ଜଜାଙ୍ଗ ଖଣିରେ ଲୁହାପଥର ଯାଞ୍ଚ

କେନ୍ଦୁଝର/ଯୋଡ଼ା: ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ଖଣିରେ ଆଜି ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଲୁହାପଥରର ମାନ ଯାଞ୍ଚ କରାଯାଇଛି। ଯାଞ୍ଚରେ ରାଜ୍ୟସ୍ତରୀୟ ଟିମ୍‌ ସାମିଲ ହୋଇଥିଲେ। ଯୋଡ଼ା ଖଣି ମଣ୍ଡଳ କାର୍ଯ୍ୟାଳୟ ଏ ସମ୍ପର୍କରେ କୌଣସି ସୁରାକ ପାଇନାହିଁ। ଖଣି ଚୋରି ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିବାର ଦୁଇଦିନ ପରେ ଏଭଳି ଚଢ଼ଉ ହେଉଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ପୂର୍ବରୁ ୨୦୨୦ ସେପ୍ଟମ୍ବର ୭ ଓ ୮ ତାରିଖରେ ଜେଏସ୍‌ଡବ୍ଲ୍ୟୁର ଏକାଧିକ ଖଣିରେ ରାଜ୍ୟ ଖଣି ବିଭାଗର ଏକ ଟିମ୍‌ ଚଢ଼ଉ କରିଥିଲା। ସେତେବେଳେ ନାରାୟଣପଶି ଲୁହାପଥର ଖଣି, ନୂଆଗାଁ, ଜଜାଙ୍ଗ, ଗଣୁଆ ଲୁହାପଥର ଖଣିରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଖଣିରେ ନିର୍ଦ୍ଧାରିତ ନିୟମ ତଥା  ଜ୍ୟାମିତିକ ଆକାରରେ ଲୁହାପଥର ଗଚ୍ଛିତ ହୋଇ ନଥିଲା। ସେହିପରି ଯେଉଁଠି ଲୁହାପଥର ଗଚ୍ଛିତ କରିବା କଥା ସେଠାରେ ଗଚ୍ଛିତ ହେଉ ନଥିଲା। ଲୁହାପଥରର ଗ୍ରେଡେସେନ୍‌ରେ କରାସାଦି କରାଯାଇଥିବା ଟିମ୍‌ ଯାଞ୍ଚ ବେଳେ ଦେଖିବାକୁ ପାଇଥିଲା।  ରାଜ୍ୟ ଖଣି ବିଭାଗର ଏହି ଟିମ୍‌ ୩୩ଟି ଲୁହାପଥର ଗଦା ମଧ୍ୟରୁ ୧୫ଟିର ନମୁନା ନେଇ ପରୀକ୍ଷା କରିଥିଲେ। ସବୁଥିରେ ଲୁହାପଥର ଗ୍ରେଡ୍‌ ଉଚ୍ଚମାନର ଥିବାବେଳେ କାଗଜକଲମରେ କିନ୍ତୁ ଏହାକୁ ନିମ୍ନମାନର ବୋଲି ଦର୍ଶାଯାଇଥିଲା। ଆଜି ପୁଣି ଜଜାଙ୍ଗ ଖଣିରେ ଲୁହାପଥର ମାନ ଯାଞ୍ଚ କରାଯାଇଛି। ଏ ସମ୍ପର୍କରେ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରୱାଲଙ୍କୁ ପଚାରିବାରୁ ଖଣି ଗୁଡିକରେ ଯାଞ୍ଚ ହେବା ଭଲ ବୋଲି କହିବା ସହିତ ଏନେଇ ସରକାରୀ ଭାବେ ତାଙ୍କ ନିକଟକୁ କୌଣସି ସୂଚନା ଆସିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର