ଭୁବନେଶ୍ବର: ଚାକିରି ଖଣ୍ଡେ ପାଇଁ ଦିନରାତି ପରିଶ୍ରମ କଲେ ପରୀକ୍ଷାର୍ଥୀ। ପାଠ ପଢ଼ିଲା ବେଳେ ଯେତିକି ମାନସିକ ଚାପରେ ନଥିଲେ, ଏବେ ତାହା ଠାରୁ ଅଧିକ ଦୁଶ୍ଚିନ୍ତା ଭିତରେ। ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଏବେ ସେମାନଙ୍କ ନିଦ ହଜାଇ ଦେଇଛି। ପରୀକ୍ଷାର୍ଥୀମାନେ ରାଜରାସ୍ତାରେ ଅନ୍ୟାୟର ପ୍ରତିବାଦ କରୁଥିଲା ବେଳେ ସରକାର ତର୍ଜମା କରିବେ ବୋଲି କହିଛନ୍ତି। କିନ୍ତୁ କି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହା ଜଣାପଡ଼ିନାହିଁ। ଏହାକୁ ନେଇ ସାରା ରାଜ୍ୟରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

Advertisment

ବର୍ତ୍ତମାନ ରାଜ୍ୟରେ ଆର୍‌ଆଇ, ଏଆର୍‌ଇ, ଅମିନ, ଆଇସିଡିଏସ୍ ସୁପରଭାଇଜର୍, ଷ୍ଟାଟିଷ୍ଟିକାଲ ଫିଲ୍ଡ୍ ସର୍ଭେୟର୍ ପଦବି ପାଇଁ ସାକ୍ଷାତକାର କରାଯାଉଛି। ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ(ଓଏସ୍ଏସ୍ଏସ୍‌ସି) ପକ୍ଷରୁ ଏହି ସାକ୍ଷାତକାର କରାଯାଉଛି। ୫ ଲକ୍ଷ ୫୦ ହଜାରରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି। ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ପ୍ରିଲିମନାରି ପରୀକ୍ଷା ଅକ୍ଟୋବର ୮ରେ ଶେଷ ହୋଇଛି। ଏହି ପରୀକ୍ଷା ପରିଚାଳନାରେ ଆଦୌ ସ୍ବଚ୍ଛତା ରହିନାହିଁ ଏବଂ ବ୍ୟାପକ ବିଭ୍ରାଟ ହୋଇଛି ବୋଲି ଅଭିଯୋଗ ହୋଇଛି। ପରୀକ୍ଷା ଆରମ୍ଭ ଦିନରୁ ପରୀକ୍ଷାର୍ଥୀମାନେ ଏହି ଆପତ୍ତି ଉଠାଇଛନ୍ତି। 

ପରୀକ୍ଷାର୍ଥୀଙ୍କ କହିବା ଅନୁଯାୟୀ ସିଫି ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥାକୁ ଓଏସ୍ଏସ୍ଏସ୍‌ସି ପରୀକ୍ଷା ପରିଚାଳନା ଦାୟିତ୍ବ ଦେଇଛି। ଏହି ସଂସ୍ଥା ପୂର୍ବରୁ ଏକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ କଳା ତାଲିକାଭୁକ୍ତ ହୋଇଥିଲା। ଏହି ସଂସ୍ଥା ଆର୍‌ଆଇ, ଅମିନ ପରୀକ୍ଷା ପାଇଁ ଯେଉଁ କେନ୍ଦ୍ରଗୁଡ଼ିକ ଚୟନ କରିଛି, ତାହା ତାଜୁବ ହେଲା ଭଳି। କେଉଁଠି ବିବାହ ମଣ୍ଡପ ତ କେଉଁଠି ସାଇବର୍ କାଫେରେ ପରୀକ୍ଷା ହୋଇଛି। ପୁଣି ଦୁଇ ବଖରା ଘରେ ସର୍ବନିମ୍ନ ଭିତ୍ତିଭୂମି ନଥାଇ ବି କେନ୍ଦ୍ର କରାଯାଇଛି। ଭୁବନେଶ୍ବରରେ ଏକ କେନ୍ଦ୍ରରେ ଆହୁରି ବିଭ୍ରାଟ ଦେଖିବାକୁ ମିଳିଛି। ସେପ୍ଟେମ୍ବର ୩୦ ତାରିଖରେ ତୃତୀୟ ସିଫ୍ଟରେ ୩ଟା ୩୦ରୁ ୫ଟା ମଧ୍ୟରେ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ସାରା ଓଡ଼ିଶାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇ ୫ଟା ବେଳେ ସରିଲା। କିନ୍ତୁ ଭୁବନେଶ୍ବରର ଏହି କେନ୍ଦ୍ରରେ ୫ଟା ୩୦ରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଆରମ୍ଭ ହେଲା। ପୁଣି ଏହି ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ମଧ୍ୟ ସ୍ଥାନୀୟ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ଥିଲେ। 

ଚିନ୍ତାରେ ସାଢ଼େ ୫ ଲକ୍ଷ ଆଶାୟୀ, କଳା ତାଲିକାଭୁକ୍ତ ସଂସ୍ଥା ଦାୟିତ୍ବ ନେଲା କେମିତି?

ଯଦି ପରୀକ୍ଷାର୍ଥୀମାନଙ୍କ ଅଭିଯୋଗ ଅମୂଳକ, ତେବେ ସରକାର ତାହାକୁ ସ୍ପଷ୍ଟ କରିବାରେ କିଛି ଅସୁବିଧା ନାହିଁ। ପରୀକ୍ଷାର୍ଥୀମାନେ ନିର୍ଦ୍ଦିଷ୍ଟ ଭାବେ ଉଠାଇଥିବା ଅଭିଯୋଗକୁ ଖଣ୍ଡନ କରି ପରୀକ୍ଷା ସ୍ବଚ୍ଛତାର ସହ ହୋଇଛି ବୋଲି ଘୋଷଣା କରିପାରିବେ। ନିଜେ ଚୟନ କରିଥିବା ସିଫି ଟେକ୍ନୋଲୋଜି ଯଦି ସ୍ବଚ୍ଛ, ତେବେ ତାହାକୁ ମଧ୍ୟ ଦୃଢ଼ତାର ସହ କହିବାରେ ଅସୁବିଧା ନାହିଁ। ଆଉ ଯଦି ପରୀକ୍ଷାର୍ଥୀଙ୍କ ଅଭିଯୋଗରେ ସତ୍ୟତା ରହିଛି, ତେବେ ସରକାର ତୁରନ୍ତ ପରୀକ୍ଷା ବାତିଲ କରିବା କଥା। କିନ୍ତୁ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହେଲାଣି। କାହା ସ୍ବାର୍ଥକୁ ଆଖି ଆଗରେ ରଖି କର୍ତ୍ତୃପକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି? ଯଦି ସିଫି ଟେକ୍ନୋଲୋଜିର ସ୍ବଚ୍ଛତା ଉପରେ ସନ୍ଦେହ ରହିଛି, ତେବେ ତାହାକୁ କାହିଁକି ଦାୟିତ୍ବ ଦିଆଗଲା? ଏପରି ନିଷ୍ପତ୍ତି ନେଲା କିଏ? ଚାକିରି ଆଶାରେ ଦିନରାତି ପରିଶ୍ରମ କରୁଥିବା ଗରିବ ମେଧାବୀ ପରୀକ୍ଷାର୍ଥୀମାନଙ୍କ ସହ ଏପରି ଖେଳ ଆଦୌ ଗ୍ରହଣୀୟ ହେଉ ନାହିଁ ବୋଲି ଅଭିଭାବକ ଅସନ୍ତୋଷ ଝାଡ଼ିଲେଣି।

ଏଠାରେ ଉଲ୍ଲେଖଥାଉକି, ଗତ ୫ ତାରିଖରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ସାମ୍ନାରେ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଅବଶ୍ୟ ଏସ୍‌ଏସ୍‌ଏସ୍‌ସି ତାଙ୍କ ବିଭାଗ ଅଧୀନରେ ନାହିଁ। କିନ୍ତୁ ପରୀକ୍ଷା ପରିଚାଳନାରେ ଅନିୟମିତତା ନେଇ ତାଙ୍କ ପାଖରେ ଅଭିଯୋଗ ପହଞ୍ଚିଛି ବୋଲି ସ୍ବୀକାର କରିଥିଲେ। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ୍ କରି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହା ମଧ୍ୟରେ ୧୨ ଦିନ ବିତିଗଲାଣି। କିନ୍ତୁ ବିଭାଗୀୟ ଅଧିକାରୀମାନେ କି ଯାଞ୍ଚ୍ କରୁଛନ୍ତି ତାହା ଜଣାପଡ଼ୁନି। 

ଓଏସ୍ଏସ୍ଏସ୍‌ସି କର୍ତ୍ତୃପକ୍ଷଙ୍କ ନୀରବତା ଆହୁରି ରହସ୍ୟଜନକ। ଏହି ଘଟଣାକୁ ନେଇ ପରୀକ୍ଷାର୍ଥୀମାନେ ତିନି ସପ୍ତାହ ହେଲା ଆନ୍ଦୋଳନ କରୁଥିଲେ ବି ଓଏସ୍ଏସ୍ଏସ୍‌ସି କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟୀକରଣ ଦେଉନାହାନ୍ତି। ଏ ସମ୍ପର୍କରେ ଅଧ୍ୟକ୍ଷ ଶାଶ୍ବତ ମିଶ୍ରଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍ ଉଠାଇ ନଥିଲେ। କର୍ତ୍ତୃପକ୍ଷଙ୍କ ବେପରୱା ଆଭିମୁଖ୍ୟ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଆହୁରି ରହସ୍ୟମୟ କରିଦେଉଛି। ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ଘଟଣାର ତର୍ଜମା କରାଯାଉଛି ବୋଲି କୁହାଯାଇଛି।