କ୍ରୋମାଇଟ୍ ପରେ ଲୁହାପଥର ମୂଲ୍ୟ ବୃଦ୍ଧି, ଖଣି ନଥିବା ଇସ୍ପାତ କାରଖାନା ସ୍ଥିତି ସଙ୍ଗିନ୍

ଓଏମ୍‌ସିର ଇ-ନିଲାମ ଇସ୍ପାତ ଶିଳ୍ପ ପାଇଁ ଘାତକ ସାଜିଛି

ଯାଜପୁର : ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରି ପୂର୍ବ ଭାରତ ରାଜ୍ୟଗୁଡ଼ିକ ଉପରେ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଇସ୍ପାତ ଶିଳ୍ପ ପାଇଁ ଆବଶ୍ୟକ ଲୁହାପଥର, କ୍ରୋମାଇଟ୍ ଓଡ଼ିଶାରେ ବ୍ୟାପକ ପରିମାଣରେ ଗଚ୍ଛିତ ଥିବାରୁ କେନ୍ଦ୍ର ସରକାର ଆମ ରାଜ୍ୟ ଉପରେ ପ୍ରାଧାନ୍ୟ ଦେଇଆସୁଛନ୍ତି। ବିଶ୍ବରେ ଇସ୍ପାତ ଉତ୍ପାଦନ ‌‌କ୍ଷେତ୍ରରେ ଏକ ନମ୍ବର ମିତ୍ତଲ କମ୍ପାନି କେନ୍ଦ୍ରାପଡ଼ାରେ ଇସ୍ପାତ କାରଖାନା ପାଇଁ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଅଥଚ ଓଡ଼ିଶାରେ ଗତ ଦଶନ୍ଧିରୁ ଇସ୍ପାତ ଉତ୍ପାଦନ କରିଆସୁଥିବା ଅନେକ କାରଖାନାରେ ତାଲା ପଡ଼ିବା ଅବସ୍ଥା ସୃଷ୍ଟି ହୋଇଛି। ବିଶେଷ କରି ଇସ୍ପାତ ଉତ୍ପାଦନ ପାଇଁ ବ୍ୟବହୃତ କ୍ରୋମାଇଟ୍ ଓ ଲୁହାପଥର ଭଳି କଞ୍ଚାମାଲର ଉତ୍ପାଦନ,ବିକ୍ରୟ ଓ ନିଲାମରେ ଘୋର ଅବ୍ୟବସ୍ଥା ଓ ଅହେତୁକ ମୂଲ୍ୟ ବୃଦ୍ଧି ଇସ୍ପାତ ଶିଳ୍ପ ପାଇଁ ଚିନ୍ତାର କାରଣ ହୋଇଛି। ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଓଏମ୍ସି‌ ଦ୍ବାରା କରାଯାଉଥିବା ଇ-ନିଲାମ ପ୍ରକ୍ରିୟା ଇସ୍ପାତ ଶିଳ୍ପକୁ ସଙ୍ଗିନ ସ୍ଥିତିରେ ପହଞ୍ଚାଇ ଦେଇଛି ବୋଲି ଇସ୍ପାତ ଶିଳ୍ପାନୁଷ୍ଠାନର ଏକାଧିକ ସଂଘ ବିଭାଗୀୟ ସଚିବ, ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ହ‌ସ୍ତକ୍ଷେପ ଲୋଡ଼ିଛନ୍ତି।

ପ୍ରକାଶ ଥାଉକି ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୧୪୨ମିଲିୟନ ଟନ୍ ଲୁହାପଥର ଉତ୍ତୋଳନ ହୋଇଥିବା ବେଳେ ୨୦୨୦-୨୧ରେ ୧୧୧ ମିଲିୟନ ଟନ୍ ଅର୍ଥାତ୍ ୩୧ମିଲିୟନ୍‌ ଟନ୍‌ କମ୍ ଲୁହାପଥର ଉତ୍ତୋଳନ ହୋଇଛି। ଅପରପକ୍ଷରେ ୨୦୧୯-୨୦ରେ ୧୭.୪ ମିଲିୟନ୍ ଟନ୍ ବାହାରକୁ ରପ୍ତାନି ହୋଇଥିବା ବେଳେ ୨୦୨୦-୨୧ରେ ୧୧.୬ ମିଲିୟନ୍ ଟନ ଅଧିକ ଅର୍ଥାତ୍ ୨୯ମିଲିୟନ୍ ଟନ୍ ଲୁହାପଥର ବାହାରକୁ ରତ୍ପାନି ହୋଇଛି। ଫଳରେ ରାଜ୍ୟର ଚାହିଦା ପ୍ରକାରେ ଗତ ୨ ବର୍ଷରେ ୪୨ମିଲିୟନ୍ ଟନ୍ ଲୁହାପଥର କମ୍ ରହିଛି। ଯାହାର ପ୍ରଭାବ ଇସ୍ପାତ ଶିଳ୍ପ ଉପରେ ପଡ଼ିଛି। ବିଶେଷ କରି ଗତ ୨୦୨୦ରେ ଜୁନରେ ଲୁହାପଥର ଟନ୍ ପ୍ରତି ମୂଲ୍ୟ ୨୨୦୦ ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ୫ଗୁଣ ବୃଦ୍ଧି ପାଇଁ ୧୧ହଜାର୬୧୨ଟଙ୍କାରେ ପହଞ୍ଚିଛି। ଉତ୍ପାଦନ ହ୍ରାସ ସାଙ୍ଗକୁ ମୂଲ୍ୟ ବୃଦ୍ଧି ଇସ୍ପାତ ଶିଳ୍ପକୁ ସଙ୍ଗିନ ସ୍ଥିତିରେ ପହଞ୍ଚାଇଛି। ଗତ ୨୦୨୦-୨୧ରେ ଉତ୍ତୋଳନ ହୋଇଥିବା ୧୧୧ମିଲିୟନ୍ ଟନ୍ ମଧ୍ୟରୁ ୬୫ମିଲିୟନ୍ ଟନ୍ ନିଜସ୍ବ ଇସ୍ପାତ କାରଖାନା ଥିବା ସଂସ୍ଥା ଉତ୍ତୋଳନ କରିଛନ୍ତି। ଅବଶିଷ୍ଟ ୪୬ମିଲିୟନ୍ ଟନ୍ ଲୁହପଥର ଅନ୍ୟମାନେ ଉତ୍ତୋଳନ କରିଛନ୍ତି। ଇ-ନିଲାମ ହେବା ସମୟରେ ନିଜସ୍ବ ଖଣିଥିବା ଶିଳ୍ପାନୁଷ୍ଠାନ ଏବଂ ଖଣିନଥିବା ଶିଳ୍ପାନୁଷ୍ଠାନ ଭଳି ଭାଗ ନେଉଛନ୍ତି। ଏପରିକି ଅନ୍ୟ ରାଜ୍ୟର ଶିଳ୍ପାନୁଷ୍ଠାନ ମଧ୍ୟ ଭାଗ ନେଉଛନ୍ତି। ଏକାଧିକ ଖଣି ନିଲାମ ନେଇଥିବା ସଂସ୍ଥା ଯଥା ସିରାଜୁଦ୍ଦିନ, ଫୋମେଣ୍ଟ , ତରନା ଓ ବିଶାଳ ଏଲପିଜି ଆଜି ପର୍ଯ୍ୟନ୍ତ ଲୁହାପଥର ଉତ୍ତୋଳନ କରିନାହାନ୍ତି। ଗତ ୨ତାରିଖରେ ଓଏମ୍‌ସି ପକ୍ଷରୁ ଲୁହାପଥର ଇ-ନିଲାମରେ ପଶ୍ଚିମବଙ୍ଗ ଓ ଛତିଶଗଡ଼ର କାରଖାନା ମାଲିକମାନେ ଭାଗ ନେବା ସହିତ ଖଣିଥିବା ଶିଳ୍ପାନୁଷ୍ଠାନମାନେ ମଧ୍ୟ ଭାଗ ନେଇଥିଲେ। ଯାହାଫଳରେ ଗତ ନିଲାମ ଠାରୁ ଏଥର ୪ହଜାର ଟଙ୍କା ବୃଦ୍ଧି ପାଇଁ ଟନ୍‌ ପିଛା ଦର ୧୧ହଜାର ୬୧୨ଟଙ୍କାରେ ପହଞ୍ଚିଛି। ଯାହାକୁ ନେଇ ଖଣି ନଥିବା ଓଡ଼ିଶାର ଇସ୍ପାତ ଶିଳ୍ପାନୁଷ୍ଠାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ସୂଚନା ଯୋଗ୍ୟ ଏହାମଧ୍ୟରେ ଓଏମସିର କ୍ରୋମାଇଟ୍ ଇ-ନିଲାମ ଷଷ୍ଠଥର ପାଇଁ ବିଫଳ ହୋଇଥିଲା। ଏହି କାରଣରୁ ଫେରୋକ୍ରୋମ ଉତ୍ପାଦନ କରୁଥିବା ଶିଳ୍ପାନୁଷ୍ଠାନର ସ୍ଥିତି ମଧ୍ୟ ସଙ୍ଗିନ ହୋଇପଡ଼ିଛି।

ସମ୍ବନ୍ଧିତ ଖବର