ଇନ୍ଦ୍ରାବତୀରୁ ଜଳସେଚନ ଆରମ୍ଭ; ୪୭୦ଟି ଗାଁର ୧,୧୫,୬୧୫ ହେକ୍ଟର ଜମିକୁ ପାଣି ମାଡ଼ିବ

ଜୟପାଟଣା : ଇନ୍ଦ୍ରାବତୀ ପ୍ରକଳ୍ପ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ହାତୀ ବ୍ୟାରେଜରୁ ଉଭୟ ବାମ, ଦକ୍ଷିଣ ଓ ମେଗା ଲିଫ୍ଟ କେନାଲରୁ ଖରିଫ ଚାଷ ପାଇଁ ଜଳସେଚନ ଆରମ୍ଭ ହୋଇଛି। ଏହା ଦ୍ବାରା କଳାହାଣ୍ଡି ଜିଲ୍ଲାର ଆଠଟି ବ୍ଲକର ୪୭୦ଟି ଗ୍ରାମର ୧,୧୫, ୬୧୫ ହେକ୍ଟର ଜମିକୁ ପାଣି ମାଡ଼ିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। ସେଥିମଧ୍ୟରୁ ଜୟପାଟଣା ବ୍ଲକର ୮୦ଟି ଗ୍ରାମର ୨୪,୪୧୫ ହେକ୍ଟର, କଲମପୁର ବ୍ଲକ ୪୮ଟି ଗ୍ରାମର ୧୧,୨୧୪, ଜୁନାଗଡ଼ ବ୍ଲକ ୧୩୭ ଗ୍ରାମର ୩୨,୯୦୯, କୋକସରା ବ୍ଲକ ୫୩ଟି ଗ୍ରାମର ୧୪,୬୧୧, ଧର୍ମଗଡ଼ ବ୍ଲକ ୮୫ ଗ୍ରାମର ୨୦,୬୬୪, ଗୋଲାମୁଣ୍ଡା ବ୍ଲକ ୨୮ଟି ଗ୍ରାମର ୬୫୯୪, ଭବାନୀପାଟଣା ବ୍ଲକ ୩୫ଟି ଗ୍ରାମର ୩୮୬୭ ଓ କେସିଙ୍ଗା ବ୍ଲକର ୪ଟି ଗ୍ରାମର ୧୩୧୮.୮୮୦ ହେକ୍ଟର ଜମିରେ ଜଳ ସେଚନ କରାଯିବ ବୋଲି ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅପରପକ୍ଷରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ସଂରକ୍ଷଣ ୬୨୯.୬୮ ମିଟର ଅର୍ଥାତ ୩୧,୦୭୮ ହେକ୍ଟର ମିଟର ରହି ୨୦.୯୨ପ୍ରତିଶତରେ ପହଞ୍ଚି ସାରିଥିବା ଜଣାପଡ଼ିଛି। ଜଳ ସେଚନକୁ ନଜରରେ ରଖି ବିଦ୍ୟୁତ୍ ଉତ୍ପାଦନକୁ ମଧ୍ୟ ସଙ୍କୁଚିତ କରାଯାଇ ୧୨୬ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରାଯାଉଥିବା ସୂଚନା ମିଳିଛି। ପ୍ରଥମ ଦିନ ବାମ ମୁଖ୍ୟ କେନାଲରେ ୧୦.୧୨ କ୍ୟୁମାକ୍ସ, ଦକ୍ଷିଣ ମୁଖ୍ୟ କେନାଲରେ ୭.୫ ଓ ମେଗା ଲିଫ୍ଟ କେନାଲରେ ୭.୫ କ୍ୟୁମାକ୍ସ୍ ପାଣି ଛଡ଼ା ଯାଇଛି। ପର୍ଯ୍ୟାୟ କ୍ରମେ ଜଳସେଚନ ପରିମାଣକୁ ବୃଦ୍ଧି କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ଶୁକ୍ରବାର ବିଧାୟକ ପ୍ରଦୀପ ଦିଶାରୀଙ୍କ ସହ ଅଞ୍ଚଳର ଚାଷୀ ଓ କୃଷକ ନେତା ଉପସ୍ଥିତ ରହି ପୂଜାର୍ଚ୍ଚନା ପରେ ଜଳସେଚନ ଆରମ୍ଭ କରିଥିଲେ। ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ବାମ କେନାଲ ଅଧୀକ୍ଷଣ ଯନ୍ତ୍ରୀ ତ୍ରୁପ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ରଘୁନାଥ ମୁଣ୍ଡା, ପ୍ରଣୟ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ପରମାନନ୍ଦ ନାୟକ, ଶାନ୍ତନୁ ଲେଙ୍କା, କୃଷକ ନେତା ମାଣିକ୍ୟ ଜ୍ୟୋତି ପଣ୍ଡା, ପ୍ରଭାକର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର