ଓଡ଼ିଶାରେ ପିଏମ୍‌ ଆବାସରେ ଅନିୟମିତତା ହୋଇଛି: ବିଭାଗୀୟ ମନ୍ତ୍ରୀ

ଭର୍ତ୍ତୃହରିଙ୍କ ପ୍ରଶ୍ନର ବିସ୍ତୃତ ଉତ୍ତର ରଖିଲେ ମନ୍ତ୍ରୀ ନିରଞ୍ଜନା ଜ୍ୟୋତି

ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଅନିୟମିତତା ହୋଇଛି। ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନା ଜ୍ୟୋତି। ମନ୍ତ୍ରୀଙ୍କ ସୂଚନା ହେଲା, ଓଡ଼ିଶାରେ ଏହି ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ନଅ ଜଣ ସାଂସଦଙ୍କୁ ନେଇ ଗଠିତ ଯୁଗ୍ମ ପ୍ରତିନିଧି ମଣ୍ଡଳ ୨୦୨୦ ଫେବ୍ରୁଆରି ୧୨ରେ କରିଥିଲେ। ଯୋଜନାର ୧୨.୮୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୮୫ ପ୍ରତିଶତ ଅଯୋଗ୍ୟ ବୋଲି ସାଂସଦ ମଣ୍ଡଳ ଅଭିଯୋଗ କରିଥିଲେ । ଯେଉଁ ପରିବାରର ଆବେଦନକୁ ୨୦୧୮-୧୯ରେ ବାତିଲ କରାଯାଇଥିଲା ସେମାନଙ୍କୁ ୨୦୧୯-୨୦ରେ ଆବାସ ଆବଣ୍ଟନ କରାଯାଇଥିଲା। ଏହା ସହ ତୃଣମୂଳ ସ୍ତରରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ‌୍ରାମୀଣ) ଭାବେ ଓଡ଼ିଶାରେ ଆଖ୍ୟା ଦିଆନଯିବା ସହ ଯୋଜନା ପାଇଁ ତିନି ବର୍ଷ ହେଲା ବଜେଟ ବ୍ୟବସ୍ଥା ହୋଇନଥିବା, ଯୋଜନା ଅଧୀନରେ ଫନି ବାତ୍ୟାଗ୍ରସ୍ତଙ୍କ ଚୟନରେ ଅନିୟମିତତା ଓ ୮୩୧ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଆବଣ୍ଟନ ଭଳି ଅଭିଯୋଗ ରହିଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ଲଗାଯାଇଥିବା ଡିସେମ୍ବର ୧୨,୨୦୨୦ରେ ଅଭିଯୋଗ ଆସିଥିଲା। ଏହାର ତଦନ୍ତ ପାଇଁ ଓଡ଼ିଶା ସରକାରଙ୍କୁ କୁହାଯିବା ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ କୁହାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ବାରା ଫେବ୍ରୁଆରି ୨, ୨୦୨୧ରେ ଅନ୍ତରୀଣ ରିପୋର୍ଟ ଦାଖଲ କରାଯାଇଥିଲା। ଏହା ପରେ ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ଟିମ ଓଡ଼ିଶାକୁ ପଠାଯାଇଥିଲା। ଟିମ୍‌ ଫେବ୍ରୁଆରି ୯ ରୁ ୧୧ ପର୍ଯ୍ୟନ୍ତ ଓଡ଼ିଶା ଯାଇ ସରଜମିନ ତଦନ୍ତ କରିଥିଲେ। ଟିମ୍‌ ଦ୍ବାରା ପ୍ରଦତ୍ତ ରିପୋର୍ଟରେ କୁହାଯାଇଥିଲା ଯେ ପିଏମ୍‌ଏୱାଇ-ଗ୍ରାମୀଣରେ କେନ୍ଦ୍ର ସରକାରଙ୍କ ଲୋଗୋ ଲଗାଯାଉ ନାହିଁ। ନିର୍ମାଣର ଖରାପ ଗୁଣବତ୍ତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ବଣ୍ଟନ କରାଯାଇଥିବା ତଥ୍ୟ ମିଳିଥିଲା। ଟିମ୍‌ ତଥ୍ୟ ଆଧାରରେ ଦୋଷୀ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସଂପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଓ ନୋଟିସ ଜାରିକରିବା, ସୋସିଆଲ୍‌ ମିଡିଆରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପ୍ରସାରିତ କରିବା ଆଦି ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ମନ୍ତ୍ରୀଙ୍କ ସୂଚନା ହେଲା, ଏ ବାବଦରେ ଓଡ଼ିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଜୁଲାଇ ୨୦, ୨୦୨୧ରେ ଦାଖଲ କରାଯାଇଥିଲା। କିନ୍ତୁ ଏହି ରିପୋର୍ଟକୁ ଉପଯୁକ୍ତ ମନେ ନକରି ମନ୍ତ୍ରାଳୟ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା ଏବଂ ଏହାକୁ ଗ୍ରହଣ କରାଯାଇନଥିଲା। ଏହା ପରେ କେନ୍ଦ୍ର ସରକାର ଓଡ଼ିଶାକୁ ଦ୍ବିତୀୟ କେନ୍ଦ୍ରୀୟ ଟିମ ପଠାଇଥିଲେ। ଦ୍ବିତୀୟ କେନ୍ଦ୍ରୀୟ ଟିମ ୨୦୨୨ ମାର୍ଚ୍ଚ ୨ ରୁ ୪ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିଥିଲା। କେନ୍ଦ୍ରୀୟ ଅଭିଯୋଗ ଉପରେ ରାଜ୍ୟ ସରକାର ଅଳ୍ପ କିଛି ପଦକ୍ଷେପ ନେଇଥିବାର ଜଣାପଡ଼ିଥିଲା। ତଥାପି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ଲାଗିଥିବା ଦେଖିବାକୁ ମିଳିଥିଲା। ନିର୍ମାଣ ଗୁଣବତ୍ତା ଖରାପ ଥିଲା। ଦ୍ବିତୀୟ କେନ୍ଦ୍ରୀୟ ଟିମ ରିପୋର୍ଟକୁ ମାର୍ଚ୍ଚ ୧୭, ୨୦୨୨ରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଓଡ଼ିଶା ମୁଖ୍ୟ ଶାସନ ସଚିବ ଜୁଲାଇ ୨୧, ୨୦୨୨ରେ ଦ୍ବିତୀୟ କେନ୍ଦ୍ରୀୟ ଟିମ୍‌ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଥିଲେ। ଏହାକୁ ତର୍ଜମା କରାଯିବା ପରେ କେନ୍ଦ୍ର ସରକାର ଅଗଷ୍ଟ ୪, ୨୦୨୨ରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୨, ୨୦୨୨ରେ ଯେଉଁ ବିସ୍ତୃତ ତଥ୍ୟ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା ସେଥିରେ ୨୨ ଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ବିଦା କରାଯିବା ସହ ୪୪ ଅଧିକାରୀଙ୍କୁ ସସପେଣ୍ଡ, ୨୬୮ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା କୁହାଯାଇଥିଲା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୨୨ ଅଗଷ୍ଟ ୧୧ରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ ଯୋଗ ଦେଇଥିଲେ। ବିଭାଗୀୟ ରାଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଓଡ଼ିଶାର ୧୪ଟି ଜିଲ୍ଲାର ୧, ୪୨, ୦୦୫ ଫନି ପ୍ରଭାବିତ ପରିବାରଙ୍କ ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ଅନୁମୋଦନ କରିଥିଲେ। ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟକୁ ତର୍ଜମା କରିବା ପରେ ଓଡ଼ିଶା ସରକାରଙ୍କ ନିବେଦନକୁ ମନ୍ତ୍ରାଳୟ ଗ୍ରହଣ କରିଥିଲା ବୋଲି ମନ୍ତ୍ରୀ ସାଧ୍ବୀ ନିରଞ୍ଜନା ଜ୍ୟୋତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର