ଚଣ୍ଡିଖୋଲ: ବଡ଼ଚଣାରେ ଚଳିତ ବର୍ଷ ସରକାରୀ ବ୍ୟବସ୍ଥାରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମିଲଙ୍କ ମନମାନି ଓ ମନଇଚ୍ଛା କଟ୍ନି ଛଟ୍ନି କରୁଥିବାରୁ ଚାଷୀ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି। ବଡ଼ଚଣା ବ୍ଲକ ଅଞ୍ଚଳର ଚାଷୀଙ୍କ ଧାନ କ୍ରୟ ପାଇଁ ୧୪ ଗୋଟି ପ୍ୟାକ୍ସ ଓ ୧୫ ଗୋଟି ଏସ୍ଏଚ୍ଜିକୁ ଦାୟିତ୍ୱ ଦିଆଯାଇଛି। ସେହିପରି ବଡ଼ଚଣା ବ୍ଲକ ଅଞ୍ଚଳରେ ୬ ଗୋଟି ରାଇସ ମିଲ ରହିଛି। ପ୍ରତି ପ୍ୟାକ୍ସରେ କଣ୍ଟା ପୂଜା ପରେ ଧାନ କ୍ରୟ ଆରମ୍ଭ କରାଯାଇଛି।
ହେଲେ ମିଲରମାନେ ଧାନ କୁଇଣ୍ଟାଲ ପିଛା ୪ ରୁ ୫ କେଜି କାଟୁଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀମାନେ ଅତି ଯତ୍ନର ସହିତ ଧାନକୁ ପରିଷ୍କାର କରି ଧୂଳି, କୁଟାକାଠି ଝାଡ଼ି ପରିଷ୍କାର ଧାନ ଦେଉଛନ୍ତି। ମାତ୍ର ପ୍ୟାକ୍ସ ଓ ଏସଏଚ୍ଜିରେ ଖୋଲିଥିବା ମଣ୍ଡିରେ ଧୂଳି ଓ ଅଗାଡ଼ି ଥିବା ଦର୍ଶାଇ ଚାଷୀଙ୍କୁ ଲୁଟୁଛନ୍ତି।
ସେହିପରି ଭାଗଚାଷୀମାନେ ସବୁଠୁ ବେଶି କ୍ଷତି ସହୁଛନ୍ତି। ସେମାନଙ୍କ ନାମରେ ଜମି ନଥିବାରୁ ବିକ୍ରୟ କାର୍ଡ କିମ୍ବା ପଞ୍ଜୀକରଣ ନମ୍ବର ନାହିଁ। ଫଳରେ ଭାଗଚାଷୀ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ବହୁ କଷ୍ଟ କରି ମରୁଡ଼ି ତଥା ବନ୍ୟାର ସମ୍ମୁଖୀନ ହୋଇ ଧାନ ଅମଳ କରିବା ପରେ ସେମାନେ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପାଇ ପାରୁ ନାହାନ୍ତି। ପଞ୍ଜୀକରଣ ନମ୍ବର ନଥିବାରୁ ସେମାନେ ବାଧ୍ୟ ହୋଇ ଦଲାଲ କିମ୍ବା ବ୍ୟବସାୟୀଙ୍କର ଶରଣାପନ୍ନ ହେଉଛନ୍ତି। ଫଳରେ ସରକାରଙ୍କ କୁଇଣ୍ଟାଲ ପିଛା ନିର୍ଦ୍ଧାରିତ ମୂଲ୍ୟ ୨୦୪୦ ଟଙ୍କା ପରିବର୍ତ୍ତେ ଭାଗଚାଷୀମାନେ ମାତ୍ର ୧୩୦୦ରୁ ୧୩୫୦ ଟଙ୍କା ପାଉଛନ୍ତି। ଅଥଚ ସେମାନଙ୍କ ଦୁଃଖ ନା ଚାଷୀ ସଂଗଠନ ବୁଝୁଛନ୍ତି ନା ସରକାର।