ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ସରିଥିଲେ ବି ବିଦ୍ୟୁତ ସଂଯୋଗରେ ସମସ୍ୟା ଓ ବକେୟା ବିଦ୍ୟୁତ ଦେୟ ଯୋଗୁ ତାହା ଚାଷୀଙ୍କ କାମରେ ଆସୁ ନ ଥିଲା। ଏଇ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏକ ବୈଠକ କରି ତୁରନ୍ତ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ତ୍ବରିତ ପଦକ୍ଷେପ ନିଆଯାଇ ଗତ ତିନି ଦିନରେ ୧୪ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯାଇଛି। ଓଡ଼ିଶା ଉଠା ଜଳସେଚନ ନିଗମ କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି।

Advertisment

ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ବୈଠକରେ ଉଠା ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ କିଛି ସ୍ଥାନରେ ସ୍ବଳ୍ପ ବର୍ଷା ପରିପ୍ରେକ୍ଷୀରେ ସବୁ ଚାଷ ଜମିକୁ ଯୁଦ୍ଧକାଳୀନ ଭିତ୍ତିରେ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଓଏଲ୍‌ଆଇସି ଚାଷୀମାନଙ୍କ ଭରସା ସାଜି କୃଷି କ୍ଷେତ୍ରକୁ ଜଳସେଚନ ପାଇଁ ସହଯୋଗ କରିବାକୁ ସେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଓଏଲ୍‌ଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀ କହିଲେ, ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଉଠା ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ଓ ପ୍ରକଳ୍ପ ସଚଳ କରି ଜଳସେଚନ ଯୋଗାଇଦେବାରେ ନିଗମ ସମର୍ଥନ ହେବ ବୋଲି ସେ ଆଶାପ୍ରକଟ କରିଥିଲେ।

ବୈଠକରେ ସୂଚନା ଦିଆଯାଇଥିଲା ଯେ ୨୦୨୧ ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, ଡିପ୍ ବୋର୍‌ୱେଲ୍‌, ଅଗଭୀର ନଳକୂପ ଆଦି ମିଶି ୧ ଲକ୍ଷ ୨୧ ହଜାର ୧୦୬ ପ୍ରକଳ୍ପ ରହିଥିଲା ବେଳେ ୧୨.୪୬ ଲକ୍ଷ ହେକ୍ଟର ଜମିକୁ ସେଚାଞ୍ଚଳ ସୁବିଧା ଦିଆଯାଇଥିଲା। ତାହା ମଧ୍ୟରୁ ୧ ଲକ୍ଷ ୧୦ ହଜାର ୩୮୮ ପ୍ରକଳ୍ପ ସଚଳ ରହିଛି ଓ ଏସବୁ ଦ୍ବାରା ୧୦.୮୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଯାଉଛି। ମରାମତି ଯୋଗ୍ୟ ଅସ୍ଥାୟୀ ଭାବେ ଅଚଳ ଥିବା ୯,୫୫୫ ପ୍ରକଳ୍ପକୁ ଆବଶ୍ୟକତା ଅନୁସାରେ ସଚଳ କରାଯାଉଛି, ଯାହା ଦ୍ବାରା ୧ ଲକ୍ଷ ୩୪ ହଜାର ୯୮୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରିବ। ବିଦ୍ୟୁତ ସଂଯୋଗ ଆବଶ୍ୟକ କରୁଥିବା ସମସ୍ତ ପ୍ରକଳ୍ପଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗ କରାଯାଉଛି ବୋଲି ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ସୂଚନା ଦେଇଥିଲେ। ବୈଠକରେ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି, ଜଳସେଚନ ସାମର୍ଥ୍ୟ, ସ୍ବଳ୍ପ ବୃଷ୍ଟି ଜିଲ୍ଲା ପାଇଁ ଖରିଫ ଜଳସେଚନ ଯୋଜନା, ୟାସ୍ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରକଳ୍ପର ମରାମତି ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ଓଏଲ୍‌ଆଇସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବେଲେଶ୍ବରନାଥ ସାହୁଙ୍କ ସମେତ କାର୍ଯ୍ୟାଳୟର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଅଧୀକ୍ଷଣ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।