ବିଶ୍ବଜିତ ଦାଶ
ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ସରକାରଙ୍କ ବିଭିନ୍ନ ଗୃହ ଯୋଜନାରୁ ବାଦ୍‌ ପଡ଼ିଥିବା, ପ୍ରାକୃତିକ/ମନୁଷ୍ୟକୃତ ବିପର୍ଯ୍ୟୟରେ ଘର ଭାଙ୍ଗି ଯାଇଥିବା, ବିଭିନ୍ନ ପ୍ରକଳ୍ପ ପାଇଁ ବିସ୍ଥାପିତ ପ୍ରଜା, ଘରର ମୁଖ୍ୟ ରୋଜଗାରକ୍ଷମ ଲୋକ ଭିନ୍ନକ୍ଷମ ହୋଇଥିଲେ, ହାତୀ ଆକ୍ରମଣରେ ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଯୋଗାଇବାକୁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିଛନ୍ତି। ହେଲେ ଏହି ଯୋଜନା ଆରମ୍ଭରୁ ବଡ଼ କେଳେଙ୍କାରୀ ପଦାକୁ ଆସିଛି। ଗତ ମାର୍ଚ୍ଚ ମାସରୁ ବର୍ତ୍ତମାନ  ସୁଦ୍ଧା ପ୍ରାୟ ୫୫ହଜାର ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦ହଜାର ଟଙ୍କା ଲେଖାଏଁ ଦିଆଯାଇଥିବାବେଳେ ଏଥିରେ ହଜାର ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ (ସରକାରଙ୍କ ହିସାବରେ) ଟଙ୍କା ବଣ୍ଟା ହୋଇଯାଇଛି। ଏପରିକି କେତେ ଅଯୋଗ୍ୟଙ୍କୁ ଟଙ୍କା ଦିଆଯାଇଛି ତା’ର ପ୍ରକୃତ ତଥ୍ୟ ଏବେ ସୁଦ୍ଧା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଇପାରୁନି। ତେଣୁ କେମିତି ଟଙ୍କା ଫେରସ୍ତ ଅଣାଯିବ ସେ ଚିନ୍ତା ଏବେ ବିଭାଗୀୟ ବାବୁଙ୍କୁ ଘାରିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୫୦ ହଜାର ଏବଂ ୨୦୨୫-୨୬ ଆର୍ଥିକ ବ‌ର୍ଷରେ ଦୁଇଦିନ ତଳେ ୪ଟି ଜିଲ୍ଲାର ପ୍ରାୟ ୫ ହଜାର, ଏହିପରି ମୋଟ୍ ୫୫ ହଜାର ହିତାଧିକାରୀଙ୍କୁ ପ୍ରାୟ ୨୨୦ କୋଟି ଟଙ୍କା ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ହିସାବରେ ବଣ୍ଟାଯାଇଛି। ଏବେ ଟଙ୍କା ପଠାଇବା ପରେ ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀ କଥା ଜଣାପଡ଼ିଲା। ଏହା ଭିତରକୁ ପଶୁପଶୁ ଜଣାପଡ଼ିଛି ଯେ ସରକାରଙ୍କ ହିସାବରେ ଅଯୋଗ୍ୟ ହିତାଧିକାରୀ ଥିବା ପ୍ରାୟ ୧୫% ହିତାଧିକାରୀଙ୍କ (ପ୍ରାରମ୍ଭିକ ଆକଳନ ଅନୁଯାୟୀ) ଆକାଉଣ୍ଟକୁ ଦୁଇ ଆର୍ଥିକ ବର୍ଷରେ ଟଙ୍କା ପଳାଇଛି। ଅର୍ଥାତ୍ ପ୍ରାୟ ୮ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପାଖାପାଖି ୩୨ କୋଟି ଟଙ୍କା ଯାଇଛି। ‌ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ସେଥିରୁ ଅଧିକାଂଶ ଟଙ୍କା ଉଠାଇନେଇ ଯାଇଥିବାରୁ ଏତେ ଟଙ୍କା କେମିତି ଫେରାଇ ଅଣାଯିବ, ସେ ନେଇ ବିଭାଗୀୟ ଅଧିକାରୀମାନେ କିଛି ବୁଦ୍ଧି ବାଟ ପାଉନାହାନ୍ତି। କିଛି ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବାକୁ କୁହାଯାଇଛି ଓ ଯେଉଁମାନେ ଟଙ୍କା ଉଠାଇନେଇଛନ୍ତି ବୋଲି ଜଣାପଡ଼ୁଛି ସେମାନଙ୍କୁ ଟଙ୍କା ଫେରାଇବାକୁ ପରାମର୍ଶ ଦିଆଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

କୌତୂହଳ କଥା ହେଲା, ଯେଉଁମାନେ ଟଙ୍କା ପାଇଛନ୍ତି ସେମାନେ କହୁଛନ୍ତି ଆମର ତ ପକ୍କାଘର ନାହିଁ ବୋଲି ଯୋଗ୍ୟ ତାଲିକାରେ ରଖି ଟଙ୍କା ଦେଲ, ଏବେ ଟଙ୍କା କାହିଁକି ମାଗୁଛ? ଆମକୁ ୱାର୍କ ଅର୍ଡର ଦିଅ, ବାକି କିସ୍ତି ଟଙ୍କା ବି ଦିଅ। ଏପଟେ କେତେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନଥିବାରୁ ସେମାନେ ବିଡିଓଙ୍କ ନିକଟରେ ଅଭିଯୋଗ କଲେଣି ଯେ ଆମକୁ ଘର ଦେବାକୁ ସବୁ ଡକୁମେଣ୍ଟ ଆଣିଲ। ଅନ୍ୟମାନେ ଟଙ୍କା ପାଇଲେଣି, ଆମକୁ କାହିଁକି ଟଙ୍କା ଦେଉନ? ସ୍ଥିତି ଏପରି ହୋଇଛି ଯେ ଗାଁରୁ ବ୍ଲକ୍‌ ପର୍ଯ୍ୟନ୍ତ ଏବେ ଅନ୍ତ୍ୟୋଦୟକୁ ନେଇ କଳି ବଢ଼ିବାରେ ଲାଗିଛି। ଏ‌ପଟେ ଯୋଗ୍ୟ ଅଯୋଗ୍ୟ ନ ଜାଣି ପାରି ଟଙ୍କା ବାଣ୍ଟିଥିବାରୁ ପଞ୍ଚାୟତିରାଜ ବିଭାଗ ଅଧିକାରୀଙ୍କ ମୁଣ୍ଡ ଗୋଲ୍ ହୋଇଗଲାଣି। 

ଅନୁସନ୍ଧାନରୁ ଜଣାପଡ଼ିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ଅନ୍ୟ କୌଣସି ଗୃହ ଯୋଜନା; ସେଥିରେ ସ୍ଥାନୀୟ ବିଡିଓମାନେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରନ୍ତି। ଆଉ ବିଡିଓମାନେ ହିଁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଅନ୍ତି ଏବଂ ହିତାଧିକାରୀଙ୍କ ଆକାଉଣ୍ଟକୁ ବିଭିନ୍ନ କିସ୍ତିରେ ଟଙ୍କା ପଠାନ୍ତି। କିନ୍ତୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ବିଡିଓମାନେ ତାଲିକା ପ୍ରସ୍ତୁତ କରିଥିଲେ ହେଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ସିଧାସଳଖ ଟଙ୍କା ପଠାଇଛି। ଯେଉଁଥିପାଇଁ ଏହି ସମସ୍ୟାଟି ସୃଷ୍ଟି ହୋଇଛି। ରାଜ୍ୟ ସରକାର ମାର୍ଚ୍ଚ ମାସ ‌େଶଷକୁ ତରବରିଆ ଭାବେ ଅନ୍ତ୍ୟୋଦୟ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ବିଡିଓମାନଙ୍କୁ ତୁରନ୍ତ ହିତାଧିକାରୀଙ୍କ ତାଲିକା ଦେବାକୁ କୁହାଯାଇଥିଲା। ତାଲିକା ମିଳିବା ପରେ ସରକାର ବିଡିଓମାନଙ୍କୁ ନ ପଚାରି ଟଙ୍କା ପଠାଇଦେଲେ। ବିଡିଓମାନେ ଯେତେବେଳେ ୱାର୍କ ଅର୍ଡର ଦେଲେ ସେତେବେଳେ ଅନ୍ତ୍ୟୋଦୟ ଗୃହ ଯୋଜନା ମାନଦଣ୍ଡ ପୂରଣ କରୁନଥିବା କେତେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ କାଟିଥିଲେ। ଏହାସହ ମାର୍ଚ୍ଚ ମାସରେ ତରବରିଆ ଭାବେ ବିଭାଗକୁ ତାଲିକା ପଠାଇବାବେଳେ କେତେକ ଆକାଉଣ୍ଟ୍‌ ନମ୍ବର ଭୁଲ୍ ଏବଂ ଅନ୍ୟ ସମସ୍ୟା ଥିଲା। ଏହାକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରି ବିଭାଗକୁ ସାନି ତାଲିକା ପଠାଇଥିଲେ। ହେଲେ ଏବେ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନେ ସେହି ପୁରୁଣା ତାଲିକା ଅନୁଯାୟୀ ଟଙ୍କା ପଠାଇଦେଇଛନ୍ତି। ଏପଟେ ବିଡିଓମାନେ ବି କାହାକୁ ଟଙ୍କା ଦିଆଗଲା ତାଲିକା ପାଇନଥିବାରୁ କେଉଁ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଗଲା, ତା’ର ତାଲିକା ଦେଇପାରୁନାହାନ୍ତି।

ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରଥମ ଥର ଆର୍ଥିକ ସହାୟତା ଦିଆଯିବାବେଳେ ପ୍ରଥମେ ତାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ପଠାଯାଏ। ଏହାପରେ ବ୍ୟାଙ୍କ ଓ ହିତାଧିକାରୀଙ୍କଠାରୁ କନ୍‌ଫରମେସନ୍ ଆସିବା ପରେ ବାକି ଟଙ୍କା ପଠାଯାଏ। ହେଲେ ଏହି ଯୋଜନାରେ ବିଭାଗ ଏହି ନିୟମକୁ ପାଳନ କରିନାହିଁ। ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ୪୦ହଜାର ଟଙ୍କା ପଠାଇ ଦେଇଛି। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଦୁଇ ଦିନ ତଳେ ଅନ୍ତ୍ୟୋଦୟ ‌ଗୃହ ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିବାବେଳେ କେତେକ ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜଣାପଡ଼ିଥିଲା। ଏହାପରେ ଆମେ ରିପୋର୍ଟ ମାଗିଛୁ। ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଟଙ୍କା ଯାଇଛି, ତାଙ୍କ ଆକାଉଣ୍ଟ୍‌ ହୋଲ୍‌ଡ କରିଛୁ। ୬୦-୭୦ ହଜାର ଲୋକଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଇଲେ ଏମିତି ଅସୁବିଧା ହୁଏ। ହେଲେ କେ‌ମିତି ଟଙ୍କା ଫେରସ୍ତ ଆସିବ, ସେ ନେଇ ଆମେ ପଦକ୍ଷେପ ନେଇଛୁ। ପୂର୍ବରୁ ପିଏମ୍‌-ଆବାସରେ ଏମିତି ଦେଖିବାକୁ ମିଳିଛି। ସବୁ ଟଙ୍କା ଫେରସ୍ତ ଅଣାଯିବ।