ପ୍ରୋ ମିନେରାଲରୁ ଲୁହାପଥର ଗାଏବ ଘଟଣା : ସନ୍ଦେହ ଘେରରେ ଡିଡିଏମ୍‌ କାର୍ଯ୍ୟାଳୟ

ରାଜ୍ୟସ୍ତରୀୟ ସ୍କ୍ବାଡ୍‌ର ଯାଞ୍ଚ୍‌କୁ ଭୁଲ ଦର୍ଶାଇଲା ଡିଡିଏମ୍‌ଙ୍କ କାର୍ଯ୍ୟାଳୟ
ଲୁହାପଥର ଗ୍ରେଡ୍ ସଂପର୍କରେ ରିପୋର୍ଟରେ ଉଲ୍ଲେଖ କରୁ ନାହାନ୍ତି

କେନ୍ଦୁଝର : କୁହେଳିକାମୟ ହେବାରେ ଲାଗିଛି ପ୍ରୋ-ମିନେରାଲ ଲୁହାପଥର ଗାଏବ ଘଟଣା। ଖଣି ନିର୍ଦ୍ଦେଶାଳୟର ରାଜ୍ୟସ୍ତରୀୟ ସ୍କ୍ବାଡ୍‌ ଯାଞ୍ଚ ବେଳେ ୧୦,୫୩୮ ଟନ୍‌ (୫-୧୮ ଏମ୍‌ଏମ୍‌ ଆକାର) ଲୁହାପଥର କମ୍‌ ଥିବା ରିପୋର୍ଟରେ ଦର୍ଶାଇଥିଲା। ଯୋଡ଼ା ଡିଡିଏମ୍‌ କାର୍ଯ୍ୟାଳୟର ଟିମ୍‌ ଯାଞ୍ଚ ବେଳେ ସେଥିରେ ୭୩୧୮ ଟନ୍‌ ଲୁହାପଥର ନ ଥିବା ଦର୍ଶାଯାଇଛି। ଏହା ଭିତିରେ କେବଳ ଗାଏବ ହୋଇଥିବା ଲୁହାପଥରର ଆକାର ସଂପର୍କରେ ବାରମ୍ବାର ରିପୋର୍ଟରେ ଉଲ୍ଲେଖ କରିଥିବା ଡିଡିଏମ୍‌ଙ୍କ କାର୍ଯ୍ୟାଳୟ କିନ୍ତୁ ଲୁହାପଥର ଗ୍ରେଡ୍‌ ସଂପର୍କରେ କେଉଁଠି ବି ଉଲ୍ଲେଖ କରୁନାହିଁ। ଯେଉଁଥିପାଇଁ ପ୍ରଥମରୁ ଶେଷଯାଏ ଯୋଡ଼ା ଡିଡିଏମ୍‌ କାର୍ଯ୍ୟାଳୟର ଭୂମିକା ସନ୍ଦେହକୁ ଆସିଛି।

ଗତ ନଭେମ୍ବର ୭ ତାରରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଖଣି ନିର୍ଦ୍ଦେଶାଳୟର ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ବସନ୍ତପୁରସ୍ଥିତ ପ୍ରୋ-ମିନେରାଲ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିଲେ। ସେଠାରେ ଲୁହାପଥର ଷ୍ଟକ ଯାଞ୍ଚ ବେଳେ ସେହି ପରିମାଣର ଲୁହାପଥର ଷ୍ଟକରେ ନ ଥିବା ଦେଖିବାକୁ ପାଇଥିଲେ। ରାଜ୍ୟସ୍ତରୀୟ ସ୍କ୍ବାଡ୍‌ର ରିପୋର୍ଟ ଅନୁସାରେ, ୫-୧୮ ଏମ୍‌ଏମ୍‌ ସାଇଜ୍‌ର ଲୁହାପଥର ୧୦୫୩୮.୬୮୧ ଟନ୍‌ ମହଜୁଦ ରହିବା କଥା। ଏଠାରେ ଗୋଟିଏ କିଲୋ ବି ଲୁହାପଥର ନ ଥିଲା। ସେହିପରି ୦-୧୦ ଏମ୍‌ଏମ୍‌ ସାଇଜ୍‌ର ୧୧୦୭୨.୧୪୦ ଟନ୍‌ ଲୁହାପଥର ମହଜୁଦ ରହିବା କଥା। ମାତ୍ର ସେଠାରେ ୩୭୦.୯୧୦ ଟନ୍‌ ଲୁହାପଥର କମ୍‌ ରହିଥିଲା। ରାଜ୍ୟସ୍ତରୀୟ ସ୍କ୍ବାଡ୍‌ର ପରିଦର୍ଶନ ପରେ ପୁଣି ଆଉଥରେ ଯୋଡ଼ା ଡିଡିଏମ୍‌ କାର୍ଯ୍ୟାଳୟର ଏକ ସ୍କ୍ବାଡ୍‌ ଗତ ଜାନୁଆରି ୧ ଓ ୬ ତାରିଖରେ ଦୁଇଥର ପ୍ଲାଣ୍ଟ ପରିଦର୍ଶନରେ ଯାଇ ଲୁହାପଥର ଯାଞ୍ଚ କରିଥିଲା। ଏହାପରେ ଖଣି ନିର୍ଦେଶାଳୟକୁ ଚିଠି ନଂ-୨୩୭ , ୨୪/୧/୨୦୧୦ରେ ଯେଉଁ ରିପୋର୍ଟ ଦିଆହୋଇଛି, ସେଥିରେ ୭୩୧୮.୬୨୧ ଟନ୍‌ ଲୁହାପଥର କମ୍‌ ଥିବା ଦର୍ଶାଯାଇଛି। ଏହାର ସାଇଜ୍‌ ହେଉଛି ୫-୧୮ଏମ୍‌ଏମ୍‌। ରାଜ୍ୟସ୍ତରୀୟ ସ୍କ୍ବାଡ୍‌ ଓ ଯୋଡ଼ା ଡିଡିଏମ୍‌ କାର୍ଯ୍ୟାଳୟର ସ୍କ୍ବାଡ୍‌ ରିପୋର୍ଟରେ କମ୍‌ ଥିବା ଲୁହାପଥର ନେଇ ତାରତମ୍ୟ ରହୁଥିବାରୁ ଯୋଡ଼ା ଡିଡିଏମ୍‌ କାର୍ଯ୍ୟାଳୟ ସନ୍ଦେହକୁ ଆସିଛି। ପ୍ରଥମ କଥା ହେଉଛି ଯଦି ରାଜ୍ୟସ୍ତରୀୟ ସ୍କ୍ବାଡ୍‌ ଯାଞ୍ଚରେ ୧୦୫୩୮.୬୮୧ ଟନ୍‌ ଲୁହାପଥର କମ୍‌ ଥିଲା, ତାହା ଡିଡିଏମ୍‌ କାର୍ଯ୍ୟାଳୟର ଯାଞ୍ଚ ବେଳେ କିଭଳି ଭାବେ ୭୩୧୮.୬୨୧ ମେଟ୍ରିକ ଟନ୍‌କୁ ଖସି ଆସିଲା।

ଅପରପକ୍ଷରେ ଏହି ରିପୋର୍ଟ ଭିତରେ ଯେଉଁ ମୁଖ୍ୟ ପ୍ରସଙ୍ଗଟି ଲୁଚାଇବାକୁ ଉଦ୍ୟମ କରାଯାଇଛି, ତାହା ହେଉଛି ଲୁହାପଥରର ଗ୍ରେଡ୍‌। ଲୁହାପଥର ମୂଲ୍ୟବାନ କି ନୁହେଁ, ତାହା ଗ୍ରେଡ୍‌ରୁ ଜଣାପଡ଼ିଥାଏ। ତେଣୁ ଏହି ରିପୋର୍ଟରେ କେବଳ ୫-୧୮ ଏମ୍‌ଏମ୍‌ ସାଇଜ୍‌ର ଲୁହାପଥର କମ୍‌ ଥିବା ଦର୍ଶାଯାଉଥିଲେ ବି ଏହା କେଉଁ ଗ୍ରେଡ୍‌ର ତାହା ଦର୍ଶାଯାଉନାହିଁ। କେଉଁ ପରିସ୍ଥିତିରେ ଓ କାହିଁକି ରାଜ୍ୟସ୍ତରୀୟ ସ୍କ୍ବାଡ୍‌ର ରିପୋର୍ଟ ତୁଳନାରେ ଯୋଡ଼ା ଡିଡିଏମ୍‌ଙ୍କ ଯାଞ୍ଚ ବେଳେ ପ୍ରାୟ ୩ହଜାର ଟନ୍‌ର ବ୍ୟବଧାନ ରହୁଛି, ସେ ସଂପର୍କରେ ଆମେ ଖଣି ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ଉମେଶ ଜେନାଙ୍କୁ ପଚାରିଥିଲୁ। ସେ କହିଥିଲେ, ରାଜ୍ୟସ୍ତରୀୟ ଯାଞ୍ଚ ବେଳେ ଯେଉଁ ପରିମାଣର ଲୁହାପଥର କମ୍‌ ରହିଛି ବୋଲି ଦର୍ଶାଯାଇଛି, ତାହା ଠିକ୍‌। ମାତ୍ର କେଉଁ ପରିସ୍ଥିତିରେ ଯୋଡ଼ା ଡିଡିଏମ୍‌ଙ୍କ କାର୍ଯ୍ୟାଳୟର ସ୍କ୍ବାଡ ଯାଞ୍ଚ ବେଳେ ଏହା କମିଗଲା, ତାହା ଅନୁସନ୍ଧାନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର