କେନ୍ଦୁଝର: ଓଡ଼ିଶା ରାଜକୋଷକୁ ସମୃଦ୍ଧ କରୁଛି ଖଣି ରାଜସ୍ବ। ରାଜ୍ୟରେ ଗଚ୍ଛିତ ଲୁହାପଥର ଓ ଏହାର ଉତ୍ତୋଳନ ହାରକୁ ହିସାବ କଲେ ଆଉ ମାତ୍ର ୬୨ବର୍ଷରେ ସବୁ ଲୁହାପଥର ଶେଷ ହୋଇଯିବ। ଓଡ଼ିଶାରେ ଗଚ୍ଛିତ ଥିବା ବିଭିନ୍ନ ଖଣିଜ ପଦାର୍ଥ ମଧ୍ୟରୁ ସର୍ବପ୍ରଥମେ ଲୁହାପଥର ହିଁ ଶେଷ ହେବ ବୋଲି ସରକାରୀସ୍ତରରେ ଆକଳନ କରାଯାଇଛି।
ଉନ୍ନତ ଲୁହାପଥର ଖଣିର ରାଜଧାନୀ ଭାବେ କେନ୍ଦୁଝର ଜଣାଶୁଣା। ଜିଲ୍ଲାର ବିଭିନ୍ନ ଖଣି ଉପରେ ରାଜ୍ୟ ତଥା ଦେଶର ୯୦ ପ୍ରତିଶତ ଇସ୍ପାତ କାରଖାନା ନିର୍ଭର କରୁଛନ୍ତି। କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୪୯୫୩ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବାବେଳେ ୧୨୭ ନିୟୁତ ଟନ୍ ମାଙ୍ଗାନିଜ୍, ୫୯ ନିୟୁତ ଟନ୍ ବକ୍ସାଇଟ୍, ୨୭ ନିୟୁତ ଟନ୍ କ୍ରୋମାଇଟ ଗଚ୍ଛିତ ଅଛି।
ଆଉ କିଛିବର୍ଷ ପରେ କେନ୍ଦୁଝର ସମେତ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ଥିବା ଖଣିରୁ ଲୁହାପଥର ଶେଷ ହୋଇଯିବ। ଏହାଦ୍ବାରା କେବଳ ରାଜସ୍ବ ଆଦାୟ କମିବ ନାହିଁ, ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି।
ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ୧୩ ପ୍ରକାର ଖଣିଜ ପଦାର୍ଥ ଗଚ୍ଛିତ ଅଛି। ସବୁଠୁ ଅଧିକ ୯୭୫୮ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଅଛି। ୨୦୨୧-୨୨ରେ ୧୪୭ ନିୟୁତ ଟିନ୍ ଲୁହାପଥର ଉତ୍ତୋଳନ ହୋଇଥିବାବେଳେ ୨୦୨୨-୨୩ରେ ୧୫୫ ନିୟୁତ ଟନ୍ ଓ ୨୦୨୩-୨୪ରେ ୧୬୯ ନିୟୁତ ଟନ୍ ଲୁହାପଥର ଉତ୍ତୋଳନ ହୋଇଛି। ପ୍ରତିବର୍ଷ ହାରାହାରି ୧୫୭ ନିୟୁତ ଟନ୍ ଲୁହାପଥର ଉତ୍ତୋଳନ ହେଉଛି। ଏହି ହାରରେ ଉତ୍ତୋଳନ ଚାଲିଲେ ଓଡ଼ିଶାରେ ଗଚ୍ଛିତ ଥିବା ସମସ୍ତ ଲୁହାପଥର ୬୨ ବର୍ଷରେ ଶେଷ ହୋଇଯିବ।
ସେହିପରି ଓଡ଼ିଶାରେ ୯୪ ହଜାର ୨୮୧ ନିୟୁତ ଟନ୍ କୋଇଲା ଗଚ୍ଛିତ ଅଛି। ଗତ ତିନିବର୍ଷର ହିସାବ ଅନୁସାରେ, ପ୍ରତିବର୍ଷ ହାରାହାରି ୨୦୭ ନିୟୁତ ଟନ୍ କୋଇଲା ଉତ୍ତୋଳନ ହେଉଛି। ଏହି ହାରରେ ଉତ୍ତୋଳନ ଜାରି ରହିଲେ ରାଜ୍ୟରେ ଗଚ୍ଛିତ ଥିବା କୋଇଲା ଶେଷ ହେବାକୁ ଆହୁରି ୪୫୪ ବର୍ଷ ଲାଗିବ। ଓଡ଼ିଶାରେ ଲୁହାପଥର ସମେତ କୋଇଲା, ବକ୍ସାଇଟ୍, କ୍ରୋମାଇଟ, ଡୋଲୋମାଇଟ, ଗ୍ରାଫାଇଟ୍, ଚୂନପଥର, ମାଙ୍ଗାନିଜ, ମିନେରାଲ୍ ସ୍ୟାଣ୍ଡ, ଲାଇମ୍ଷ୍ଟୋନ୍, କ୍ବାର୍ଟଜ୍, ପ୍ୟାରୋକ୍ସୋନାଇଟ୍ ଆଦି ଖଣିଜ ଗଚ୍ଛିତ ରହିଛି। ସବୁଠୁ କମ୍ ସମୟ ମଧ୍ୟରେ ଲୁହାପଥର ଶେଷ ହେବାକୁ ଯାଉଥିବାବେଳେ ସର୍ବାଧିକ ୧୯ ହଜାର ୭୦୩ ବର୍ଷରେ କ୍ବାର୍ଟଜ୍ ଶେଷ ହେବ ବୋଲି ସରକାରୀସ୍ତରରେ ଆକଳନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/28/NOVfPexLsiLx90mmmmvr.jpg)