ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ଛତ୍ରପୁର, ଭଦ୍ରକ ଗସ୍ତ

ଭୁବନେଶ୍ବର : ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ଛତ୍ରପୁର ଓ ଭଦ୍ରକ ନିର୍ବାଚନମଣ୍ଡଳୀ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗତ ୨୫ ତାରିଖରେ ଛତ୍ରପୁରର ଝାରେଡ଼ି ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବିଞ୍ଚଣାପାଲି ଗ୍ରାମ ଗସ୍ତ କରି ଶ୍ରୀ ପତ୍ରୀ ଗଭୀର ନଳକୂପ କ୍ଲଷ୍ଟର୍‌ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା କୃଷକମାନେ କିପରି ଜଳସେଚନ ସୁବିଧା ପାଇପାରୁଛନ୍ତି, ସେ ସମ୍ପର୍କରେ ଅବଗତ ହୋଇଥିଲେ। ଜଳସେଚନ ସମସ୍ୟା ସମ୍ପର୍କିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ସ୍ଥାନୀୟ କୃଷି ଓ ଉଠା ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ବିଭିନ୍ନ ସ୍ଥାନରେ ଥିବା ଉଠାଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯାଇ ସେଗୁଡ଼ିକ ଦ୍ବାରା କିପରି ଅଧିକ ଜମିକୁ ଜଳସେଚିତ କରାଯାଇ କୃଷକମାନେ ଅଧିକ ଲାଭବାନ ହୋଇପାରିବେ, ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶ୍ରୀ ପତ୍ରୀ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଓଏଲ୍‌ଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ୨୮ ତାରିଖରେ ଭଦ୍ରକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ସ୍ଥିତି, ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଶ୍ରୀ ପତ୍ରୀ କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ନିର୍ମାଣାଧୀନ ଉଠା ଜଳସେଚନ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା, ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିବା ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ଓ ଜଳସେଚନର ସୁପରିଚାଳନା ଉପରେ ଗୁରୁତ୍ବାରୋପ କରିଥିଲେ। ବୈଠକରେ ଭଦ୍ରକ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଯଶୋବନ୍ତ ପ୍ରଧାନଙ୍କ ସମେତ ଅନ୍ୟ ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର