ଯାଜପୁରରେ କ୍ଷୁଦ୍ର ଜଳସେଚନ ଯୋଜନା ବିଫଳ : କାମରେ ଲାଗୁନି ଚେକ୍‌ଡ୍ୟାମ୍, ଲକ୍ଷ ଲକ୍ଷ ଟଙ୍କା ବରବାଦ

ଯାଜପୁର/ରଗଡି/ଛତିଆ : ଅଣଜଳସେଚିତ ଚାଷ ଜମିକୁ ଜଳସେଚନ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା କୋଟି କୋଟି ଟଙ୍କା ବ୍ୟୟରେ ବହୁ ସଂଖ୍ୟାରେ ଚେକ୍‌ଡ୍ୟାମ୍‌ କରାଯାଉଛି। ଚେକ୍‌ଡ୍ୟାମ ନିର୍ମାଣ ବେଳେ ସ୍ଥାନୀୟ ଚାଷୀମାନଙ୍କ ପରାମର୍ଶ ନ‌ନେଇ ଠିକାଦାରଙ୍କ ମର୍ଜିରେ କେତେକ ପ୍ରକଳ୍ପ କରାଯାଉଥିବାରୁ ଜଳସେଚନରେ ପ୍ରକଳ୍ପଗୁଡ଼ିକ ଚାଷୀଙ୍କ କାମରେ ଲାଗିପାରୁ ନାହିଁ। ଲକ୍ଷ ଲକ୍ଷ ଟଙ୍କା ବରବାଦ ହେଉଛି। ଠିକାଦାର ଓ ଯନ୍ତ୍ରୀମାନେ ବିଶେଷ ଲାଭବାନ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ନିମ୍ନମାନର କାମ ଯୋଗୁଁ କେତେକ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗିବା ପୂର୍ବରୁ ଭୁଶୁଡ଼ି ପଡୁଥିବା ଦେଖିବାକୁ ମିଳୁଛି।

୨୦୧୭ ମସିହାରେ ୨୨ଲକ୍ଷ ଟଙ୍କା ବ୍ୟୟରେ କୋରେଇ ବ୍ଲକ୍ ଅନ୍ତର୍ଗତ ତାହାରପୁର୍ ପଞ୍ଚାୟତର ସାମନ୍ତରାପୁର୍ ଗ୍ରାମ ନିକଟରେ ଏକ ଚେକ୍‌ଡ୍ୟାମ ନିର୍ମାଣ କରାଯାଇଥିଲା। କ୍ଷୁଦ୍ର ଜଳସେଚନ ବିଭାଗର ତତ୍ତ୍ବାବଧାନରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ସ୍ଥାନ ନିରୂପଣ ଠିକ୍ ହୋଇ ନଥିବା ନେଇ ସ୍ଥାନୀୟ ଚାଷୀ ଆରମ୍ଭରୁ ଏହି ପ୍ରକଳ୍ପକୁ ବିରୋଧ କରିଥିଲେ। ଚାଷୀଙ୍କ ପ୍ରସ୍ତାବକୁ ବିଭାଗୀୟ ଅଧିକାରୀ ଗୁରୁତ୍ବ ଦେଇ ନଥିଲେ। ଏବେ ପ୍ରକଳ୍ପ ଅକାମୀ ‌ହୋଇପଡ଼ିଛି। ସେହିପରି ତଳଗଡ଼ ପଞ୍ଚାୟତର ବନ୍ଦିମଙ୍ଗରାଜପୁର ଚେକ୍‌ଡ୍ୟାମରେ ୯୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଚାଷୀମାନେ କହୁଥିବା ବେଳେ ତାହା ମଧ୍ୟ ଚାଷ କାମରେ ଲାଗିପାରୁ ନାହିଁ। ପାଟରଙ୍ଗା ପଞ୍ଚାୟତର ଅଶୋକଝର, ସୋଲବନ୍ଦି, ତାହାରପୁର ପଞ୍ଚାୟତର ନର୍କତଗଡ଼ିଆପସି ଠାରେ ଥିବା ଚେକ୍‌ଡ୍ୟାମ ଚାଷୀଙ୍କ କାମରେ ଲାଗିପାରୁନାହିଁ। ଅଥଚ ଏହି ପ୍ରକଳ୍ପ ନାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି।

ଅନ୍ୟପକ୍ଷରେ, ବଡଚଣା ବ୍ଲକ୍ ଶାଳପଡ଼ା ପଞ୍ଚାୟତର ତିଳପଦା ମୌଜାର ହରିଡାରେ ଚେକ୍‌ଡ୍ୟାମ୍ ନିର୍ମାଣ କରାଯାଇଥିଲା । ୨୦୧୦ ମସିହାରେ ପାଇଲଟ ପ୍ରୋଜେକ୍ଟ ଭାବେ ୨ଲକ୍ଷ ୨୬ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଚେକ୍‌ଡ୍ୟାମ୍‌ ରକ୍ଷଣାବେକ୍ଷଣା ଅଭାବରୁ ଭୁଶୁଡି ପଡ଼ିଛି। ଏହି କଲଭର୍ଟର ଅବସ୍ଥା ଖରାପ ଥିବାରୁ ୨୦୧୪ ମସିହାରେ ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ମରାମତି ପାଇଁ ଦିଆଯାଇଥିଲା। ଲୋକଙ୍କ ସହଯୋଗ ନମିଳିବାରୁ ମରାମତି କାମ ହୋଇପାରି ନଥିଲା ବୋଲି ବିଭାଗୀୟ ଯନ୍ତ୍ରୀ ସଫେଇ ଦେଇଛନ୍ତି। ପୁନଃମରାମତି ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୩ ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ଦିଆଯାଇଥିଲେ ମଧ୍ୟ କାମ ନହୋଇ ଅର୍ଥ ଫେରିଯାଇଥିବା କନିଷ୍ଠ ଯନ୍ତ୍ରୀ ଶାଶ୍ୱତୀ ଗୋଚ୍ଛାୟତ କହିଛନ୍ତି । ଯାହାଫଳରେ ଚାଷୀମାନଙ୍କ ଜମିକୁ ଜଳ ଯୋଗାଣ ବିଫଳ ହେଉଛନ୍ତି।ଏହା ମଧ୍ୟରେ କଲଭର୍ଟ ଭାଙ୍ଗି ଯିବାରୁ ଏବେ ସେଠାକାର ଚାଷୀମାନେ ନାହିଁନଥିବା ହଇରାଣ ହେଉଛନ୍ତି। ଆଜି ସହକାରୀ ଯନ୍ତ୍ରୀ ରାଜେଶ କୁମାର ମଣ୍ଡଳ କ୍ଷେତ୍ର ପରିଦର୍ଶନ କରି ସେଠାକାର ଚାଷ ଜମିଙ୍କୁ ଯୁଦ୍ଧକାଳୀନ ଭିତରେ ଜଳ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର