ଘୁ.ଉଦୟଗିରି: ଚାଷୀଙ୍କ ପାଇଁ ଯେ କୌଣସି ସରକାର ଆସିଲେ କୁମ୍ଭୀର କାନ୍ଦଣା କାନ୍ଦନ୍ତି। କୋଟିକୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୁଏ। ଜମି ଜଳସେଚନ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ ହୋଇ ଅର୍ଥ ବ୍ୟୟ ବରାଦ ହୁଏ ହେଲେ ଏହି ଅର୍ଥ କେଉଁଠି ଖର୍ଚ୍ଚ ହୁଏ କିଏ ଉପକାର ପାଆନ୍ତି କାହାକୁ ଜଣାନାହିଁ। ଚାଷ ସମୟ ସ୍ଥାନୀୟ ଅଞ୍ଚଳରେ ନିଣ୍ଟିଣ୍ଟିଆ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ ଥିବା ବେଳେ କେନାଲ ଉପରେ ଭରଷା କରି ନିଜ ଜମିରେ ଚାଷ କରି ତଳି ପକେଇବା ନିମନ୍ତେ ଅଣ୍ଟା ଭିଡ଼ିଲା ବେଳକୁ ମୁକୁଳା ପଡ଼ିଛି କେନାଲ ଜମିକୁ ପାଣି ଆସିବା ବଦଳରେ ବାହାରକୁ ଯାଉଛି ପାଣି।କେନାଲ ମତମତି କରିବା ନିମନ୍ତେ ଅଭିଯୋଗ କରିବାକୁ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ କୁ ଚାଷୀ ଆସିଲା ବେଳକୁ କାର୍ଯ୍ୟାଳୟ ରେ ତାଲା ଝୁଲୁଛି।
କାର୍ଯ୍ୟାଳୟ ସମ୍ମୁଖରେ ଗଛଲତା ମାଡି ଗଲାଣି। କାର୍ଯ୍ୟାଳୟ ବାହାର ପରିବେଶ ଦେଖିଲେ ସ୍ପଷ୍ଟ ଭାବେ ଜଣା ପଡୁଛି କି ଦୀର୍ଘ ଦିନ ହେଲା କାର୍ଯ୍ୟାଳୟ ଖୋଲିନି କି କେହି ଆସିନାହାନ୍ତି। କାହାର ଦେଖାନାହିଁ। ସରକାରୀ କାର୍ଯ୍ୟାଳୟ ହେଲେ ଜଣେ କେହି ନାହାନ୍ତି ଯେତେବେଳେ ଗଲେ ତାଲା ଝୁଲୁଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀମାନେ।ବାଧ୍ୟ ହୋଇ ଚାଷୀମାନେ ମିଳିତ ହୋଇ କେନାଲ ମରାମତି କରିବା ସହ ଭାଙ୍ଗି ଯାଇଥିବା କେନାଲ ହୁଡାରେ ମାଟି ପକେଇ ମରାମତି କରିଥିବା କହିଛନ୍ତି ଲ୍ୟାମ୍ପ ସିଏସର ସଭାପତି ଜମେଶ ପ୍ରଧାନ। ଆମେ ମଧ୍ୟ ବହୁବାର ଏହି କାର୍ଯ୍ୟାଳୟ କୁ ଯାଇ ବିଭାଗୀୟ ଯନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିବାକୁ ଯାଇ ବିଫଳ ହୋଇ ଫେରିଛୁ କାରଣ କାର୍ଯ୍ୟାଳୟ ରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥାଏ।
ଅନ୍ୟପକ୍ଷରେ ଅଭିଯୋଗ କରିଛନ୍ତି ଆମ ଜମିକୁ ପାଣି ଆସୁନି କିନ୍ତୁ ଆମ ଠାରୁ ରାଜସ୍ୱ ବିଭାଗ ଜଳକର ଆଦାୟ କରୁଛନ୍ତି। ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କୁ ଚାଷୀମାନେ ସାକ୍ଷାତ କରି ନିଜ ସମସ୍ୟା ବିଷୟରେ ଅବଗତ କରେଇବା ସହ ଜଳକର ଛାଡ଼ କରିବାକୁ ଜସିଦ ପ୍ରଧାନ ଏବଂ ଅନ୍ୟ ଚାଷୀ ମାନେ ମିଳିତ ଭାବେ ଅନୁରୋଧ କରିଛନ୍ତି। ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଜଳସେଚନ ପାଇଁ ଯଦି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ତାହାହେଲେ ଚାଷୀଙ୍କ ଜମିକୁ ଜଳ ସେଚନ ହୋଇପାରିନି କେମିତି?ସ୍ଥାନୀୟ ସହରରେ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ଅଛି ହେଲେ ସବୁବେଳେ ତାଲା ଝୁଲି ରହୁଛି କାହିଁକି? ଏହି ବିଭାଗ ପ୍ରତି କାହାର ନଜର ନାହିଁ ସେଇଭଳି ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପ୍ରତି ମଧ୍ୟ କାହାର ନିଘା ନାହିଁ।ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ରେ କଣ କାର୍ଯ୍ୟ ହେଉଛି କିଏ କାର୍ଯ୍ୟ କରୁଛନ୍ତି କେତେ କର୍ମଚାରୀ ଅଛନ୍ତି କୌଣସି ତଥ୍ୟ ମିପାରୁନଥିବା ପରିତାପର ବିଷୟ।ସରକାର ଅଛି ଶାସନ ଚାଲିଛି ପ୍ରଶାସନ ଅଛି ତଥାପି ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ଦୃଶ୍ୟ ଦେଖିବା ପରେ ସତରେ ଶାସନ ଚାଲିଛି ? ସତରେ ପ୍ରଶାସନ ଅଛି କି ବୋଲି ଚାଷୀ ମାନେ କଟାକ୍ଷ କରିଛନ୍ତି।