ଧାନ କିଣା ଅବ୍ୟବସ୍ଥା ସୀମା ଟପିଲା : ମଣ୍ଡିରେ ଗଦା ଗଦା ଧାନ ଧରି ବସିଛନ୍ତି ଚାଷୀ

ବଲାଙ୍ଗୀର, ପଦ୍ମପୁର, ବରଗଡ଼ରେ ସ୍ଥିତି ସାଂଘାତିକ
ମଡେଲ ଜିଲ୍ଲା କଟକରୁ ଉଠିଛି ମାତ୍ର ୫୦% ଧାନ
ଧରାଛୁଆଁ ଦେଉନାହାନ୍ତି ଯୋଗାଣ ମନ୍ତ୍ରୀ, ସଚିବ
ଠକିଦେଲେ ସରକାର: କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ବର,କଟକ : ମଣ୍ଡିରେ ଗଦା ଗଦା ଧାନ ଧରି ବସିଛି। ଅଥଚ ଟୋନକ୍‌ ସାନି ଦିଆଗଲାନି କି ଚାଷୀର ସମସ୍ତ ଧାନ କିଣାଗଲାନି। ବିଧାନସଭା ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଧାନ କିଣା ଅବ୍ୟବସ୍ଥା ନେଇ ଦୁଇଦିନ ଗୃହ ଅଚଳ ହେଲା। ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଘୋଷଣା କଲେ ଯେ ସମସ୍ତ ଚାଷୀଙ୍କ ଧାନ କିଣାଯିବ। ଧାନ ସଂଗ୍ରହରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ସରକାରଙ୍କ ଏହି ପ୍ରତିଶ୍ରୁତି ଏବେ ପାଣିର ଗାର। ଏହାକୁ ନେଇ ତାତିଲେଣି ବିରୋଧୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ବିଧାନସଭାରେ ସରକାର ଦେଥିବା ପ୍ରତିଶ୍ରୁତି ବି ପାଳନ ହେଉନାହିଁ। ଉପକୂଳ ସମେତ ପଶ୍ଚିମ ଓଡ଼ିଶା ଜିଲ୍ଲାର ଚାଷୀ ଏବେ ହତାଶ। ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି କି ଚାଷୀଙ୍କୁ ଧୋକା ଦେଇ ବିଧାନସଭାର ଗରିମା ସରକାର ନଷ୍ଟ କରିଛନ୍ତି। ଏବେ ବାଧ୍ୟ ହୋଇ ଚାଷୀମାନେ ରାଜ୍ୟ ଭିତରେ ଦଲାଲ୍‌ମାନଙ୍କୁ ୧ ହଜାର ଓ ୧୨ ଶହ ଟଙ୍କାରେ ଧାନ ବିକ୍ରି କରୁଛନ୍ତି। ଧାନ ସଂଗ୍ରହ ପାଇଁ କଟକ ଜିଲ୍ଲାକୁ ଆଦର୍ଶ ଜିଲ୍ଲା ‘ହାପି’ ଯୋଜନାରେ ସାମିଲ କରାଯାଇଥିଲେ ବି ଏ ପର୍ଯ୍ୟନ୍ତ ମାତ୍ର ୫୦ ପ୍ରତିଶତ ଧାନ କିଣାଯାଇଛି। ବିରୋଧୀଙ୍କ ଏହି ଅଭିଯୋଗ ଉପରେ ସରକାରଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲା। ଏ ନେଇ ବାରମ୍ବାର ‘ସମ୍ବାଦ’ ତରଫରୁ ଯୋଗାଣ ମନ୍ତ୍ରୀ, ଯୋଗାଣ ବିଭାଗ ସଚିବ ଓ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କୁ ବାରମ୍ବାର ଟେଲିଫୋନ ଓ ମେସେଜ୍‌ ଦିଆଯାଇଥିଲେ ବି କେହି ସହଯୋଗ କରିନାହାନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ଚାଷୀଙ୍କ ଧାନ କିଣା ନେଇ ସରକାର ଗୃହରେ ଯେପରି ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ କରିନାହାନ୍ତି ସେଥିରେ ଗୃହର ସ୍ବାଧିକାର ଭଙ୍ଗ ହୋଇଛି। ଆସନ୍ତା ୧୨ ତାରିଖରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ହିଁ ଗୃହକୁ ଅଚଳ କରାଯିବ। ଚାଷୀଙ୍କର ଧାନ ମଣ୍ଡିରୁ ଉଠିଲାନି। ଗତ ଫେବ୍ରୁଆରି ୨୭ ତାରିଖରେ ସର୍ବଦଳୀୟ ବୈଠକ ନିଷ୍ପତ୍ତି ଅନୁଯାୟୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଘୋଷଣା କରିଥିଲେ, ଟୋକନ୍‌ ଅବଧି ବଳବତ୍ତର ଥାଉକି ନ ଥାଉ ସମସ୍ତ ଚାଷୀଙ୍କର ବଳକା ଧାନ ସରକାର କିଣିବେ। ଏହାସହିତ କର୍ମଚାରୀ ଓ ଅଧିକାରୀଙ୍କ ଅବହେଳା ପାଇଁ ଯଦି କୌଣସି ଚାଷୀଙ୍କ ଟୋକନ୍‌ ଅବଧି ସରିଯାଇଥିବ ଓ ସମ୍ପୃକ୍ତ ଚାଷୀଠାରୁ ଧାନ କିଣା ହୋଇନଥିବ ସେଥିପାଇଁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରଦିନ ଯୋଗାଣ ଓ ସମବାୟ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ନିଜେ ଯୋଗାଣ ସଚିବ ଗୃହର ନିଷ୍ପତ୍ତି ଆଧାରରେ ସବୁ ଚାଷୀଙ୍କ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ରଖିଥିଲେ। କିନ୍ତୁ ଆଜିକୁ ୮ ଦିନ ବିତିଯାଇଥିଲେ ମଣ୍ଡିରେ ଚାଷୀମାନଙ୍କର ଧାନ ଉଠିନାହିଁ। ବଲାଙ୍ଗୀର, ପଦ୍ମପୁର ସମେତ ପ୍ରାୟ ଅଧିକାଂଶ ପଶ୍ଚିମ ଓଡ଼ିଶା ଜିଲ୍ଲାର ମଣ୍ଡିରେ ଖରା କାକରରେ ଚାଷୀମାନେ ଧାନ ଧରିବସିଛନ୍ତି। ଯଦି ରାଜ୍ୟ ସରକାର ଧାନ କିଣିପାରୁନାହାନ୍ତି, ତାହେଲେ ଆଇନ ଅନୁଯାୟୀ କେନ୍ଦ୍ରୀୟ ସଂସ୍ଥା ଏଫ୍‌ସିଆଇ ବି ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବା ଦରକାର। ଏ ନେଇ ବିଜେପି ବନ୍ଧୁମାନେ ଏଫ୍‌ସିଆଇ ଉପରେ ଚାପ ପକାଉନାହାନ୍ତି କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

ବିଜେପି କୃଷକ ମୋର୍ଚ୍ଚ ସଭାପତି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି, ବିଧାନସଭାରେ ଘୋଷଣା କରି ଚାଷୀଙ୍କଠାରୁ ଧାନ ନ କିଣିବା ଅର୍ଥ ସରକାର ଗୃହର ସ୍ୱାଧିକାର ଭଙ୍ଗ କରିବା ସହ ସମସ୍ତ ବିଧି ବ୍ୟବସ୍ଥାକୁ ଧୂଳିସାତ କରିଦେଇଛି। ଓଡ଼ିଶାର ଚାଷୀମାନଙ୍କୁ ସରକାର ଧୋକା ଦେଇଛନ୍ତି। ଏବେସୁଦ୍ଧା ହଜାର ହଜାର କ୍ବିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଛି। ଗତ ୨୭ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ହୋଇଥିଲା। ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଘୋଷଣା କଲେ। ଏହାର ପରଦିନ ଅର୍ଥାତ୍‌ ଗତ ୨୮ ତାରିଖରେ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟଯୋଗାଣ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗାଣ ବିଭାଗ ସଚିବ ଅବଧି ସରିଥିବା ଟୋକନ୍‌କୁ ରିଜେନେରେଟ୍‌ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ଏବେ ୮ ଦିନ ବିତିଯାଇଥିଲେ ବି ସରକାର ଚାଷୀଙ୍କର ଧାନ ଉଠାଇନାହାନ୍ତି। ମାସ ମାସ ଧରି ମଣ୍ଡିରେ ପଡିରହିଥିବା ଧାନ ନଷ୍ଟ ହୋଇଗଲାଣି। ସରକାର ନିଦାବିଷ୍ଣୁ ପାଲଟିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ତଥ୍ୟ ନେବାରେ ଜଣାପଡ଼ିଛି, ଧାନ ସଂଗ୍ରହ କ୍ଷେତ୍ରରେ କଟକ ଜିଲ୍ଲାକୁ ଆଦର୍ଶ ଜିଲ୍ଲା କରିବା ଲକ୍ଷ୍ୟରେ ସରକାର ‘ହାପି କଟକ’ ଯୋଜନା ଗତବର୍ଷଠାରୁ କାର୍ଯ୍ୟକାରୀ କରିଥିଲେ। ଜିଲ୍ଲାର ଗତ ଦୁଇ ଦିନ ତଳର ଧାନ ସଂଗ୍ରହ ତଥ୍ୟ କହୁଛି, ଚଳିତ ବର୍ଷ ୬୧ ହଜାର ୬୫୭ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ୧୮୬ଟି ପ୍ରାଥମିକ ସମବାୟ ସମିତି ଜରିଆରେ ଧାନ ସଂଗ୍ରହ କାର୍ଯ୍ୟ ଜାରି ରହିଛି। ୨୨ ଲକ୍ଷରୁ ଅଧିକ ଚାଷୀମାନଙ୍କୁ ଟୋକନ୍‌ ପ୍ରଦାନ କରାଯାଇଥିବା ବେଳେ ଗତ ଶନିବାର ସୁଦ୍ଧା ଜିଲ୍ଲାରେ ମାତ୍ର ୩୮ ହଜାର ୩ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ସେମାନଙ୍କ ଠାରୁ ୧୨ ଲକ୍ଷ ୫୯ ହଜାର ୫୦୫ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଟୋକନ୍‌ ଅବଧି ସରିଯାଇଥିବାରୁ ଚାଷୀମାନଙ୍କର ଏବେ ପ୍ରାୟ ୧୫ ହଜାରରୁ ୨୦ ହଜାର କ୍ବିଣ୍ଟାଲ ଧାନ କିଣା ନ ହୋଇ ପଡ଼ିରହିଛି।

ସମ୍ବନ୍ଧିତ ଖବର