ନିର୍ଦ୍ଧାରିତ ସମୟ ମଧ୍ୟରେ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସାର

ଭବାନୀପାଟଣାରେ ସମୀକ୍ଷା କଲେ ଓଏଲ୍‌ଆଇସି ଅଧ୍ୟକ୍ଷ

ଭୁବନେଶ୍ବର : ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ତାଙ୍କର ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଗୁରୁବାର ଭବାନୀପାଟଣା ଓଏଲ୍ଆଇସି ଡିଭିଜନରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଭବାନୀପାଟଣା ସଦର ମହକୁମାଠାରେ ଏ ସମ୍ପର୍କିତ ଏକ ବୈଠକରେ ଯୋଗଦେଇ ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଲେ ଯେ, ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ଓ କୃଷକମାନଙ୍କ କଲ୍ୟାଣ ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ସମ୍ପ୍ରତି ରବି ଚାଷ କାର୍ଯ୍ୟ ସମୟରେ କୃଷି କ୍ଷେତ୍ରକୁ ଆବଶ୍ୟକ ପରିମାଣର ଜଳ ଯୋଗାଣକୁ ନିଶ୍ଚିତ କରିବାର ଆବଶ୍ୟକତା ଥିବାରୁ କୃଷକମାନଙ୍କୁ ସେମାନଙ୍କର ରହିଥିବା ସମସ୍ୟାର ସମାଧାନ କରିବାରେ ସହଯୋଗ କରିବାକୁ ଶ୍ରୀ ପତ୍ରୀ ଗୁରୁତ୍ୱାରୋପ କରିଥିଲେ। ୫ଟି ଆଧାରରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ ପୂର୍ବକ କାର୍ଯ୍ୟ କରି ନିର୍ମାଣାଧୀନ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶୀଘ୍ର ସମ୍ପୂର୍ଣ୍ଣ କରିବା, ମରାମତି ଆବଶ୍ୟକ କରୁଥିବା ପ୍ରକଳ୍ପର ସମୀକ୍ଷା କରି ସେସବୁକୁ ପୁନଃ ସଚଳ କରିବା ପାଇଁ ଆବଶ୍ୟକତା ଅନୁସାରେ ତ୍ୱରିତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।

ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକଙ୍କ ପ୍ରତିନିଧି ସୁଧୀର ମହାନ୍ତି, ଧର୍ମଗଡ ବିଧାୟକଙ୍କ ପ୍ରତିନିଧି ଋତୁରାଜ ମାଝି, ଭବାନୀପାଟଣା ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ସାହୁ, ଭବାନୀପାଟଣା ସଦର ବ୍ଲକ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାକୁଡ଼, ଅଧୀକ୍ଷଣ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାଶ, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ନାୟକ, ସହକାରୀ ଯନ୍ତ୍ରୀ ଦିଗମ୍ବର ପାତ୍ର, ସେଲାଇ ନାଏକ ଓ ଚୈତନ୍ୟ ବାସ୍କେଙ୍କ ସମେତ ଉଠାଜଳସେଚନ ଡିଭିଜନ ଏବଂ ସଂପୃକ୍ତ ସବ୍‌ଡିଭିଜନ ଅନ୍ତର୍ଗତ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ବୈଠକରେ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ଦିଶାରୀ ଓ ଅନ୍ୟ ବିଧାୟକଙ୍କ ପ୍ରତିନିଧିମାନେ ନିଜ ନିର୍ବାଚନମଣ୍ଡଳୀରେ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ଓ ସମସ୍ୟାର ସମାଧାନ ସଂପର୍କରେ ଓଏଲ୍ଆଇସି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମୀକ୍ଷା ବୈଠକ ପରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭେଜିପଦର-୧ ଠାରେ ନଦୀ ପ୍ରକଳ୍ପ ଉଠାଜଳସେଚନ ପ୍ରକଳ୍ପ ଏବଂ ଶରଧାପୁର ଗଭୀର ସେଚ କୂପ କ୍ଲଷ୍ଟର ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର