ଆନନ୍ଦପୁର: ଟ୍ରକ ଯୋଗେ କେନ୍ଦୁଝର ଜିଲ୍ଲାରୁ ଲୁହାପଥର ପରିବହନ ବନ୍ଦ। ଫଳରେ ଜିଲ୍ଲାର ଗାଁଠାରୁ ଆରମ୍ଭ କରି ସହର ସବୁଆଡେ ରାସ୍ତାକଡ଼ରେ ମାଳମାଳ ଟ୍ରକ ଛିଡ଼ା ହୋଇଛି। ଚକ ଗଡୁ ନଥିବାରୁ ମାଲିକଙ୍କ ଅବସ୍ଥା ବେହାଲ ହୋଇପଡ଼ିଛି। ଋଣ କରିଥିବା ମାଲିକମାନେ ମାସିକ କିସ୍ତି ଦେଇପାରୁ ନଥିବାରୁ ଫାଇନାନ୍ସ କମ୍ପାନିଙ୍କୁ ତାଗିଦ୍ ଯୋଗୁ ସେମାନେ ମାନସିକ ଚାପରେ ରହୁଛନ୍ତି। ଏପରିକି ମାନସିକ ଚିନ୍ତାରେ ଗତ ତିନିମାସ ମଧ୍ୟରେ ଜିଲ୍ଲାରେ ତିନିଜଣ ଟ୍ରକମାଲିକଙ୍କ ଜୀବନ ଚାଲି ଯାଇଥିବାବେଳେ ଆଗକୁ ପରିସ୍ଥିତି ଆହୁରି ସଂଗିନ ହେବା ନିଶ୍ଚିତ ହୋଇପଡିଛି।
ଜିଲ୍ଲାରେ ମୋଟ୍ ୧୦ ହଜାରରୁ ଊର୍ଦ୍ଧ୍ବ ଟ୍ରକ ଲୁହାପଥର ପରିବହନରେ ନିୟୋଜିତ ହୋଇଥିବାବେଳେ ଆନନ୍ଦପୁର ଉପଖଣ୍ଡରେ କେବଳ ୨ ହଜାରରୁ ଊର୍ଦ୍ଧ୍ବ ଟ୍ରକ ରହିଛି। ଅନେକ ବେକାରୀ ଯୁବକ ଫାଇନାନ୍ସ କମ୍ପାନି ବ୍ୟାଙ୍କରୁ ଋଣ ଆଣି ଟ୍ରକ ବ୍ୟବସାୟ କରୁଛନ୍ତି। ୨୦୨୧ ଅକ୍ଟୋବର ମାସରୁ ଲୁହାପଥର ରପ୍ତାନି ବନ୍ଦ ରହିଥିବାରୁ ମାଲିକମାନେ ମାନସିକ ଚାପରେ ରହିଛନ୍ତି। ରୋଜଗାର ନଥିବାରୁ ମାସିକ କିସ୍ତି ଦେଉପାରୁ ନଥିବାରୁ ନୂଆ ଟ୍ରକମାଲିକଙ୍କ ଅବସ୍ଥା ସଂଗିନ ହେଲାଣି। କେତେକ ହାତ ଉଧାରି କରଜ କରି ରୋଡ ଟ୍ୟାକ୍ସ, ପରମିଟ୍, ଫିଟନେସ୍, ବୀମା ବାବଦକୁ ଅର୍ଥ ଦେଉଥିବା ଜଣାପଡିଛି। ଋଣ କିସ୍ତି ପ୍ରଦାନ ପାଇଁ ଫାଇନାନ୍ସ କମ୍ପାନି ପକ୍ଷରୁ ମାଲିକମାନଙ୍କୁ ବାରମ୍ବାର ନୋଟିସ୍ ମଧ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ମାଲିକମାନେ ଗାଡି ବିକ୍ରି କରିବାକୁ ଚାହୁଁଥିଲେ ମଧ୍ୟ ଟ୍ରକ କେହି ନେବାକୁ ଇଛା ପ୍ରକାଶ କରୁନାହାଁନ୍ତି। କେତେକ ଶଗମାଛ ଦରରେ ରାଜ୍ୟ ବାହାର ବ୍ୟକ୍ତିଙ୍କୁ ଟ୍ରକ ବିକ୍ରି କରି ଦେଉଥିବା ଜଣାପଡିଛି। ଟ୍ରକ ଚାଲୁ ନଥିବାରୁ ମାନସିକ ଭାରସାମ୍ୟ ହରାଇ ଇତି ମଧ୍ୟରେ ତିନିଜଣ ଟ୍ରକମାଲିକଙ୍କର ଜୀବନ ଗଲାଣି।
ତେଲକୋଇ ବ୍ଲକ ଛାମୁଣ୍ଡା ଗ୍ରାମର ମାଲିକ ମକୁନ୍ଦ ମହାକୁଡ଼ ନିଜ ଟ୍ରକରେ ଆତ୍ମହତ୍ୟା କରିଥିବାବେଳେ ହାଟଡିହି ବ୍ଲକ ଚୋରଗଡିଆ ଗ୍ରାମର ପ୍ରଶାନ୍ତ ଜେନା, ଶୁଆକାଟୀର ଗଣେଶ ସାହୁଙ୍କର ମାନସିକ ଚାପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଟ୍ରକ ବ୍ୟବସାୟ ବନ୍ଦ ରହିଥିବାରୁ ୨୦ ନମ୍ବର ଜାତୀୟ ରାଜପଥ ତଥା ଖଣିଖାଦାନ ଅଞ୍ଚଳରେ ଥିବା ଟ୍ରକ ଗ୍ୟାରେଜ୍, ଢାବା, ପାନଦୋକାନ ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡିଛି। ୨୦ ହଜାରରୁ ଊର୍ଦ୍ଧ୍ବ ଡ୍ରାଇଭର ଓ ହେଲପର ମଧ୍ୟ ନିଜର ଜୀବିକା ହରାଇଛନ୍ତି। କେତେକ ମାଲିକ, ଡ୍ରାଇଭର ହେଲପର ମଧ୍ୟ ବାଧ୍ୟହୋଇ ଅନ୍ୟ କାମଧନ୍ଦା କରୁଥିବା ନଜରକୁ ଆସିଛି। ଏଭଳି ପରିସ୍ଥିତି ଲାଗିରହିଲେ ଆଗକୁ ପରିସ୍ଥିତି ଆହୁରି ସଂଗିନ ହେବାସହିତ ଜିଲ୍ଲାର ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ଘସିପୁରାର ଟ୍ରକମାଲିକ ମନୋରଂଜନ ସାହୁ କହିଛନ୍ତି ଟ୍ରକ ବ୍ୟବସାୟ ସମ୍ପୁର୍ଣ୍ଣ ବନ୍ଦ ହେବାଯୋଗୁ ମାଲିକଙ୍କ ଅବସ୍ଥା ବହୁତ ଖରାପ୍ ହୋଇପଡିଛି। ଗାଡ଼ିଗୁଡିକ ଦୀର୍ଘଦିନ ଧରି ଖୋଲା ଆକାଶ ତଳେ ପଡ଼ି ରହିବାରୁ ଏହାର ଯନ୍ତ୍ରାଂଶ ଚୋରି ହେବାସହିତ ଅନେକ ଖରାପ୍ ମଧ୍ୟ ହୋଇଗଲାଣି। ଆଗକୁ ଟ୍ରକ ନଚାଲିଲେ ମାଲିକମାନେ ବାଧ୍ୟହୋଇ କବାଡ଼ିବାଲାଙ୍କୁ ଟ୍ରକ ବିକ୍ରି କରିବାକୁ ବାଧ୍ୟହେବେ ଏଥିରେ ସନ୍ଦେହ ନାହିଁ। କେନ୍ଦୁଝର ଟ୍ରକମାଲିକ ସଂଘର ବରିଷ୍ଠ କର୍ମକର୍ତ୍ତା ଭଗବାନ ସାହୁ କହିଛନ୍ତି ୧୩ମାସ ଧରି କ୍ରମାଗତ ଟ୍ରକ ପରିବହନ ବନ୍ଦ ହେବାଯୋଗୁ ମାଲିକମାନେ ଦୁଃଖ ଦୁର୍ଦ୍ଦିନରେ ରହିଛନ୍ତି। ଦୁଇଦିନ ତଳେ କେନ୍ଦ୍ର ସରକାର ୫୮ଗ୍ରେଡ୍ ତଳକୁ ଥିବା ଲୁହାପଥରରେ ରପ୍ତାନୀ ଶୁଳ୍କ ଉଠାଇ ଦେବାପରେ ଟ୍ରକ ଯୋଗେ ପରିବହନ ହେବାନେଇ ଆଶା ସଞ୍ଚାର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/39-17.jpg)