ଝାରସୁଗୁଡ଼ା: ମରୁଡ଼ି ବେଳେ କାମକୁ ଆସୁନି ଉଠା ଜଳସେଚନ

୪୯ଟି କେନ୍ଦ୍ର ଅଚଳ, ୪୭ରେ ବିଦ୍ୟୁତ୍‌ ନାହିଁ

ଝାରସୁଗୁଡ଼ା : ଜିଲ୍ଲାରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚଳିତ ବର୍ଷ ବୃଷ୍ଟି ହୀନତା ଚାଷ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଛି। ଜଳ ସଂକଟ କେବଳ ଚାଷ ପାଇଁ ନୁହେଁ ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିଛି। ଗାଁ ଗଣ୍ଡାରେ ଥିବା ବନ୍ଧକଟାଗୁଡ଼ିକ ଏବ‌େ ଶୁଖିଲା ପଡ଼ିଛି। ଯେଉଁ ଜଳଉତ୍ସଗୁଡ଼ିକ ଏବେ ବର୍ଷାଜଳରେ ଉଛୁଳି ଉଠିବା କଥା, ମାତ୍ର ସେଠାରେ ମାଟି ଦେଖାଯାଉଛି। ଜିଲ୍ଲାରେ ଥିବା ଇବ୍‌ନଦୀ, ଭେଡେନ୍‌ ନଦୀ, ଖେରୁଆଳ କୌଣସି ନଦୀରେ ଏ ବର୍ଷ ବନ୍ୟାଜଳ ପ୍ରବାହିତ ହୋଇନାହିଁ। ଚଳିତ ବର୍ଷ ଜିଲ୍ଲାରେ ଗୋଟିଏ ମଧ୍ୟ ବଡ଼ ବର୍ଷା ହୋଇ ନଥିବା ପାଣିପାଗ ବିଭାଗ ରେକର୍ଡରୁ ଜଣା ପଡ଼ିଛି। ଅଗଷ୍ଟ ମାସରେ ପ୍ରବଳ ବର୍ଷା ହେଉଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ମାତ୍ର ଏଥର ପ୍ରଚଣ୍ଡ ଖରାରେ ବାହାରିବା କଷ୍ଟକର ହୋଇ ପଡ଼ିଛି।

ସେପ୍ଟେମ୍ବର ମାସ ସପ୍ତାହେ ଉପରେ ବିତି ଯାଇଥିଲେ ମଧ୍ୟ ଗୋଟିଏ ମଧ୍ୟ ଭଲ ବର୍ଷା ହୋଇ ନାହିଁ। ପାରମ୍ପରିକ ଜଳସେଚନ ବ୍ୟବସ୍ଥା କେବେଠାରୁ ବନ୍ଦ ହୋଇଗଲାଣି। ବିଲରେ ଧାନ ବୁଣିଥିବା ଚାଷୀ ବିଭିନ୍ନ ଉପାୟରେ ଜଳସେଚନ କରି ଧାନଗଛ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ମିଳି ପାରୁ ନାହିଁ। ଚଳିତ ମାସ ୬୦ ପ୍ରତିଶତରୁ ମଧ୍ୟ କମ୍‌ ବର୍ଷା ହୋଇଥିବାରୁ ଏହା କୌଣସି କାମରେ ଆସି ନଥିଲା। ଏଭଳି ପରିସ୍ଥିତିରେ ଜିଲ୍ଲାରେ ଥିବା ଉଠା ଜଳସେଚନ କେନ୍ଦ୍ରଗୁଡ଼ିକ ଚାଷୀଙ୍କୁ ବରଦାନ ସଦୃଶ ହେବା କଥା। ମାତ୍ର ଜିଲ୍ଲାର ଉଠା ଜଳସେଚନଗୁଡ଼ିକ ସବୁବେଳେ ସମସ୍ୟା ଭିତରେ ପଡ଼ି ରହୁଥିବା ଦେଖା ଯାଇଛି। କେଉଁ ଉଠା ଜଳସେଚନ କେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ତ ଆଉ କେଉଁ କେନ୍ଦ୍ର ଦୀର୍ଘ ବର୍ଷରୁ ସଂପୂର୍ଣ୍ଣ ଖରାପ ହୋଇପଡ଼ିଛି। ଜିଲ୍ଲା ଉଠା ଜଳସେଚନ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଥିବା ମୋଟ ୩୮୪ ଗୋଟି ଉଠା ଜଳସେଚନ କେନ୍ଦ୍ର କେନ୍ଦ୍ର ମଧ୍ୟରୁ ୪୯ଟି ସଂପୂର୍ଣ୍ଣ ଅଚଳ ହୋଇ ଯାଇଥିବା ବେଳେ ୩୩୫ଟି ଚଳିବା ଅବସ୍ଥାରେ ରହିଛି। ୧୯୨ଟି କେନ୍ଦ୍ର ଏବେ ଚାଲୁଥିବା ବେଳେ ୧୭ଟି କେନ୍ଦ୍ର ପ୍ରସ୍ତୁତ ଥିବା ଓ ଆଗକୁ କାର୍ଯ୍ୟକ୍ଷମ ହେବା କୁହାଯାଇଛି। ୪ଟି ମେଗା ଉଠାଜଳ ସେଚନ କେନ୍ଦ୍ର ଦ୍ବାରା ଜଳସେଚିତ। ଜିଲ୍ଲାର ୪୭ଟି କେନ୍ଦ୍ରରେ ବିଦ୍ୟୁତ୍‌ ଯୋଗାଣରେ ସମସ୍ୟା ଯୋଗୁଁ ଏହା ଅଚଳ ହୋଇ ପଡ଼ିଛି। ଅନ୍ୟାନ୍ୟ ୭୫ଟି ଉଠାଜଳସେଚନ କେନ୍ଦ୍ରରେ ବିଭିନ୍ନ ସମସ୍ୟା ରହିଥିବା ଜଣାଯାଇଛି।

ଜିଲ୍ଲାର ଲଇକେରା ବ୍ଲକ୍‌ରେ ମୋଟ ୪୨ ଉଠା ଜଳସେଚନ କେନ୍ଦ୍ର ଥିବା ବେଳେ ୫ଟି ଅଚଳ ଓ ୩୭ଟି ଚଳିବା ଅବସ୍ଥାରେ ରହିଛି। ଏଥିରୁ ୨୪ଟି ଚାଲୁଥିବା ବେଳେ ୭ଟି କେନ୍ଦ୍ରରେ ବିଦ୍ୟୁତ୍‌ ସମସ୍ୟା ରହିଛି। ଝାରସୁଗୁଡ଼ା ବ୍ଲକରେ ମୋଟ ୮୦ଟି ଉଠା ଜଳସେଚନ କେନ୍ଦ୍ରରୁ ୧୭ଟି ଅଚଳ ଥିବା ବେଳେ ୬୩ଟି ଚଳିବା ଅବସ୍ଥାରେ ଅଛି। ୨୯ଟି କାର୍ଯ୍ୟକ୍ଷମ ରହିଛି। ୧୦ଟି କେନ୍ଦ୍ରରେ ବିଦ୍ୟୁତ୍‌ ସମସ୍ୟା ରହିଛି। କିର୍ମିରା ବ୍ଳକରେ ମୋଟ ୪୩ଟି କେନ୍ଦ୍ର ଥିବା ବେଳେ ୭ଟି ଅଚଳ ହୋଇପଡ଼ିଛି। ୩୬ଟି ଚଳିବା ଅବସ୍ଥାରେ ଅଛି। ୧୬ଟି କାର୍ଯ୍ୟକ୍ଷମ ଅଛି। ୫ଟିରେ ବିଦ୍ୟୁତ୍‌ ସମସ୍ୟା ରହିଛି। କୋଲାବିରା ବ୍ଲକ୍‌ରେ ମୋଟ୍‌ ୪୯ କେନ୍ଦ୍ର ମଧ୍ୟରୁ  ୧୦ ଟି ଅଚଳ, ୩୯ଟି ଚଳିବା ଅବସ୍ଥାରେ ଓ ୨୦ ଟି ଏବେ କାର୍ଯ୍ୟକ୍ଷମ ରହିଛି। ୬ଟି କେନ୍ଦ୍ରରେ ବିଦ୍ୟୁତ୍‌ ସମସ୍ୟା ରହିଛି। ଲଖନପୁର ବ୍ଲକ୍‌ରେ ମୋଟ୍ ୧୭୦ ଗୋଟି ମଧ୍ୟରୁ ୧୦ ଟି ଅଚଳ ଥିବା ବେଳେ ୧୬୦ ଟି ଚଳିବା ଅବସ୍ଥାରେ ଅଛି। ୧୦୩ଟି କେନ୍ଦ୍ର ଏବେ କାର୍ଯ୍ୟକ୍ଷମ ଥିବା‌ ବେଳେ ୧୯ଟି କେନ୍ଦ୍ରରେ ବିଦ୍ୟୁତ୍‌ ସମସ୍ୟା ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର