ପର୍ଜଙ୍ଗ: ବର୍ଷେ ହେଲାଣି ପ୍ରାଣୀମିତ୍ର ଓ କୃଷିମିତ୍ରଙ୍କୁ ଦରମା ମିଳୁନି। ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ। ଦରମା ଗଣ୍ଡାକ ପାଇଁ ସବୁ ମାସରେ ସେମାନେ ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ହତାଶ ହେଉଛନ୍ତି ପଛେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ନେଇ ସେମାନେ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି। ପର୍ଜଙ୍ଗ ବ୍ଲକ୍ର ପ୍ରାୟ ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତର ପ୍ରାଣୀମିତ୍ର ଓ କୃଷିମିତ୍ରଙ୍କୁ ଦରମା ମିଳୁ ନଥିବା ଜଣାପଡ଼ିଛି। ମଙ୍ଗଳବାର ଏନେଇ ସେମାନେ ଏକତ୍ରିତ ହୋଇ ବ୍ଲକ୍ ଅଧ୍ୟକ୍ଷାଙ୍କ ନେତୃତ୍ବରେ ବିଡିଓଙ୍କୁ ଭେଟି ଆଲୋଚନା କରିଛନ୍ତି।
ପର୍ଜଙ୍ଗ ବ୍ଲକ୍ରେ ରହିଛି ୨୯ଟି ପଞ୍ଚାୟତ। ସେଥିମଧ୍ୟରୁ କେବଳ ପର୍ଜଙ୍ଗ, ସରାଙ୍ଗ, ପିତିରି, ବାରିହାପୁର, କନ୍ଦରସିଂହା, ସାଆନ୍ଦା, ପାଟରପଦା ଭଳି ୭ଟି ପଞ୍ଚାୟତରେ ନିଯୁକ୍ତ ପ୍ରାଣୀ ଓ କୃଷିମିତ୍ରଙ୍କୁ ନିୟମିତ ଦରମା ମିଳୁଛି। କିନ୍ତୁ ମୁଣ୍ଡେଇଲୋ, ମୁକ୍ତାପଶି, ରୋଡ୍, ବସୋଇ ଭଳି ପ୍ରାୟତ ୧୫ଟି ପଞ୍ଚାୟତରେ ନିଯୁକ୍ତ ୭୫ଜଣ ପ୍ରାଣୀ ଓ କୃଷି ମିତ୍ରଙ୍କୁ ଦରମା ମିଳୁନାହିଁ। ଏମାନେ ଗତ ୨୦୨୩ ମସିହାରୁ ଦରମା ପାଉନାହାନ୍ତି। ଏ ସମ୍ପର୍କରେ ଗଲା ବର୍ଷେ ହେଲାଣି ସେମାନେ ଅଫିସ୍ରୁ ସେ ଅଫିସ୍ ଦୌଡ଼ୁଛନ୍ତି। କିନ୍ତୁ କେହି ସେମାନଙ୍କ ଅଭିଯୋଗ ଶୁଣୁ ନାହାନ୍ତି। ତେବେ ସେମାନଙ୍କୁ ଡ୍ରେସ୍ କୋର୍ଡ, ମୋବାଇଲ୍ ଓ ଋଣରେ ସ୍କୁଟି ମିଳିଥିବା ଜଣାପଡ଼ିଛି। ହେଲେ ଦରମା କାହିଁକି ଦିଆଯାଉନି ସେ ସମ୍ପର୍କରେ ସେମାନଙ୍କୁ କିଛି ଉତ୍ତର ଦିଆଯାଉ ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ୭୫ଜଣ ପ୍ରାଣୀ ଓ କୃଷି ମିତ୍ରଙ୍କ ସମ୍ପର୍କିତ ଫାଇଲ୍ ଜିଲ୍ଲା କାର୍ଯ୍ୟାଳୟରେ ନାହିଁ। ସେମାନଙ୍କୁ ବେଆଇନ୍ ଭାବେ ନିଯୁକ୍ତି ଦିଆଯାଇଥିବା ଜିଲ୍ଲାପାଳ ସନ୍ଦେହ କରି ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ରାଜ୍ୟ ସରକାର ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସେଥିପାଇଁ ଉକ୍ତ ୭୫ଜଣଙ୍କୁ ଦରମା ମିଳୁ ନଥିବା ଜଣାପଡ଼ିଛି।
ଅନ୍ୟପଟେ ଏହି ବେଆଇନ୍ ନିଯୁକ୍ତି ସମ୍ପର୍କରେ ନିଯୁକ୍ତ କର୍ମଚାରୀମାନେ କିଛି ଜାଣିନାହାନ୍ତି। ସେମାନେ ଆବଶ୍ୟକ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି। ବ୍ଲକ୍ରୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସେମାନେ ନିଜ ନିଜର ଡ୍ୟୁଟି କରିଛନ୍ତି।
ଏପରିକି ସେମାନେ ଜିଲ୍ଲାସ୍ତରରେ ଅନ୍ୟମାନଙ୍କ ଭଳି ତାଲିମ୍ ମଧ୍ୟ ନେଇଛନ୍ତି। ତେଣୁ ଏହା ସବୁ କ’ଣ ମିଛ ଥିଲା କି ବୋଲି ଦରମା ପାଉ ନଥିବା ପ୍ରାଣୀ ଓ କୃଷିମିତ୍ରଙ୍କ ମଧ୍ୟରୁ ଅନେକ କହିଛନ୍ତି। ସେପଟେ ୨୦୧୯ରେ ଏକାସାଙ୍ଗରେ ପରୀକ୍ଷା ଦେଇ ନିଯୁକ୍ତି ପାଇଥିବା କଙ୍କଡ଼ାସୋଡ଼ା ଓ ମୁଣ୍ଡେଇଲୋ ପଞ୍ଚାୟତରେ ୧୦ଜଣ ପ୍ରାଣୀ ଓ କୃଷିମିତ୍ର ପୂର୍ବରୁ ଦରମା ପାଉଥିଲେ ମଧ୍ୟ ୨୦୨୩ ମସିହାଠାରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି। ତାଙ୍କରି ସାଙ୍ଗେ ନିଯୁକ୍ତି ପାଇଥିବା ପିତିରି, ସରାଙ୍ଗ, ପର୍ଜଙ୍ଗ, ସାଆନ୍ଦା ପଞ୍ଚାୟତର ପ୍ରାଣୀ ଓ କୃଷିମିତ୍ରମାନେ ଏବେ ବି ନିୟମିତ ଦରମା ପାଉଛନ୍ତି। ଯାହାକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଦରମା ବନ୍ଦ କରାଯାଇଥିବା ଅଭିଯୋଗ ନେଇ ମଙ୍ଗଳବାର ପ୍ରାଣୀ ଓ କୃଷିମିତ୍ରମାନେ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରାଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବ୍ଲକ୍ ଅଧ୍ୟକ୍ଷାଙ୍କ ନେତୃତ୍ବରେ କର୍ମଚାରୀମାନେ ବିଡିଓ ସଂଜୟ କୁମାର ପଣ୍ଡାଙ୍କ କାର୍ଯ୍ୟାଳୟକୁ ଯାଇ ଆଲୋଚନା କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପାଇଁ ବିଡିଓ ତୁରନ୍ତ ଓଡ଼ିଶା ଜୀବିକା ମିସନ୍ର ବିଏଲ୍ସିଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇଥିଲେ। କିନ୍ତୁ ବିଏଲ୍ସି ମୁଖ୍ୟ ବିଡିଓଙ୍କୁ ଧରାଛୁଆଁ ଦେଇ ନଥିଲେ। ପରେ ଡିପିଏମ୍ଙ୍କ ସହ ବିଡିଓ ଓ ବ୍ଲକ୍ ଅଧ୍ୟକ୍ଷା ଫୋନ୍ ଯୋଗେ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଖୁବଶୀଘ୍ର ଏହି ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଡିଓ କହିଛନ୍ତି।