ସିଂହେଇପାଲିରେ ଉଠାଜଳସେଚନ ପ୍ରକଳ୍ପ ଅଚଳ

ବର୍ଷଧିକ ସମୟ ଅଚଳ, ବଦ୍ୟୁତ୍‌ ବିଲ୍‌ ଆସିଛି ୪୨ ହଜାର, ନିଜ ଉଦ୍ୟମରେ ଚାଷୀ କଲେ ମରାମତି

ଇବ୍‌ଥର୍ମାଲ : ଲଖନପୁର ବ୍ଲକ୍ ତିଲିଆ ପଞ୍ଚାୟତର ସିଂହେଇପାଲି ଗ୍ରାମରେ ଉଠା ଜଳସେଚନ ପ୍ରକଳ୍ପଟି ଅଚଳ ହୋଇ ପଡ଼ିଛି। ଲୋକେ ପାଣି ନପାଇ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବର୍ଷ ବର୍ଷ ହେଲା ପମ୍ପ ଚାଲୁ ନଥିଲେ ମଧ୍ୟ ବିଲ୍‌ ଆସିଛି ୪୨ ହଜାର ଟଙ୍କା। ଏପଟେ ଲୋକେ ବିଲରରେ ପାଣି ମଡ଼ାଇ ନପାରି ମରୁଡ଼ିର ସମ୍ମୁଖୀନ ହେଲେଣି। ଚଳିତ ବର୍ଷ ବର୍ଷା ନହେବାରୁ ଜଳାଭାବ ସମସ୍ୟା ଦୂର କରିବାକୁ ଚାଷୀମାନେ ନିଜ ଉଦ୍ୟମରେ ଏହାର ମରାମତି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ୨୦୧୮ ଜୁନ୍‌ ୧୩ ତାରିଖରେ ଏଠାରେ ୪୦ରୁ ୫୦ ଏକର ଜମିକୁ ଜଳସେଚନ କରିବା ଲକ୍ଷ୍ୟ ରଖି ଓଡ଼ିଶା ଜଳ ସେଚନ ବିଭାଗ ପକ୍ଷରୁ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ କାମ ଆରମ୍ଭ କରାଯାଇଥିଲା। ସେହିବର୍ଷ ଅକ୍ଟୋବର ୨ ତାରିଖ ସୁଦ୍ଧା କାମ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ତାହା ନିର୍ଦ୍ଧାରିତ ସମୟରେ ଶେଷ ହୋଇ ପାରି ନଥିଲା। ସିଂହେଇପାଲି ମା’ ଲକ୍ଷ୍ମୀ ପାଣିପଞ୍ଚାୟତ ସଦସ୍ୟମାନଙ୍କ କହିବା କଥା ଯେ ଗତବର୍ଷ ୨୦୨୦ ବେଳକୁ ଏହାକୁ କାର୍ଯ୍ୟକ୍ଷମ କରାଇ ଠିକାଦାର ଓ ତତ୍କାଳୀନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଗ୍ରାମ ନିକଟକୁ ହୀରାକୁଦ ଜଳଭଣ୍ଡାର ପାଣି ଚାପୁଥିବାରୁ ଏଠାରେ ଏହି ଉଠା ଜଳସେଚନ ପ୍ରକଳ୍ପ କରା ଯାଇଛି। ଏଥିରେ ଦୁଇଟି ସମରସେବଲ ମୋଟର ପମ୍ପ ଲଗାଯାଇଛି। ହେଲେ ନିମ୍ନମାନର କାମ ଯୋଗୁଁ ହସ୍ତାନ୍ତର ପରେ ଆଉ ପମ୍ପ ଦୁଇଟି ଚାଲିଲା ନାହିଁ। ଗତବର୍ଷ ବର୍ଷାଭାବ ଓ ଜଳାଭାବ ହେତୁ ଉଠା ଜଳସେଚନ ପ୍ରକଳ୍ପ ଥାଇ ମଧ୍ୟ ଲୋକେ ପାଣି ପାଇଲେ ନାହିଁ। ତତ୍କାଳୀନ ବିଭାଗୀୟ ଯନ୍ତ୍ରୀ ନିରଞ୍ଜନ ନାଏକଙ୍କୁ ଏ ବାବଦରେ ଅଭିଯୋଗ କରି ତଥା ଓଡ଼ିଶା ଉଠା ଜଳସଚେନ ବିଭାଗ (ଓଏଲ୍‌ଆଇସି)କୁ ଯୋଗାଯୋଗ କରି ୨ଟିରୁ ଗୋଟିଏ ପମ୍ପ୍‌କୁ ଠିକ୍‌ କରାଗଲା। ଲୋକେ ଚାଷ ସମୟରେ ବର୍ଷା ଜଳରେ ଚାଷ କଲେ। ହେଲେ ଏବେ ବର୍ଷା ଅଭାବ ହେତୁ ମୋଟର ଚଳାଇ ପାଣି ନେବାକୁ ଆରମ୍ଭ କଲାରୁ ପାଇପ ସମସ୍ୟ ଦେଖାଦେଲା। ନିମ୍ନମାନର ପାଇପ ଲଗା ଯାଇଥିବାରୁ ପାଇପ ଫାଟି ଜମିକୁ ପାଣି ଗଲା ନାହିଁ। ଫଳରେ ପାଣି ପଞ୍ଚାୟତ ସଦସ୍ୟ ନିଜେ ପାଇପ କିଣି ମରାମତି କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ହାତରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇ ସାରିଥିବା କୁହାଯାଇଛି।

ଲୋକଙ୍କ ଅଭିଯୋଗ ଯେ ଚାଷୀଙ୍କ ଚାଷ ଜମିକୁ ଜଳ ଯୋଗାଣ ପାଇଁ ଯେଉଁ ଯୋଜନା ସରକାର କଲେ ତାର ଫଳ ମିଳିଲା ନାହିଁ। ଓଲଟା ପମ୍ପ ନଚାଲି ବି ବିଦ୍ୟୁତ୍‌ ବିଭାଗ ତାଙ୍କ ପାଣି ପଞ୍ଚାୟତ ଉପରେ ୪୨ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍ ବୋଝ ଲଦି ଦେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ବନ୍ଧବାହାଲ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଝାରସୁଗୁଡା ଓଏଲ୍‌ଆଇସି କାର୍ଯ୍ୟାଳୟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ପ୍ରତିକାର ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ନାହିଁ। ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଓ ନିମ୍ନମାନର କାମ ପାଇଁ ଚାଷୀମାନେ ଦରକାର ସମୟରେ ଯୋଜନାର ଫଳ ପାଇ ପାରି ନାହାନ୍ତି। ସମରସେବଲ ପମ୍ପ ପରିବର୍ତ୍ତେ ଯଦି ମାଟି ଉପରେ ପମ୍ପ ବସାଯା’ନ୍ତା ଓ ଦୁଇଟି ପମ୍ପକୁ କାର୍ଯ୍ୟକ୍ଷମ କରାଯା’ନ୍ତା ତାହେଲେ ବର୍ଷା ଅଭାବରେ ବି ଫସଲ ବଞ୍ଚି ଯାଆନ୍ତା ବୋଲି ଚାଷୀମାନେ କହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ପାଣି ପଞ୍ଚାୟତ ସଦସ୍ୟ ବିଶ୍ବଜିତ୍ ପଧାନ, ରୋହିତ ପଧାନ, ମନବୋଧ ପଧାନ, ଜୀବେଶ ସାହୁ, ଅକ୍ଷୟ ପଧାନ, ସହଦେବ ଧୁରୁଆ, ପ୍ରକଶ ଧୁରୁଆ, ରମଣି ଧୁରୁଆ, ମଧୁ ଭୋଇ, ସଦାନନ୍ଦ ଭୋଇ, ରମା ଭୋଇ, ରବୀନ୍ଦ୍ର ଭୋଇ ଓ ନାଗର ଭୋଇ ପ୍ରମୁଖ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର