ଯୋଡ଼ା: ତାଗିଦ କଲେ ବି ସୁଧୁରୁ ନାହାନ୍ତି ଓଏମ୍ଡିସି ଖଣି କର୍ତ୍ତୃପକ୍ଷ। ନିମ୍ନମାନର ଲୁହାପଥର ପରିବହନ ପାଇଁ ଅନୁମତି ନେଇ ଉଚ୍ଚମାନର ଲୁହାପଥର ପରିବହନ କରୁଛନ୍ତି। ଗତକାଲିଠାରୁ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରୋଇଡ଼ା ଓଏମ୍ଡିସି ଖଣିରେ ପୁଲିସ ଓ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ ଜାରି ରହିଛି। ୧୩ଟି ଟ୍ରକ୍କୁ ଅଟକ ରଖାଯାଇ ଯାଞ୍ଚ କରାଯାଉଛି। ୧୦ ହଜାର ଟନ୍ ଲୁହାପଥର ପରିବହନରେ ଅନିୟମିତତା ହୋଇଥିବା ଜଣାପଡ଼ିଛି। ଏ ନେଇ ଖଣି ପରିଚାଳକଙ୍କୁ ଜେରା କରାଯାଉଛି।
ଓଏମ୍ଡିସି ଖଣିରୁ ନିମ୍ନମାନର ଲୁହାପଥର ପରିବହନ ପରିବର୍ତ୍ତେ ଉଚ୍ଚମାନର ଲୁହାପଥର ପରିବହନ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ପୂର୍ବରୁ ସମାନ ଅଭିଯୋଗରେ ଏହି ଖଣିରେ ଏକାଧିକଥର ଚଢ଼ଉ ହୋଇଛି। ହେଲେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏହି ଅନିୟମିତତା ଉପରେ ରୋକ ଲାଗି ପାରୁନି। କିଛିଦିନ ହେଲା ଏହି ଖଣିରୁ ଉଚ୍ଚମାନର ଲୁହାପଥର ପରିବହନ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଓ ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଖଣିଜ ଟ୍ରେଡିଂ କରୁଥିବା ‘ସାର୍କ’ ନାମକ ଏକ କମ୍ପାନି ଏବଂ ପରିବହନ ସଂସ୍ଥା ତୁଳସୀ ଟ୍ରାନ୍ସପୋର୍ଟକୁ ଯାଞ୍ଚ ପରିସରଭୁକ୍ତ କରାଯାଇଛି। ସେହିପରି ହରମଠଠାରେ ଥିବା ଏକ କାରଖାନା ଉକ୍ତ ଖଣିରୁ ଲୁହାପଥର କିଣୁଥିବାରୁ ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଥିବା ଖଣି ନିରୀକ୍ଷକ ଦେବେନ୍ଦ୍ରନାଥ ଦଳେଇ ପ୍ରକାଶ କରିଛନ୍ତି।
ଓଏମ୍ଡିସି ଖଣି ପରିଚାଳକଙ୍କୁ ଜେରା; ନିମ୍ନମାନର ଲୁହାପଥର ପାଇଁ ଅନୁମତି ନେଇ ଉଚ୍ଚମାନର ପରିବହନ
ଅନ୍ୟପକ୍ଷରେ ପରିବହନ ସଂସ୍ଥା ତୁଳସୀ ଟ୍ରାନ୍ସପୋର୍ଟ ଓ ‘ସାର୍କ’ର ଆପୋସ ବୁଝାମଣାରେ ଏହି ଚୋରା କାରବାର ଚାଲିଥିବା ଖଣି ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେଉଁ କେଉଁ ଟ୍ରେଡର୍ ଏଠାରୁ ଲୁହାପଥର ନେଇଛନ୍ତି ଏବଂ ଏଥିରେ ପରିବହନ ସଂସ୍ଥାର ଭୂମିକା କ’ଣ ରହିଛି, ସେ ବାବଦରେ ଓଏମ୍ଡିସି ଖଣିର ପରିଚାଳକ ସମର ଚକ୍ରବର୍ତ୍ତୀଙ୍କୁ ଜେରା କରାଯାଉଛି। ପୂର୍ବରୁ ମଧ୍ୟ ପରିବହନ ସଂସ୍ଥା ତୁଳସୀ ଟ୍ରାନ୍ସପୋର୍ଟ ନାମରେ ଅନିୟମିତତା ଅଭିଯୋଗ ଆସିଥିଲା। ଯାହାର ଯାଞ୍ଚ କରିଥିଲା ଖଣି ବିଭାଗ। ଏହା ସତ୍ତ୍ବେ ସମ୍ପୃକ୍ତ ସଂସ୍ଥାକୁ ଲୁହାପଥର ପରିବହନ ପାଇଁ ସୁଯୋଗ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଖଣି ପରିଚାଳକ ସମର ଚକ୍ରବର୍ତ୍ତୀ କହିଛନ୍ତି, ପରିବହନ ସଂସ୍ଥା ଏଭଳି ବେଆଇନ କାର୍ଯ୍ୟ କରିଥିବା ସେ ଜଣାଇଛନ୍ତି। ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରୱାଲଙ୍କ କହିବା କଥା, ଷ୍ଟକ୍ରୁ ଲୁହାପଥର ପରିବହନ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ପରିବହନ ସଂସ୍ଥା ଷ୍ଟକ୍ (ଲୁହାପଥର ଉତ୍ତୋଳନ ପରେ ମାନ ଯାଞ୍ଚ ହୋଇନଥିବା)ରୁ ଲୁହାପଥର ପରିବହନ କରିଛି। ଏଥିପାଇଁ ଉଭୟ ଖଣି କର୍ତ୍ତୃପକ୍ଷ ଓ ପରିବହନ ସଂସ୍ଥା ଦାୟୀ। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।