୧୮ଘଣ୍ଟା ପରେ ଛାତିରୁ ବାହାରିଲା ଲୁହା ରଡ୍‌

ବିଷ୍ଣୁ, ଅଳିଙ୍କ ପରେ ଚନ୍ଦନ

କଟକ : ଛାତିରେ ପଶି ଯାଇଥିଲା ଲୁହା ରଡ। ଦୀର୍ଘ ୧୮ ଘଣ୍ଟା ଜୀବନ ସହ ସଂଘର୍ଷ ଏବଂ ଦେଢ ଘଣ୍ଟାର ଅ‌େସ୍ତ୍ରାପଚାର ପରେ ଲୁହା ରଡ ବାହାରିଲା ଛାତିରୁ। କେନ୍ଦୁଝରର ୧୧ ବର୍ଷର ବାଳକ ଚନ୍ଦନ ମହାକୁଡ ପାଇଲେ ନୂଆ ଜୀବନ। କଟକ ବଡମେଡିକାଲ ସର୍ଜରୀ ବିଭାଗରେ ଏଭଳି ସଫଳ ଅ‌େସ୍ତ୍ରାପଚାର କରାଯାଇଥିବା ବେଳେ ଆଜିର ଘଟଣାକୁ ମିଶାଇ ୩ ଜଣ ସମାନ ଧରଣର ଘଟଣାର ଶିକାର ହୋଇ କଟକ ବଡ ମେଡିକାଲରେ ନୂଆ ଜୀବନ ପାଇଛନ୍ତି।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ଡିମ୍ବୋ ଗ୍ରାମରେ ଗତକାଲି ଅପରାହ୍ନରେ ନନ୍ଦ କିଶୋର ମହାକୁଡ଼ଙ୍କ ପୁଅ ଚନ୍ଦନ ଏକ ୪ ଫୁଟ‌ର ଲୁହା ରଡ୍ ଧରି ଖେଳୁଥିଲେ। ଅସାବଧାନତାବଶତଃ ଲୁହା ରଡଟି ଚନ୍ଦନଙ୍କ ବାମ କଡ ଛାତିରେ ଗଳି ଯାଇଥିଲା। ଚନ୍ଦନର ଚିତ୍କାର ଶୁଣି ପରିବାର ଲୋକ ଧାଇଁ ଆସିଥିଲେ। ତାଙ୍କୁ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦେଇଥିଲେ। ଆଜି ଭୋର ସମୟରେ ଚନ୍ଦନ ବଡମେଡିକାଲରେ ପହଞ୍ଚିବା ପରେ ତାଙ୍କୁ ଆଶୁ ଚିକିତ୍ସା ବିଭାଗରେ ପ୍ରାଥମିକ ଚିକିତ୍ସା କରାଯାଇ ସର୍ଜରୀ ବିଭାଗକୁ ପଠାଯାଇଥିଲା। ସର୍ଜରୀ ବିଭାଗରେ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଆସିଷ୍ଟାଣ୍ଟ ପ୍ରଫେସର ଅସିତ୍‌ ସେଠୀ ଓ ଡାକ୍ତର ଅରଜିତ୍‌ ପ୍ରମୁଖ ଅ‌େସ୍ତ୍ରାପଚାର କରି ଲୁହା ରଡକୁ ବାହାର କରିଥିଲେ। ଚନ୍ଦନ ଏବେ ସଂପୂର୍ଣ୍ଣ ସୁସ୍ଥଥିବା ଅ‌େସ୍ତ୍ରାପଚାର କରିଥିବା ଆସୋସିଏଟ୍‌ ପ୍ରଫେସର ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୮ ମେ’ ୩୧ରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଧାଙ୍ଗଡଡ଼ିହା ଗ୍ରାମର ସ୍ବର୍ଗତ ସୁଦାମ ମହାକୁଡ଼ଙ୍କ ପୁଅ ବିଷ୍ଣୁ ଅପରାହ୍ନ ପ୍ରାୟ ୪ଟା ବେଳେ ଘର ପାଖ ଜାମୁ ଗଛରେ ଚଢି କୋଳି ତୋଳୁଥିବା ବେଳେ ଡାଳ ଭାଙ୍ଗି ଯିବାରୁ ସେ ୨୦ ଫୁଟ୍‌ ତଳକୁ ଖସି ପଡ଼ିଥିଲେ। ତଳେ ଥିବା ଏକ କାଠ ଖୁଣ୍ଟା ତାଙ୍କ କାଖ ପଟେ ପଶି ବାମପଟ ଛାତି ଦେଇ ବେକ ଉପରକୁ ବାହାରି ଯାଇଥିଲା। ଗ୍ରାମବାସୀ କରତରେ ଗଛ ମୂଳ କାଟିଲେ ସତ କିନ୍ତୁ ବିଷ୍ଣୁଙ୍କ ଛାତିରେ ପଶିଥିବା କାଠ ଖୁଣ୍ଟା ବାହାରିବା ସମ୍ଭବ ହେଇ ନଥିଲା। ଜୁନ୍‌ ୧ରେ କଟକ ବଡ ମେଡିକାଲ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା ବିଭାଗ ଓଟିରେ ଦୀର୍ଘ ୩ ଘଣ୍ଟାର ଅ‌େସ୍ତ୍ରାପଚାର ପରେ ବିଷ୍ଣୁଙ୍କ ଛାତିରୁ ତିନି ଫୁଟ ଲମ୍ବ ଓ ୪ ଇଞ୍ଚ ଗୋଲେଇ କାଠଖୁଣ୍ଟା ବାହାର କରିଥିଲେ।

ସେହି ଘଟଣାର ୬ଦିନ ପରେ କେନ୍ଦୁଝର ଜିଲ୍ଲା କାଠପାଳ ଗ୍ରାମର ଅଳି ଜେନା(୩୨ଙ୍କ ପିଠିରେ ଏକ ତୀର ପଶି ଥିଲା। ଦୀର୍ଘ ୧୪ଘଣ୍ଟା ଧରି ପିଠିରେ ପଶିଥିବା ତୀରକୁ କଟକ ବଡ ମେଡିକାଲ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା ବିଭାଗରେ ଅ‌େସ୍ତ୍ରାପଚାର କରାଯାଇ ବାହାର କରାଯାଇଥିଲା। ଏଭଳି ଘଟଣା ବାରମ୍ବାର କେନ୍ଦୁଝର ଜିଲ୍ଲାରେ ଘଟୁଥିବା ବେଳେ ତାର ସଫଳ ଅ‌େସ୍ତ୍ରାପଚାର ବଡମେଡିକାଲରେ ସମ୍ଭବ ହେବା ସହ ବିଷ୍ଣୁ, ଅଳି ଏବଂ ଚନ୍ଦନ ନୂଆ ଜୀବନ ପାଇବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର