ପଲ୍ଲୀସଭାରେ ଆବାସ ଯୋଜନା ଅନିୟମିତତା ତାତି: ପିଇଓ, ଜିଆର୍‌ଏସ୍‌ଙ୍କୁ ତାଲା ପକାଇଲେ ଲୋକେ

ଡେଲାଙ୍ଗ/ପୁରୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରକାଶ ପରେ ଗାଁ’ଗାଁ’ରେ ଏବେ ଗଣ୍ଡଗୋଳ ତୀବ୍ର ହେବାରେ ଲାଗିଛି। ଯୋଗ୍ୟଙ୍କୁ କାଟି ଅଯୋଗ୍ୟଙ୍କୁ ତାଲିକାରେ ଯୋଡ଼ା ଯାଇଥିବାରୁ ସାଧାରଣ ଲୋକଙ୍କ ଅସନ୍ତୋଷ ଉଗ୍ରରୂପ ନେଉଛି। ଯାହାର ପ୍ରତିଫଳନ ଆଜି ଡେଲାଙ୍ଗ ବ୍ଲକ୍‌ ଅଭୟମୁଖୀ ପଞ୍ଚାୟତରେ ଦେଖିବାକୁ ମିଳିଛି। ପଲ୍ଲୀସଭା ଚାଲିଥିବାବେଳେ ଆବାସ ଯୋଜନା ଘର ଯୋଗାଇଦେବାକୁ ଜିଆର୍‌ଏସ୍‌ ଟଙ୍କା ନେଇଥିବା ଅଭିଯୋଗ କରି ଅଭୟମୁଖୀ ପଞ୍ଚାୟତ କାର୍ଯ୍ୟାଳୟରେ ଉଭୟ ପଞ୍ଚାୟତ ପିଇଓ ଓ ଜିଆର୍‌ଏସ୍‌ଙ୍କୁ ଉତ୍ତ୍ୟକ୍ତ ଲୋକ ତାଲା ପକାଇଛନ୍ତି। ବିଡିଓ ଦିଲୀପ କୁମାର ଷଡ଼ଙ୍ଗୀ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ପିଇଓ ଓ ଜିଆର୍‌ଏସ୍‌ଙ୍କୁ ମୁକୁଳାଇଛନ୍ତି। ଖୁବ୍‌ଶୀଘ୍ର ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।

ଘର ପାଇଁ ଜିଆର୍‌ଏସ୍‌ ଟଙ୍କା ନେଇଥିବା ଅଭିଯୋଗ
ତଦନ୍ତ ଦାବି, ପୁଲିସ ଫୋର୍ସ ସହ ବିଡିଓ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କଲେ

ଅଭୟମୁଖୀ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ଯେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ଘର ଭାଙ୍ଗିବା ପରେ ବ୍ଲକ୍‌ ତରଫରୁ ଅଧିକାରୀମାନେ ଅଭୟମୁଖୀ ପଞ୍ଚାୟତରେ ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କ ଜିଓ ଟ୍ୟାଗିଂ କରାଯାଇଥିଲା। ୨୦୨୦ରେ ଆସିଥିବା ଆବାସ ଯୋଜନା ତାଲିକାରେ ଜିଓ ଟ୍ୟାଗିଂ ଆଧାରରେ ଯେଉଁ ହିତାଧିକାରୀଙ୍କ ନାମ ଥିଲା, ୨୦୨୩ ଆବାସ ଯୋଜନା ତାଲିକାରୁ ଅଧିକାଂଶ ନାଁ ବାଦ୍‌ ପଡ଼ିଛି। ଫନିରେ ଭାଙ୍ଗିଥିବା ଘରକୁ ଦେଖିଲେ, ପ୍ରାୟ ୯୦% ପ୍ରତିଶତ ଲୋକଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିଛି। ଆଜି ପଲ୍ଲୀସଭା ଚାଲିଥିବା ବେଳେ ପଞ୍ଚାୟତର ଲୋକେ ଏହାର ଜବାବ ମାଗିଥିଲେ। କିନ୍ତୁ ଅଧିକାରୀମାନେ ଏହାର ଠିକ୍‌ ଜବାବ ଦେଇନଥିଲେ। ଏହାକୁ ନେଇ ପିଇଓ, ଜିଆର୍‌ଏସ୍‌ ଓ ଅନ୍ୟ ଅଧିକାରୀଙ୍କ ସହ ଲୋକଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପଞ୍ଚାୟତର ଜିଆର୍‌ଏସ୍‌ ଆବାସ ଯୋଜନା ତାଲିକାରେ ନାଁ ଯୋଡ଼ିବା ପାଇଁ ଲୋକଙ୍କଠାରୁ ଲାଞ୍ଚ ନେଇଥିବା ଲୋକେ ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟରେ ଏ ନେଇ ଉତ୍ତେଜନା ଦେଖାଦେଇଥିଲା। କଥା କଟାକଟି ଉଗ୍ରରୂପ ନେବା ପରେ ପଞ୍ଚାୟତ ଲୋକେ ପିଇଓ ଓ ଜିଆର୍‌ଏସ୍‌ଙ୍କୁ ତାଲା ପକାଇ ଦେଇଥିଲେ। କିନ୍ତୁ ଟଙ୍କା ନେବା ଅଭିଯୋଗକୁ ଜିଆର୍‌ଏସ୍‌ ଅହଲ୍ୟା ସାହୁ ଖଣ୍ଡନ କରିଛନ୍ତି।

ଅନ୍ୟପଟେ ଆବାସ ଯୋଜନାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିବା ବେଳେ ଡେଲାଙ୍ଗ ବିଡଓ ଶ୍ରୀ ଷଡ଼ଙ୍ଗୀଙ୍କ ବଦଳି କଟା ଘା’ରେ ଚୂନ ଦେବା ପରିସ୍ଥିତି ସୃଷ୍ଟି କରିଛି। ଗତ ବର୍ଷ ଆବାସ ଯୋଜନା ପାଇଁ ଆବେଦନ ସମୟରେ ମଧ୍ୟ ସଙ୍ଗିନ ଅଭିଯୋଗ ହୋଇଥିଲା। ଅଧିକାରୀଙ୍କ ସହ ମୁଷ୍ଟିମେୟ ନେତା ଘର ଦେବା ପାଇଁ ୧୦ରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ଉଠିଥିଲା। ଏ ବର୍ଷ ହିତାଧିକାରୀଙ୍କ ତାଲିକା ଦେଖିଲେ ଏହାର ସତ୍ୟାସତ୍ୟ ଜଣାପଡ଼ୁଛି। ସରକାରଙ୍କ ନିୟମ ଅନୁସାରେ ଯେଉଁ ହିତାଧିକାରୀ ୨୦୦୧ରୁ ୨୦୨୦ ବର୍ଷ ମଧ୍ୟରେ ସରକାରୀ ଆବାସ ଯୋଜନା ପାଇଛନ୍ତି, ସେମାନେ ଏ ବର୍ଷ ଅଯୋଗ୍ୟ ବିବେଚିତ ହେବେ। କିନ୍ତୁ ଫନିରେ ଭାଙ୍ଗିଥିବା ଘରକୁ ନେଇ କୌଣସି ସ୍ପଷ୍ଟୀକରଣ ରହିନାହିଁ। ଫନି ପରେ ୧୦ ଥରରୁ ଅଧିକ ଥର ଘରର ଫଟୋ ନେଇଛନ୍ତି ସରକାରୀ ଅଧିକାରୀ। କିନ୍ତୁ ଦୁଃଖର ବିଷୟ, ଯେଉଁ ତାଲିକା ପ୍ରକାଶ ପାଇଛି, ସେଥିରେ ତାଙ୍କ ନାଁ ନ ଥିବା ନିଃସହାୟ ୭୩ ବର୍ଷୀୟ ବୃଦ୍ଧ ଦିଗମ୍ବର ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର