୭୨ ବ୍ଲକ୍‌ରେ ୩୫%ରୁ କମ୍ ଜଳସେଚନ

ଭୁବନେଶ୍ବର : ରାଜ୍ୟରେ ଜଳସେଚନର ବିକାଶ ପାଇଁ ପ୍ରତି ବ୍ଲକ୍‌ରେ ଅନ୍ୟୂନ ୩୫ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲ୍ଲାୱାରି ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯାଇ ୩୫ ପ୍ରତିଶତରୁ କମ୍ ଜଳସେଚନ ସୁବିଧା ଥିବା ୧୯୮ଟି ବ୍ଲକ୍‌କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ୧୨୬ଟି ବ୍ଲକ୍‌ରେ ୩୫ ପ୍ରତିଶତରୁ ଅଧିକ ଚାଷ ଉପଯୋଗୀ ଜମିକୁ ଜଳସେଚନ ଉପଲବ୍ଧ କରାଯାଇଛି। ବାକି ୭୨ଟି ବ୍ଲକ୍‌ରେ ୩୫ ପ୍ରତିଶତ ଜଳସେଚନ ଏ ଯାଏ ହୋଇନାହିଁ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି। ତେବେ ୭୨ଟି ବ୍ଲକ୍‌ରେ ୩୫ ପ୍ରତିଶତ ଜଳସେଚନ ଲକ୍ଷ୍ୟ ପୂରଣ କରିବା ପାଇଁ କି କି ପଦକ୍ଷେପ ନିଆଯାଉଛି, ତାହା ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି। ନିର୍ମା‌ଣାଧୀନ ସେଚ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବା, ନୂଆ ଭାବେ ଆରମ୍ଭ ହୋଇଥିବା ଚେକ୍ ଡ୍ୟାମ୍, ଗଭୀର ନଳକୂପ, ଅଗଭୀର ନଳକୂପ, ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଦି ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ପ୍ରକଳ୍ପ ନିର୍ମାଣ କରି ଯଥାଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଜଣାଇଛନ୍ତି। ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି, ଜମି ଅଧିଗ୍ରହଣରେ ବିଳମ୍ବ ଏବଂ କେନାଲ ଖନନ ଯୋଗୁ ବ୍ୟାପକ ଜମି ନଷ୍ଟ ହେଉଥିବାରୁ ଜଳସମ୍ପଦ ବିଭାଗ ଇତିମଧ୍ୟରେ କିଛି ନିର୍ମାଣାଧୀନ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର କେନାଲ୍‌ ସିଷ୍ଟମଗୁଡ଼ିକୁ ଓପନ୍ ଚ୍ୟାନେଲ୍‌ ନ କରି ଭୂତଳ ପାଇପ ଲାଇନ୍ ବିଛାଇ ଜଳସେଚନ କରିବା ପାଇଁ ସ୍ଥିର କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଲୋୟର ଇନ୍ଦ୍ର ପ୍ରକଳ୍ପରେ ଭୂତଳ ପାଇପ ଲାଇନ୍ ଯୋଗେ ଜଳସେଚନ ପାଇଁ କାର୍ଯ୍ୟ ଚାଲୁଛି।

ସମ୍ବନ୍ଧିତ ଖବର