କାମରେ ଆସୁନି ୧୫ ଲକ୍ଷ ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ

ହରିଚନ୍ଦନପୁର : ହରିଚନ୍ଦନପୁର ପଞ୍ଚାୟତ ହରିଡ଼ାଗୋଠ ଗ୍ରାମ ନିକଟ ରତ୍ନା ନାଳରେ  ଡିଏମଏଫରୁ ୨୦୧୬-୧୭ ଆର୍ଥିକ ବର୍ଷରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ୩ ବର୍ଷ ପୂର୍ବେ ଶେଷ ହୋଇଛି। ମାତ୍ର ଏଯାଏ କାମରେ ଲାଗି ପାରୁ ନାହିଁ। ଏହି ଜଳ ସେଚନ ପ୍ରକଳ୍ପ ଜଙ୍ଗଲ ମଧ୍ୟରେ ଥିବା ଗୋଡ଼ା ଜମିକୁ ଜଳ ସେଚନ କରିବା ପାଇଁ ନିର୍ମାଣ କରାଯାଇଛି। ଏହା ମଧ୍ୟ ଦିନେ କିମ୍ବା ଦୁଇଦିନ ଚାଲିବା ପରେ ବନ୍ଦ ହୋଇଯାଇଛି। ଏହି ପ୍ରକଳ୍ପ ଦ୍ବାରା ଗ୍ରାମବାସୀ ଉପକୃତ ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି।

ଏହି ଗୋଡ଼ା ଜମିରେ ଏବେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଉଛି । ଗତ ୫/୬ ଦିନ ହେଲା ହରିଚନ୍ଦନପୁର ଅଞ୍ଚଳରେ ବର୍ଷା ହେଉନାହିଁ । ଏହି ନୂଆ ବୃକ୍ଷରେ ପାଣି ମଡ଼ାଇବା ପାଇଁ ବନ ବିଭାଗ ଉଠା ଜଳସେଚନ ପ୍ରକଳ୍ପ ଚଲାଇବା ପାଇଁ ଅନୁରୋଧ କରିଥିଲା । କିନ୍ତୁ ଉଠା ଜଳସେଚନ ପ୍ରକଳ୍ପଟି ଅଚଳ ଥିବାରୁ ବୃକ୍ଷରେ ପାଣି ମଡ଼ାଇବା ସମ୍ଭବ ହେଲା ନାହିଁ । ଏହି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିଥିବା ଠିକାଦାର  ରତ୍ନା ନାଳରୁ ଗୋଡ଼ା ଜମିରେ ୫/୬ ଟି ପଏଣ୍ଟ ସହ ଛୋଟ ଛୋଟ ପାଣି କୁଣ୍ଡ ନିର୍ମାଣ କରିଛି । ଚାଷୀମାନେ ତ ଉପକୃତ ହେଲେନାହିଁ। ତେବେ କେଉଁ ଉଦେଶ୍ୟରେ ଏହି ପ୍ରକଳ୍ପ ନିର୍ମାଣ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଉଠା ଜଳସେଚନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର କିଶାନଙ୍କ ସମେତ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର