ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିସ୍ଥିତ କ୍ଷୁଦ୍ର ଜଳସେଚନ ଉପବିଭାଜନ କାର୍ଯ୍ୟଳୟ ଜର୍ଣ୍ଣାଜୀର୍ଣ୍ଣ ଅବସ୍ଥାରେ ରହିଛି। ପ୍ରଶାସନର ଅବହେଳା ଯୋଗୁଁ ଉକ୍ତ କାର୍ଯ୍ୟାଳୟରେ ତାଲା ଝୁଲିବା ସହ କାର୍ଯ୍ୟାଳୟ ପରିସର ଜଙ୍ଗଲରେ ପରିପୂର୍ଣ୍ଣ ହେବା ସହ ମୁଖ୍ୟ ଫାଟକରେ ତାଲା ଝୁଲୁ ଥିବା ଦେଖୁବାକୁ ମିଳିଛି। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ କାରଣ ଜମିକୁ ପାଣି ନାହିଁ। କେନାଲ ଅଛି ହେଲେ ପାଣି ଆସୁନି। ଚାଷୀ ନିୟମିତ ଜଳକର ଦେଇଚାଲିଛନ୍ତି। ସ୍ଥାନୀୟ ଅଞ୍ଚଳର ସିର୍କୀ, ମଧୁଝରି ଓ ରଟିଙ୍ଗିଆ ଡ୍ୟାମ ସହ ଅନ୍ୟ ଡ୍ୟାମରୁ ଚାଷ ଜମିକୁ ଜଳସେଚନ ଠିକ ଭାବରେ ହେଉନ ଥିବାରୁ ମାନସିକ ଚାପରେ ଚାଷୀ। ଏହି ଅଞ୍ଚଳର ଚାଷୀଙ୍କୁ ବର୍ଷା ପାଣି ହିଁ ସାହା ଭରସା ହୋଇ ଥିବା ଦେଖା ଦେଇଛି। ସ୍ଥାନୀୟ କ୍ଷୁଦ୍ର ଜଳସେଚନ ଉପ ବିଭାଜନ କାର୍ଯ୍ୟଳୟରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ବା ଉପଖଣ୍ଡ ଅଧିକାରୀ, ତିନିଜଣ କନିଷ୍ଠ ଯନ୍ତ୍ରୀ, ଜଣେ କିରାଣୀ, ଜଣେ ଚାରିଚକିଆ ଯାନ ଚାଳକ ଓ ଜଣେ ସେକ୍ସନ ଅଫିସର ନିଯୁକ୍ତି ହେବାର ସରକାରୀ ନିୟମ ରହିଛି। କିନ୍ତୁ ଅତି ପରିତାପର ବିଷୟ ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟରେ ଜଣେ ମଧ୍ୟ ସରକାରୀ କର୍ମଚାରୀ ନାହାନ୍ତି।

Advertisment

ସରକାରୀ କର୍ମଚାରୀ ନ ଥିବାରୁ ଠପ ହୋଇଛି ବିକାଶର କାମ। ତେଣୁ ଚିନ୍ତାରେ ସ୍ଥାନୀୟ ଚାଷୀ। ଘୁ.ଉଦୟଗିରି କ୍ଷୁଦ୍ର ଜଳ ସେଚନ ଉପବିଭାଜନ ଅଧୀନରେ ଘୁ.ଉଦୟଗିରି ସେକ୍ସନ, ଟିକାବାଲି ସେକ୍ସନ, ରାଇକିଆ ସେକ୍ସନ ରହିଛି। ଏହି ସେକ୍ସନ କାର୍ଯ୍ୟାଳୟର ତଦାରଖ ଆସିଷ୍ଟାଣ୍ଡ ଇଂଜିନିୟର କରିଥାନ୍ତି। ବର୍ତ୍ତମାନ ଏହି ତିନିଟି ସେକ୍ସନ ତଦାରଖ କରିବା ପାଇଁ କେବଳ ଜଣେ ଏଇ ଟିକାବାଲି ସେକ୍ସନ ଅଫିସରେ ଅଛନ୍ତି।ଯାହା ପାଇଁ କୌଣସି କାର୍ଯ୍ୟ ହେଉନଥିବା ସହ ଜଳସେଚନ ଠିକ ଭାବରେ ହେଉନ ଥିବାରୁ ଚାଷୀ ଚିନ୍ତାରେ ଥିବା କହିଛନ୍ତି। ତେଣୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯଥା ସମ୍ଭବ  ଘୁ.ଉଦୟଗିରି କ୍ଷୁଦ୍ର ଜଳ ସେଚନ ଉପବିଭାଜନରେ ଖାଲି ପଡ଼ି ଥିବା ସରକାରୀ କର୍ମଚାରୀ ପଦବି ପୂରଣ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସୀନ୍ଧା ଓ ଚାଷୀ।

ମିଳିଥିବା ସୂଚନା ମୁତାବକ ସମଗ୍ର ଜିଲ୍ଲାରେ ଏକା ଦଶା। ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀ ନାହାନ୍ତି। ଯାହା ପାଇଁ କନ୍ଧମାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ବୌଦ୍ଧ ଜିଲ୍ଲା ଏସଇଙ୍କ ଦ୍ୱାରା ପରିଚାଳିତ। ସରକାରୀ ଅବହେଳା ଯୋଗୁଁ ସମଗ୍ର ଜିଲ୍ଲାରେ ମଧ୍ୟ ଜଳସେଚନ କାର୍ଯ୍ୟରେ ବ୍ୟାଘାତ ଦେଖା ଦେଉ ଥିବା ଚାଷୀ କହିଛନ୍ତି। ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହ ଖାଲି ପଡ଼ି ଥିବା ପଦବି ପୂରଣ ସହ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ଘୁ.ଉଦୟଗିରିରେ ଥିବା ଜଳ ସେଚନ ସମସ୍ୟାକୁ ନେଇ ସ୍ଥାନୀୟ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ନିମନ୍ତେ ଦାବି କରିଥିବା ସୂଚନା ମିଳିଛି।

ଚଳିତ ବର୍ଷ ସରକାର କୃଷି ଏବଂ କୃଷକ ମାନଙ୍କ ବିକାଶ ପାଇଁ ବଜେଟ ରେ ବ୍ୟାପକ ବ୍ୟୟ ବରାଦ କରିଥିବା ସୂଚନା ମିଳିଛି। କୃଷି ବଜେଟ ରେ ୨୮,୯୪୪କୋଟି ବ୍ୟୟ ବରାଦ କରିଥିବା ବେଳେ ଜଳସେଚନ କ୍ଷେତ୍ର ପାଇଁ୧୪,୪୬୭କୋଟି ବ୍ୟୟ ବରାଦ କରିଛନ୍ତି। କିନ୍ତୁ ଏହି ଟଙ୍କା କିଏ ଖର୍ଚ୍ଚ କରିବ କେମିତି ଖର୍ଚ୍ଚ ହେବ ପ୍ରଶ୍ନ ଉଠୁଛି। କାରଣ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଏକ ପାହାଡିଆ ଜିଲ୍ଲା ଏହି ଅଞ୍ଚଳରେ ଢେପ ଜମି ଯୋଗୁଁ ଚାଷୀ ପ୍ରାୟତଃ ଜଳସେଚନ ଉପରେ ନିର୍ଭରଶୀଳ ନଚେତ ବର୍ଷା ଉପରେ।ଚଳିତ ବର୍ଷ ନିଆଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିବା ବେଳେ କେନାଲ ଶୁଖିଲା ପଡିଛି। ବୁଝିବାକୁ କେହି ନାହାନ୍ତି।ଏଣେ କ୍ଷୁଦ୍ର ଜଳ ସେଚନ କାର୍ଯ୍ୟାଳୟରେ ତାଲା ଝୁଲୁଛି। ଜଙ୍ଗଲରେ ପରିପୂର୍ଣ୍ଣ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ। ଭୂତକୋଠି ପାଲଟି ଗଲାଣି କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟ। ସରକାରଙ୍କ କୃଷକ ବିକାଶ ଯୋଜନା ସମ୍ପୂର୍ଣ୍ଣ  ଫିୟୁଜ ହେଲାଭଳି ଅନୁଭବ ହେଉଛି ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟ ର ଦୃଶ୍ୟ ଦେଖୁବା ପରେ। ନୂଆ ସରକାର ନୂଆ ଯୋଜନା ଦେଖିବାକୁ ବାକି ରହିଲା ଆଗକୁ ଏହି ଅଞ୍ଚଳର ଚାଷୀଙ୍କ ଭାଗ୍ୟ ବିଧାତା କ୍ଷୁଦ୍ର ଜଳସେଚନ ବିଭାଗ କିଭଳି କାର୍ଯ୍ୟ କରୁଛି।