଧାନରେ ଏହି ଲୁହା ବାଡ଼କୁ ତାଡ଼ି ନେଉଛନ୍ତି ଦୁର୍ବୃତ୍ତ। ପ୍ରାୟ ୫୦/୫୫ କେଜି ଓଜନ ବିଶିଷ୍ଟ ଏହି ଲୁହା ବାଡ଼ର ବଜାର ମୂଲ୍ୟ ପାଖାପାଖି ୧୫ ଶହ ଟଙ୍କା ହେବ। ଏହି ଲୁହା ବାଡ଼କୁ ଦୁର୍ବୃତ୍ତମାନେ ଚୋରି କରି କବାଡ଼ିବାଲାଙ୍କୁ ବିକ୍ରି କରୁଛନ୍ତି। ଇତିମଧ୍ୟରେ ଏଭଳି ପ୍ରାୟ ୩୦ଟି ଲୁହା ବାଡ଼ ଚୋରି ହୋଇସାରିଲାଣି। ଏଣୁ ଚୋରକୁ କାବୁ କରିବାକୁ ବନ ବିଭାଗ ପକ୍ଷରୁ ଗତକାଲି ଜାଲ ବିଛାଯାଇଥିଲା। ରାତି ପ୍ରାୟ ୯ଟା। ଯୋଜନାମୁତାବକ ବନ କର୍ମଚାରୀ ସ୍ପେସ୍ ଛକ-ଏୟାରଷ୍ଟ୍ରିପ୍ ରାସ୍ତା କଡ଼ରେ ବିଭିନ୍ନ ଗଛମୂଳେ ଲୁଚି ରହିଥିଲେ। ଠିକ ଏତିକିବେଳେ ଅଭିଯୁକ୍ତ ଚୋରି ଉଦ୍ୟମ କରୁଥିବାବେଳେ ତାକୁ କାବୁ କରିନେଇଥିଲେ। ଅଭିଯୁକ୍ତର ପରିଚୟ ଜଣାପଡ଼ିନି।