ବଢ଼ୁଛି ଲୁହାପଥର ଗୁଣ୍ଡ ‌ଚୋରା ଚାଲାଣ

ଶଙ୍କରପୁର : ଦିନକୁ ଦିନ ଲୁହାପଥର ଗୁଣ୍ଡ ଚୋରା ଚାଲାଣ ବୃଦ୍ଧି ପାଉଛି। ଶଙ୍କରପୁରର କେତେକ ସ୍ଥାନରେ ଚୋରା ଲୁହାପଥରକୁ ମିକ୍ସଚର ମେସିନରେ ଗୁଣ୍ଡ କରାଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ଖଣି ବିଭାଗର କେତେକ ଅସାଧୁ ଅଧିକାରୀ ଓ ମାଫିଆଙ୍କ ସଲାସୁତରାରେ ଏଭଳି ରାତି ଅଧିଆ କାରବାର ଚାଲିଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ବେଆଇନ ଭାବରେ ଲୁହା ଗୁଣ୍ଡ କରାଯାଉଥିବା ବେଳେ ଲୁହାଗୁଣ୍ଡରେ ସ୍ଥାନୀୟ ଅଧିବାସୀ ଅତିଷ୍ଠ ହୋଇପଡ଼ୁଛନ୍ତି। ପ୍ରଦୂଷଣ ବଢ଼ୁଥିବା ବେଳେ ଲୋକେ ନାନା ରୋଗର ଶିକାର ହେଉଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁଯାୟୀ ସଦରବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଶଙ୍କରପୁର ସରକାରୀ ମଦ ଦୋକାନ ନିକଟରେ ବର୍ଷ ତମାମ ରାତିରେ ଲୁହା ପଥର ରଖା ଯାଉଛି ତାକୁ ମେସିନରେ ଗୁଣ୍ଡ କରାଯାଉଛି। ରାତିରେ ଟ୍ରକ ଟ୍ରକ୍ ଲୁହାପଥର ଏଠାରେ ଆଣି ଗଚ୍ଛିତ କରାଯାଉଛି। ଲୁହାପଥରକୁ ମିକ୍ସଚର ମେସିନ ସାହାଯ୍ୟରେ ଗୁଣ୍ଡ କରାଯିବା ପରେ ଲୁହ ଗୁଣ୍ଡକୁ ଟ୍ରକରେ ବିଭନ୍ନ ରାଜ୍ୟକୁ ଚାଲାଣ କରାଯାଉଛି। ଦିନେ ନୁହଁ କି ମାସ ନୁହଁ ଏମିତି ବର୍ଷ ତମାମ ଚାଲିଛି। ମାସମାସ ଧରି ଏଭଳି କାରବାର ଚାଲିଥିବା ବେଳେ ଖଣି ବିଭାଗ ନିଘୋଡ଼ ନିଦରେ ଶୋଇଛି। ସ୍ଥାନୀୟ ଅଞ୍ଚଳରେ ଧୂଳି ଧୂଆଁ ଉଡି ପ୍ରଦୂଷଣ ବଢ଼ୁ ଥିବା ବେଳେ ବର୍ଷା ହେଲେ ଲୁହା ପଥର ଗୁଣ୍ଡ ଯାଇ ଚାଷ ଜମିରେ ମିଶୁଛି। ଫଳରେ ଚାଷୀର କ୍ଷତି ହଉଛି। ଏନେଇ ଏହାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର