ହାତୀ କରିଡର ନିର୍ମାଣରେ ଅନିୟମିତତା, ଟେଣ୍ଡର ପ୍ରକ୍ରିୟାରେ ‘ଆଦ୍ୟ ଉର୍ଜାକୁ’ ଅନୁକମ୍ପା

କେନ୍ଦୁଝର : କେନ୍ଦୁଝରରେ ହାତୀଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ନେସ୍କୋ ପକ୍ଷରୁ ହୋଇଥିବା ହାତୀ କରିଡର ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଛି। ଟେଣ୍ଡର ପ୍ରକ୍ରିୟାରେ ‘ଆଦ୍ୟ ଉର୍ଜା’ ନାମକ ଏକ ଠିକାସଂସ୍ଥାକୁ ‌ନେସ୍କୋ କର୍ତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଇଥିବା ଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି।

ମିଳିଥିବା ତଥ୍ୟ ଅନୁସାରେ, ନେସ୍କୋ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ହାତୀ କରିଡର ପାଇଁ ୧୨/୧୯-୨୦/୧୦୮୭୬, ତା ୨୬.୮.୨୦୧୯ରେ ପ୍ରଥମ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ପ୍ରାୟ ୩୩ କୋଟି ୭୦ ଲକ୍ଷ ଟଙ୍କାର କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏକାଧିକ ଆବେଦନକାରୀଙ୍କ ସହିତ ‘ଆଦ୍ୟ ଉର୍ଜା’ ନାମକ ଏକ ଠିକାସଂସ୍ଥ‌ା ମଧ୍ୟ ସାମିଲ ହୋଇଥିଲା। ଟେଣ୍ଡର ପ୍ରକ୍ରିୟାର ଗାଇଡ୍‌ଲାଇନ୍‌ ଅନୁସାରେ, ପ୍ରଥମେ ଟେକ୍ନିକାଲ ବିଡ୍‌‌ ଏବଂ ପରେ ଫାଇନାନ୍ସିଆଲ ବିଡ୍‌‌ ଖୋଲା ଯାଇଥିଲା। ଏଥିରେ ‘ଆଦ୍ୟ ଉର୍ଜା’ ଯୋଗ୍ୟ ବି‌ବେଚିତ ହୋଇଥିଲ। ପ୍ୟାକେଜ ୫, ୬ ଏବଂ ୯ରେ ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ପକାଇଥିବାରୁ ଉକ୍ତ ଠିକାସଂସ୍ଥା ଯୋଗ୍ୟ ବିବେଚିତ ହୋଇଥିଲା। ସମ୍ପୃକ୍ତ ଠିକାସଂସ୍ଥାକୁ ୧୪.୯୯ ପ୍ରତିଶତ କମ୍‌ ମୂଲ୍ୟର ସମସ୍ତ ଟଙ୍କା ଏପିଏସ୍ ‌(ଆଡିସିନାଲ ପର୍ଫମାନ୍ସ ସିକ୍ୟୁରିଟି) ଆକାରରେ ନେସ୍କୋରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦାଖଲ କରିବାକୁ ନେସ୍କୋ ପକ୍ଷରୁ ଚିଠି ହୋଇଥିଲା। ୫ ନମ୍ବର ପ୍ୟାକେଜ ପାଇଁ ୪୨ ଲକ୍ଷ ୭୮ ହଜାର ୧୭୨ଟଙ୍କା, ୬ ନମ୍ବର ପ୍ୟାକେଜ ପାଇଁ ୪୭ ଲକ୍ଷ ୩୯ ହଜାର ୧୧୯ ଟଙ୍କା, ୯ ନମ୍ବର ପ୍ୟାକେଜ ପାଇଁ ୩୬ ଲକ୍ଷ ୭୮ ହଜାର ୧୫୧ ଟଙ୍କା ଦାଖଲ ପାଇଁ ୭ ଦିନ ସମୟ ଦିଆଯାଇଥିଲା। ଧାର୍ଯ୍ୟ ସମୟସୀମା ମଧ୍ୟରେ ଏପିଏସ୍‌ ବାବଦ ଟଙ୍କା ଦାଖଲ କରି ପାରି ନଥିଲା ‘ଆଦ୍ୟ ଉର୍ଜା’। ଟେଣ୍ଡର ଗାଇଡ୍‌ଲାଇନ୍‌ ଅନୁସାରେ ଟଙ୍କା ଦାଖଲ ନକରି ନିୟମ ବଦଳାଇବା ସହ ୩୦ ଦିନ ସମୟ ଦେବାକୁ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲା ଠିକାସଂସ୍ଥା। ମାତ୍ର ଏହା ସମ୍ଭବ ନହେବାରୁ ‘ଆଦ୍ୟ ଉର୍ଜା’କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଥିଲା। ଏନେଇ ଚଳିତବର୍ଷ ଜୁଲାଇ ୯ ତାରିଖରେ ନେସ୍କୋ ପକ୍ଷରୁ ଚିଠି (ପିୟୁଆର୍‌/୫୨୫୫)‌ ‘ଆଦ୍ୟ ଉର୍ଜା’ର ପ୍ୟାକେଜ ନମ୍ବର-୫, ୬ ଏବଂ ୯ କୁ ରଦ୍ଦ କରାଗଲା ବୋଲି ଦର୍ଶାଯାଇଥିଲା।

ତେବେ ଟେଣ୍ଡର ପ୍ରକ୍ରିୟାର ନିୟମ ଅନୁସାରେ ଯଦି ଠିକାସଂସ୍ଥା ‌ଟେଣ୍ଡରରେ ଭାଗ ନେଇ ଏପିଏସ୍‌ (ଆଡିସିନାଲ ପର୍ଫମାନ୍ସ ସିକ୍ୟୁରିଟି) ଟଙ୍କା ଦାଖଲ କରି ନପାରେ ତେବେ ଉକ୍ତ ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବା ସହ ଜମା ହୋଇଥିବା ସିକ୍ୟୁରିଟି ଅର୍ଥ ବାଜ୍ୟାପ୍ତି କରିବା କଥା। ସେହିପରି ପରବର୍ତ୍ତୀ ସମୟରେ ତାଙ୍କୁ ଆଉ କୌଣସି ଟେଣ୍ଡରରେ ଭାଗ ନେବାକୁ ସୁଯୋଗ ଦିଆଯିବା କଥା ନୁହେଁ। ମାତ୍ର ନେସ୍କୋ ଅଧିକାରୀଙ୍କ ସହିତ ମଧୁଚନ୍ଦ୍ରିକା କାରଣରୁ ପ୍ରଥମ ଟେଣ୍ଡରରେ ଏପିଏସ୍‌ ଦାଖଲ ନକରି ଟେଣ୍ଡର ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିବା ଆଦ୍ୟ ଉର୍ଜାକୁ ପୁଣି ଦ୍ବିତୀୟ ଟେଣ୍ଡର‌ରେ ଭାଗ ନେବାକୁ ସୁଯୋଗ ଦିଆଗଲା। ହାତୀ କରିଡର ପାଇଁ ଦ୍ବିତୀୟ ଥର ୯/୨୦୨୧, ତା ୨୪/୭/୨୦୨୦ରେ ହୋଇଥିବା ଟେଣ୍ଡରରେ ସମ୍ପୃକ୍ତ ଠିକାସଂସ୍ଥା ନେବାରୁ ନେସ୍କୋର ଅଡିଟ୍‌ ଟିମ୍‌ ମଧ୍ୟ ପ୍ରତିବାଦ କରିଥିଲା। ଏହା ସତ୍ତ୍ବେ ଆଦ୍ୟ ଉର୍ଜାକୁ ସୁଯୋଗ ଦିଆଯାଇଥିଲା।

ଏ ସମ୍ପର୍କରେ ଟେଣ୍ଡର ପ୍ରକ୍ରିୟା ସହ ଜଡ଼ିତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରଥଙ୍କୁ ପଚାରିବାରୁ, ଓଡ଼ିଶାର ସମସ୍ତ ଟେଣ୍ଡର ପ୍ରକ୍ରିୟା ଓପିଡବ୍ଲ୍ୟୁଡି (ଓଡ଼ିଶା ପବ୍ଲିକ ୱାର୍କର୍ସ ଡିପାର୍ଟମେଣ୍ଟ) କୋଡ଼୍ ଅନୁସାରେ ଚାଲେ। ଯଦି କୌଣସି ଠିକାସଂସ୍ଥା ଟେଣ୍ଡରରେ ଭାଗ ନେଇ ଏପିଏସ୍ ଟଙ୍କା ଦାଖଲ କରି ନପାରେ ତେବେ ନିଶ୍ଚିତ ଭାବେ ଉକ୍ତ ଠିକାସଂସ୍ଥାର ସିକ୍ୟୁରିଟି ଜମା ବାଜ୍ୟାପ୍ତ ହେବା ସହ ତାକୁ କଳା ତାଲିକାଭୁକ୍ତ ‌କରାଯିବାର ନିୟମ ରହିଛି ବୋଲି ସେ କହିଛନ୍ତି।

ତେବେ ‘ଆଦ୍ୟ ଉର୍ଜା’ କ୍ଷେତ୍ରରେ ନେସ୍କୋ କୌଣସି ଏକ ଅ‌ଦୃଶ୍ୟ କାରଣ ପାଇଁ ସମସ୍ତ ପ୍ରକାର ନିୟମ କାନୁନ‌କୁ ଦଳି ଦେଇ ଦ୍ବିତୀୟ ଟେଣ୍ଡରେ ଭାଗ ନେବାକୁ ସୁଯୋଗ ଦେଇଛି। ଅନ୍ୟପଟେ କେବଳ ‘ଆଦ୍ୟ ଉର୍ଜା’କୁ ଦ୍ବିତୀୟ ଟେଣ୍ଡରରେ ସୁଯୋଗ ଦେବାପାଇଁ ଜାଣିଶୁଣି ଦୀର୍ଘ ୧୫ ମାସ ଧରି ପ୍ରଥମ ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରାଯାଉ ନଥିବା ମଧ୍ୟ ଅଭି‌ଯୋଗ ହୋଇଛି।

ସମ୍ବନ୍ଧିତ ଖବର