ଭିମ୍‌ସାର କର୍ମଚାରୀ ନିଯୁକ୍ତିରେ ଅନିୟମିତତା; ଭିଜିଲାନ୍‌ସର ଖୋଳତାଡ଼, ପ୍ରମାଣପତ୍ର ଯାଞ୍ଚ

ସମ୍ବଲପୁର : ବୁର୍ଲା ଭିଏସ୍‌ଏସ୍‌ ମେଡିକାଲ କଲେଜ (ଭିମ୍‌ସାର)ରେ କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି। ଗତ ୧୬ ବର୍ଷ ତଳେ ହୋଇଥିବା ଏହି ନିଯୁକ୍ତିର ଭିଜିଲାନ୍‌ସ ବିଭାଗ ଏବେ ଖୋଳତାଡ଼ ଚଳାଇଛି। ଭିଜିଲାନ୍‌ସ ତଦନ୍ତ ହେବା ପରେ କେତେକ କର୍ମଚାରୀଙ୍କ ମନରେ ଛନକା ପଶିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୦୦୫ ଓ ୨୦୦୬ ମସିହାରେ ଭିଏସ୍‌ଏସ୍‌ ମେଡିକାଲ କଲେଜରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦିଆଯାଇଥିଲା। ସେହି ସମୟରେ ୨୯ ଜଣ କର୍ମଚାରୀ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି। ଏହି କର୍ମଚାରୀମାନଙ୍କ ମଧ୍ୟରେ ୧୧ ଜଣ ଲାବୋରାଟୋରି ଆସିଷ୍ଟାଣ୍ଟ, ୬ ଜଣ ଲାବୋରେଟରି ଟେକ୍ନିସିଆନ ଥିବା ବେଳେ ଅନ୍ୟମାନେ ମେଡିଆ ମେକର୍, ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀ ଆଦି ରହିଛନ୍ତି। ଏହି କର୍ମଚାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବହୁତ କମ୍ ଥିବା ବେଳେ ସେମାନେ ଯୁକ୍ତ ତିନି, ଯୁକ୍ତି ଦୁଇ, ଡିପ୍ଲୋମା ଆଦି ଡିଗ୍ରି ହାସଲ କରିଥିବା ନେଇ ପ୍ରମାଣପତ୍ର ଦାଖଲ କରିଥିଲେ। ବାସ୍ତବରେ କେତେକ କର୍ମଚାରୀ ଷଷ୍ଠ, ସପ୍ତମ ପଢ଼ିଥିବା ବେଳେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ‌ନେଇ ପ୍ରମାଣପତ୍ର ଦେଇ ଚାକିରିରେ ଆବଦେନ କରିଥିଲେ। ଏହି ନିଯୁକ୍ତି ପଛରେ ମୋଟା ଅଙ୍କର ଟଙ୍କା କାରବାର ହୋଇଥିଲା।

ଅପରପକ୍ଷରେ ଶିକ୍ଷାଗତ ଯୋଗ୍ୟତା ଥିବା ସତ୍ତ୍ବେ କେତେକ ପ୍ରାର୍ଥୀ ଚାକିରି ଦିଆଯାଇନଥିଲା। ଏ ସଂକ୍ରାନ୍ତରେ ସେତେବେଳେ ଅଭିଯୋଗ କରାଯାଇଥିଲେହେଁ ମେଡିକାଲ କଲେଜ କତ୍ତୃର୍ପକ୍ଷ ଶୁଣି ନଥି‌ଲେ। କେବଳ ସମୟ ଗଡ଼ାଇ ଚାଲିଥିଲେ। ଏଭଳି ସ୍ଥିତିରେ ନିଯୁକ୍ତିରୁ ବଂଚିତ ହୋଇଥିବା କେତେକ ପ୍ରାର୍ଥୀ ସମ୍ବଲପୁର ଭିଜିଲାନ୍‌ସ ଏସ୍‌ପିଙ୍କଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ଭିଜିଲାନ୍‌ସ ଏସ୍‌ପି ଏହାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଜଣେ ଡିଏସ୍‌ପିଙ୍କୁ ଏହାର ତଦନ୍ତ ଭାର ଦେଇଛନ୍ତି। ଇତିମଧ୍ୟରେ ମେଡିକାଲ କଲେଜରୁ ସଂପୃକ୍ତ କର୍ମଚାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଅଣାଯାଇଛି। କର୍ମଚାରୀମାନେ ଯେଉଁ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିଥିବା ନେଇ ପ୍ରମାଣପତ୍ର ଦାଖଲ କରିଛନ୍ତି, ସେସବୁ ବିଦ୍ୟାଳୟ/ମହାବିଦ୍ୟାଳୟକୁ ଭିଜିଲାନ୍‌ସ ବିଭାଗରୁ ଚିଠି ଲେଖାଯାଇଛି। ସଂପୃକ୍ତ କର୍ମଚାରୀମାନେ ଉକ୍ତ ବିଦ୍ୟାଳୟରେ ପଢ଼ୁଥିଲେ କି ନାହିଁ ? ‌ଯଦି, ପଢ଼ୁଥିଲେ ପାସ୍‌ କରିଛନ୍ତି କି ନାହିଁ ? ଏଭଳି ଅନେକ ତଥ୍ୟ ମାଗିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର