ଫେଲ୍‌ ମାରିଛି ଉଠା ଜଳସେଚନ ବ୍ୟବସ୍ଥା: ମରୁଡ଼ି ମୁହଁରେ ବଲାଙ୍ଗୀର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଜଳସେଚନରେ ସବୁବେଳେ ଅବହେଳିତ। ତେଣୁ କେବଳ ବର୍ଷା ପାଣି ଉପରେ ନିର୍ଭରଶୀଳ ଥିବାରୁ ପ୍ରତିବର୍ଷ ମରୁଡ଼ିର ସମ୍ମୁଖୀନ ହେଉଛି। ଚଳିତ ବର୍ଷ ବି ସ୍ବଳ୍ପ ବର୍ଷା ଯୋଗୁଁ ଏହି ଜିଲ୍ଲା ମରୁଡ଼ି ମୁହଁକୁ ଚାଲିଯାଉଥିବା ଲକ୍ଷ୍ୟ କରାଯାଇଛି। ଅପ୍ୟପକ୍ଷରେ ଜଳସେଚନ ପାଇଁ ରହିଥିବା ଅନେକ ପ୍ରକଳ୍ପ ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇପଡ଼ିଛି। ଆଉ କିଛି ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଏବେ ଚାଷ କାମ ଆଗେଇ ପାରୁ ନଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚଳିତ ବର୍ଷ ଶହ ଶହ ହେକ୍ଟର ଜମି ଚାଷ ନହୋଇ ପଡ଼ିଆ ପଡ଼ିଛି। ଏଠାରେ ଜଳସେଚନର ବହୁପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନଥିବାରୁ ଚାଷକୁ ଛାଡ଼ି ଚାଷୀ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛି।

ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ମରୁଡ଼ି ଆଶଙ୍କା ନିଶ୍ଚିତ ଥିବାରୁ ଜିଲ୍ଲାପାଳ କୃଷି ବିଭାଗ ଓ ଜଳସେଚନ ବିଭାଗ ଜରିଆରେ ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ସମୀକ୍ଷା ସମୟରେ କେତେ ପ୍ରକଳ୍ପ ଧାନ ଚାଷକୁ ମରୁଡ଼ିରୁ ରକ୍ଷା କରିପାରିବ, ତାହାକୁ ନେଇ ବିଚାରବିମର୍ଶ ଚାଲିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକ୍‌ରେ ୯୬୨ଟି ଉଠା ଜଳସେଚନ ପ୍ରକଳ୍ପ, ୮୫୭୩ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଓ ୩୫ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପ ଅଛି। ୯୬୨ଟି ଗଭୀର ନଳକୂପରୁ ୨୧ହଜାର ୧୭୦ ହେକ୍ଟର, ୮୫୭୩ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପରୁ ୪୮୩୨୦ ହେକ୍ଟର ଓ ୩୫ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପରୁ ୩୫୦ ହେକ୍ଟର ଏପରି ମୋଟ ୯୫୭୦ଟି ପ୍ରକଳ୍ପରୁ ୬୯ହଜାର ୮୪୦ ହେକ୍ଟର ଧାନ ଚାଷକୁ ମରୁଡ଼ି ଦାଉରୁ ରକ୍ଷା କରାଯିବାର ବ୍ୟବସ୍ଥା ଅଛି। ହେଲେ ଗତ ୨୪ ତାରିଖ ଦିନ ହୋଇଥିବା ଜିଲ୍ଲାପାଳଙ୍କ ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ୯୬୨ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୪୩୧ଟି ପ୍ରକଳ୍ପ କାମ କରୁ ନଥିବା ବେଳେ ୫୩୧ଟି ପ୍ରକଳ୍ପ ଚାଲିଛି। ସେହିପରି ୮୫୭୩ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୭୩୩୫ଟି ଚାଲିଛି ଓ ୧୨୩୮ଟି ଅଚଳ ରହିଛି।

ସେହିପରି ୩୫ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପରୁ ମାତ୍ର ଗୋଟିଏ ପ୍ରକଳ୍ପ ଚାଲୁ ନାହିଁ। ବର୍ତ୍ତମାନ ୫୩୧ଟି ଉଠା ଜଳସେଚନ ପ୍ରକଳ୍ପରୁ ୭୦୬୦ ହେକ୍ଟର, ୭୩୩୫ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପରୁ ୨୫ହଜାର ୬୭୩ ହେକ୍ଟର ଓ ୩୪ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପରୁ ୧୭୦ହେକ୍ଟର ଧାନ ଚାଷକୁ ମୋଟ ୭୯୦୦ଟି ପ୍ରକଳ୍ପରୁ ୩୨ହଜାର ୯୦୩ହେକ୍ଟର ଫସଲକୁ ମରୁଡ଼ି କବଳରୁ ରକ୍ଷା କରାଯାଇ ପାରିବ ବୋଲି ଦର୍ଶଯାଉଛି। ବର୍ତ୍ତମାନ ୭୯୦୦ ପ୍ରକଳ୍ପରୁ ୧୬୭୦ ପ୍ରକଳ୍ପ ପ୍ରସ୍ତୁତ ହୋଇ ନାହିଁ। ଯାହା ଫଳରେ ୬୯ହାଜାର ୮୪୦ହେକ୍ଟରକୁ ମରୁଡ଼ି ମୁକାବିଲା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ୩୨ହଜାର ୯୦୩ହେକ୍ଟର ମାତ୍ର ମରୁଡ଼ି ଦାଉରୁ ରକ୍ଷା କରାଯାଇ ପାରିବ ବୋଲି ଜଣାପଡ଼ିଛି। ମାତ୍ର ୧୬ଶହ ପ୍ରକଳ୍ପ ଅଚଳ ଥିବାରୁ ୩୬ହଜାର ୯୩୭ ହେକ୍ଟର ଜମିକୁ ପାଣି ମାଡ଼ିବ ନାହିଁ। ଏଥିରୁ ଜଣାପଡ଼ୁଛି ଯେ ବଲାଙ୍ଗୀର ଜିଲ୍ଲାରେ ଉଠା ଜଳସେଚନ ବ୍ୟବସ୍ଥା କିପରି ଚାଲିଛି!

ସମ୍ବନ୍ଧିତ ଖବର