ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା। ଏହି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଡିଡାୟୀ, ପରଜା, କୋୟା, କନ୍ଧ ଭଳି ଆଦିବାସୀ ବସବାସ କରନ୍ତି। ତେବେ ଏମାନଙ୍କ ମଧ୍ୟରୁ ବଣ୍ଡା ଏବଂ ଡିଡାୟୀ ସଂପର୍ଦାୟର ଲୋକଙ୍କ ପାଇଁ ଦୁଇଟି ଉନ୍ନୟନ ସଂସ୍ଥା ଖୋଲାଯାଇ ଏମାନଙ୍କର ଉନ୍ନତି ନିମନ୍ତେ କୋଟି କୋଟି ଟଂକା ଖର୍ଚ୍ଚ କରାଯାଉଛି। କିନ୍ତୁ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇଥିବା ଏହି ସଂପ୍ରଦାୟର ଲୋକେ ଆଜି ବି ଅବହେଳିତ ହୋଇ ରହିଛନ୍ତି। ଏହି ଦୁଇ ସଂସ୍ଥାର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନଭାବେ ଏବଂ ଏମାନଙ୍କ ପ୍ରତି ଅଣଦେଖା ଯୋଗୁଁ ଏମାନେ ଆଗକୁ ବଢିପାରୁନଥିବା ଅଭିଯୋଗ ହୋଇଛି।

Advertisment

ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା, ନାକାମାମୁଡି, ଯନ୍ତ୍ରୀ, ରାସବେଡା ପଞ୍ଚାୟତଗୁଡିକର ପ୍ରାୟ ୫୯ଟି ଗ୍ରାମରେ ଡିଡାୟୀ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ଘାଟି ଉପରେ ବହୁ ଗ୍ରାମ ରହିଥିବା ବେଳେ ଏମାନେ ଏକ ପ୍ରକାର ଅପହଞ୍ଚ ଏବଂ ବିଛିନ୍ନ ହୋଇ ରହିଛନ୍ତି। ଘାଟି ତଳେ ମାତ୍ର ଚାରୋଟି ଗ୍ରାମ ରହିଛି, ଯେଉଁମାନେ କି ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଚଳନ୍ତି। ଡିଡାୟୀ ଉନ୍ନୟନ ସଂସ୍ଥା ତରଫରୁ ପ୍ରତ୍ୟେକ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ କମିଟି ଗଠନ କରି ଏହି କମିଟି ମାଧ୍ୟମରେ ଏହି ଅଂଚଳର ଚାଷୀମାନଙ୍କ ପାଇଁ ସହଯୋଗ କରାଯାଉଛି।

ତେବେ ବର୍ତ୍ତମାନ ଡିଡାୟୀ ସଂସ୍ଥା ତରଫରୁ ପ୍ରଦାନ କରାଯାଉଥିବା ଚିନାବାଦାମ ବିହନରେ ଅନିୟମିତତା ଦେଖିବାକୁ ମିଳିଛି। ଚାଷୀଙ୍କୁ ଏକର ପିଛା ୬୦ରୁ ୭୦ କିଲୋ ବାଦାମ ଦରକାର ପଡୁଥିବା ବେଳେ ବିଭାଗ ତରଫରୁ ଏହା ପ୍ରଦାନ କରାଯାଉନଥିବା ଅଭିଯୋଗ କରାଯାଇଛି। ଏପରିକି ଗତବର୍ଷ ଚାଷୀ ଏହି ଦାବି ଉପସ୍ଥାପନା କରିଥିବାରୁ ଘାଟି ଉପରେ ରହୁଥିବା ଚାଷୀଙ୍କୁ ଜଣକ ପିଛା ୨୦ କିଲୋ ଲେଖାଏଁ ଚିନାବାଦାମ ଦେଇ ଏହାକୁ କାଗଜ ପତ୍ରରେ ଅଧିକା ଦେଖାଯାଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି।

ତେବେ ଏନେଇ ଚାଷୀ ଯେତେବେଳେ ଅଭିଯୋଗ କଲେ ବର୍ତ୍ତମାନ ଘାଟି ତଳେ ଥିବା ପ୍ରକୃତ ଚାଷୀଙ୍କୁ ଚିନାବାଦାମ ବିହନ ନଦେଇ ଘାଟି ଉପରେ ଥିବା ଗ୍ରାମଗୁଡିକରେ ଚାରି ଜଣ ପିଛା ୪୦ କିଲୋ ବାଦାମ ବସ୍ତା ପ୍ରଦାନ କରି ଫଟୋ ଉଠାଇ ବିଭାଗୀୟ ଅଧିକାରୀମାନେ ନେଇଥିବା ଅଭିଯୋଗ କରିଛନ୍ତି। ପୁଣି ସେମାନଙ୍କୁ ଏହି ବାଦମରେ ତୁମେ ଚାଷ କର ବା ନକର ଆମର କିଛି କହିବାର ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ ହିତାଧିକାରୀଙ୍କୁ କହୁଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଆମକୁ ଫଟୋ ହେଲେ ଆମେ ଅଫିସରେ ଏହାକୁ ଦେଖାଇବୁ ବୋଲି ସେମାନେ କହୁଥିବା ମଧ୍ୟ କହିଥିଲେ। ତେବେ ଘାଟି ତଳେ ଥିବା ଚିଲିପଦର,ଅରିଙ୍ଗି,ପୁରୁଣାଗୁମ୍ମା ଏବଂ ମୁଦୁଲିଗୁଡା ଗ୍ରାମଗୁଡିକରେ ସବୁଠାରେ ବେଶୀ ଚାଷୀ ରହିଥିବାରୁ ସେମାନଙ୍କୁ ଚଳିତ ବର୍ଷ ବାଦାମ ଦିଆଯାଇନାହିଁ।

publive-image
ଗତ ଅକ୍ଟୋବର ମାସରେ ଘାଟି ତଳେ ଥିବା ଗ୍ରାମର ଚାଷୀମାନେ ଭିଡିସିରେ ବୈଠକ କରି ସମସ୍ତଙ୍କୁ ଚିନାବାଦାମ ବିହନ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀମାନେ ଗତ ମାସରେ ଏମାନଙ୍କୁ ବାଦାମ ନଦେଇ ଘାଟି ଉପରେ ଥିବା ଚାଷୀଙ୍କୁ ଅଳ୍ପ ବାଦାମ ବିହନ ଦେଇ ଫଟୋ ଉଠାଇ ଚାଲିଆସିଥିବା ନେଇ ଏହି ଗ୍ରାମଗୁଡିକର ଗ୍ରାମବାସୀ ଆଜି ଡିଡାୟୀ ଉନ୍ନୟନର ସ୍ବତନ୍ତ୍ର ଅଧିକାରୀ ଆଶିଷ କୁମାର ବିଷୋୟୀଙ୍କୁ ଭେଡି ଅଭଯୋଗ କରିଥିଲେ। ଏହି ଚିନାବାଦାମ ବଣ୍ଟନ କରିଥିବା ଡିଡାୟୀ ଉନ୍ନୟନର ପ୍ରୋଗ୍ରାମ ମ୍ୟାନେଜର ସଂଜୟ ପାତ୍ରଙ୍କୁ ଚାଷୀଙ୍କୁ କେତେ ବାଦାମ ପ୍ରଦାନ କରାଯାଇଛି ବୋଲି ପଚରାଯିବାରୁ ସେ ଠିକ ଉତ୍ତର ଦେଇନଥିଲେ।କିନ୍ତୁ ସେ ନିଜେ ଘାଟି ଉପେର ଚିନାବାଦାମ ବିହନ ବଣ୍ଟନ କରିଥିବା ଚାଷୀ ଅଭିଯୋଗ କରିଥିଲେ। ପ୍ରତିବର୍ଷ ଶ୍ରୀ ପାତ୍ର ହିଁ ଚାଷୀଙ୍କୁ ଠକୁଥିବା ନେଇ ଅଭିଯୋଗ ଆଜି ସ୍ବତନ୍ତ୍ର ଅଧିକାରୀଙ୍କ ନିକଟରେ କରିଥିଲେ। ଏତେ ଅନିୟମିତିତା କରାଯାଉଥିଲେ ମଧ୍ୟ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।ତୁରନ୍ତ ଘାଟି ତଳେ ଥିବା ଡିଡାୟୀ ଗ୍ରାମର ଶତାଧିକ ଚାଷୀଙ୍କୁ ଚିନାବାଦାମ ବିହନ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି।ସ୍ବତନ୍ତ୍ର ଅଧିକାରୀଙ୍କୁ ଭେଟିବାକୁ ଆଜି ଏହି ଗ୍ରାମର ମୁଖିଆମାନଙ୍କ ମଧ୍ୟରୁ ଚୈତ୍ର ବିଷୋୟୀ, ରୁପେନ ଗୁଡିଆ, ପୂର୍ଣ୍ଣ ମୁଦୁଲି, ରବି ଆଙ୍ଗରା, ସୁରେନ୍ଦ୍ର ପ୍ରସାଦ ଗୋଲପେଦା, ଲକ୍ଷ୍ମଣ ଗୋଲପେଦା, ହରି ମାଛ ପ୍ରମୁଖ ଉପସ୍ଥିତ ଥିଲେ।